ସେ ଲକ୍ଷ୍ୟ କରୁଥିଲେ ଯେ, ବାପା ତାଙ୍କର ଯେତେ ପରିଶ୍ରମ କଲେ ବି ତାଙ୍କ କ୍ଷେତରେ ଫସଲ ଅମଳ ଧୀରେଧୀରେ ବଢିବା ବଦଳରେ କମି କମି ଯାଉଛି। ଗୋଟିଏ ଚାଷୀ ପରିବାରର ଝିଅ ହୋଇଥିବାରୁ ବର୍ଷା ପିଲାଦିନରୁ ନିଜ ବାପାଙ୍କୁ ମାଟି ସହ ଯୁଝି କ୍ଷେତରେ କାମ କରିବା ଦେଖି ଆସୁଥିଲେ। ତେବେ ଦିନକୁ ଦିନ ଅମଳ କମିଯିବାର କାରଣ ଅନୁଧ୍ୟାନ କରିବାକୁ ଯାଇ ସେ ଲକ୍ଷ୍ୟ କଲେ ଯେ, ମୁଖ୍ୟତଃ ତାଙ୍କ ଅଞ୍ଚଳରେ ଆବଶ୍ୟକ ପରିମାଣର ବର୍ଷା ନହେବା ଓ ସେଇ କାରଣରୁ ଚାଷ ପାଇଁ ସଠିକ୍ ପରିମାଣର ପାଣି ଉପଲବ୍ଧ ନ ହେବା ହିଁ ଏମିତି କରାଉଛି।
ଅଧିକ ପଢ଼ନ୍ତୁ: ମହିଳା ଦୃଢ଼ ମନୋବଳ ନେଇ ଏକାଠି ହେଲେ କିଛି ବି କରିପାରେ
ତେବେ ପ୍ରକୃତି, ପରିବେଶ ଓ ଚାଷ ମଧ୍ୟରେ ଥିବା ଏଇ ସମ୍ପର୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେତେଟା ସଚେତନତା ନଥିବା ଲକ୍ଷ୍ୟ କଲେ ବର୍ଷା। ବରଂ ଏସବୁ ପାଇଁ ସେମାନେ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଉଥିବା ସେ ଦେଖିଲେ। ତେଣୁ ବର୍ଷା ଏ ଦିଗରେ ଅଧିକ ଜାଣିବାକୁ ଚେଷ୍ଟାକଲେ। ଆଉ ଜାଣିବାକୁ ପାଇଲେ ଯେ, ଆମ ଚାରି ପାଖରେ ଥିବା ଗଛ, ଜଙ୍ଗଲ ଓ ନଦୀ ଆଦି ପରିବେଶ ସୁରକ୍ଷା ପାଇଁ କେତେ ଜରୁରୀ। ଏନେଇ ନିଜର ଗବେଷଣା ଜାରି ରଖିଥିବା ବେଳେ ହିଁ ତାଙ୍କୁ ରେଡିଓ ବୁନ୍ଦେଲଖଣ୍ଡ (୯୦.୪ଏଫ୍ଏମ୍)ରେ ଚାକିରି ପାଇଁ ଅଫର୍ ଆସିଲା।
Also Read
ବର୍ଷା ରାଇକର, କମ୍ୟୁନିଟି ରେଡିଓ 'ରେଡିଓ ବୁନ୍ଦେଲଖଣ୍ଡ'ର ଏକମାତ୍ର ମହିଳା ଜକି। ମଧ୍ୟପ୍ରଦେଶର ଓର୍ଚ୍ଛା ସହର ଓ ତା'ର ଆଖପାଖ ଅଞ୍ଚଳରେ ଏଇ ଝିଅଜଣଙ୍କର ସ୍ୱର ସମସ୍ତଙ୍କର ଅତି ପରିଚିତ। ୨୦୧୭ ମସିହାରୁ ଏଇ ସ୍ୱରଟି ଆଖପାଖ ଶହେରୁ ଅଧିକ ଗାଁର ଲୋକମାନଙ୍କୁ ପରିବେଶର କ୍ଷୟକ୍ଷତି ଓ ତା'ର ସୁରକ୍ଷା ନେଇ ସଚେତନ କରାଇ ଆସୁଛି। ଏବେ ପ୍ରାୟ ୫ଲକ୍ଷ ଲୋକ ବର୍ଷାଙ୍କ 'ଶୁଭ୍ କଲ୍' ସୋ'ର ଶ୍ରୋତା। ଆଉ ମଧ୍ୟପ୍ରଦେଶ ତଥା ଉତ୍ତରପ୍ରଦେଶର ପାଖାପାଖି ୧୫୦ଟି ଗାଁର ଲୋକଙ୍କ ପାଖରେ ପହଞ୍ଚିଥାଏ ତାଙ୍କ କାର୍ଯ୍ୟକ୍ରମର ବାର୍ତ୍ତା।
ଜଳ ଓ ବିଦ୍ୟୁତ୍ ଶକ୍ତି କାହିଁକି ସଞ୍ଚୟ କରାଯିବା ଉଚିତ, ଆମ ଚାରି ପାଖରେ ସବୁଜିମା ଭରି ରହିବା କାହିଁକି ଆବଶ୍ୟକ, ଗଛ ଲଗାଇବା କ'ଣ ପାଇଁ ଜରୁରୀ; ନିଜ ପ୍ରୋଗ୍ରାମ୍ ମାଧ୍ୟମରେ ଏଭଳି ବିଭିନ୍ନ ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ ବିଷୟରେ କହିଥାନ୍ତି ବର୍ଷା। ଚାକିରି କଲା ପରେ ତାଙ୍କର ପ୍ରଥମ ଆସାଇନ୍ମେଣ୍ଟ୍ ଥିଲା ପରିବେଶ ସୁରକ୍ଷା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ସୋ' ପ୍ରସ୍ତୁତ କରିବା। ଆଉ ଏହିଠାରୁ ହିଁ ମୂଳଦୁଆ ପଡ଼ିଥିଲା 'ଶୁଭ୍ କଲ୍' କାର୍ଯ୍ୟକ୍ରମର।
ଏଥିପାଇଁ ନିଜ ସହକର୍ମୀମାନଙ୍କ ପ୍ରଚୁର ସହଯୋଗ ମିଳିଥିଲା ବର୍ଷାଙ୍କୁ। ତେବେ ଏହି ସୋ'କୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରେଡିଓ ବୁନ୍ଦେଲଖଣ୍ଡର ସାମ୍ବାଦିକମାନେ ଏଥିରେ ଏକ ସେଗ୍ମେଣ୍ଟ୍ ଯୋଡ଼ିବାକୁ ଚିନ୍ତା କଲେ। ଏଇ ସେଗ୍ମେଣ୍ଟ୍ଟିର ନାଁ ଥିଲା 'ଭୈରୋ ଭୌଜି।' ଏଥିରେ ପରିବେଶ ସଚେତନ ଜଣେ ଗ୍ରାମୀଣ ମହିଳା ନିଜ ଦିଅରଙ୍କୁ, ଯିଏ କି ଏନେଇ କିଛି ଜାଣି ନାହାନ୍ତି ତାଙ୍କୁ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଶିକ୍ଷା ଦେଉଥିଲେ।
ଆକର୍ଷଣୀୟ କଥାବାର୍ତ୍ତା ଶୈଳୀରେ ପ୍ରସ୍ତୁତ ଏଇ ପ୍ରୋଗ୍ରାମ୍ଟି ଧୀରେଧୀରେ ଲୋକପ୍ରିୟ ହେବାକୁ ଲାଗିଲା। ଖାଲି ସେତିକି ନୁହେଁ, ବିଭିନ୍ନ ଷ୍ଟ୍ରିଟ୍ ପ୍ଲେ, ୱାଲ୍ ପେଣ୍ଟିଂ ଓ ଅନ୍ୟାନ୍ୟ କଳା ମାଧ୍ୟମରେ ସେମାନେ ଲୋକଙ୍କ ଭିତରେ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ବିଷୟରେ ସଚେତନତା ବୃଦ୍ଧି କରାଇବାରେ ଲାଗିଲେ।
ସେମାନେ ଏଭଳି କରିବା ସହ ୱାର୍ଲ୍ଡ ବ୍ୟାଙ୍କ୍ର ଆର୍ଥିକ ସହାୟତାରେ 'କୌନ୍ ବନେଗା ଶୁଭ୍ କଲ୍ ଲିଡର୍?' ନାମକ ଏକ ରେଡିଓ ରିୟାଲିଟି ସୋ'ର ମଧ୍ୟ ଆୟୋଜନ କରୁଥିଲେ। ପ୍ରଥମେ ଏଇ କାର୍ଯ୍ୟକ୍ରମରେ ନିକଟସ୍ଥ ୧୦୦ଟି ଗାଁର ଲୋକଙ୍କୁ ସାମିଲ କରାଯାଇଥିଲା।
ଏଇ କାର୍ଯ୍ୟକ୍ରମ ଅଧୀନରେ କିଭଳି ସ୍ଥାନୀୟ ଲୋକେ, ଖାସ୍ କରି ମହିଳାମାନେ କିଚେନ୍ ଗାର୍ଡେନ୍ ସୃଷ୍ଟି କରିପାରିବେ, କିଭଳି ସେଥିରେ ଜୈବିକ ଖତ ଓ ସାର ପ୍ରୟୋଗ କରିବେ ଓ କିଭଳି ସେଇ ବଗିଚାରେ ରୋଷେଇ ଘରୁ ବାହାରୁଥିବା ପାଣିକୁ ହିଁ ଉପଯୋଗ କରାଯାଇ ପାରିବ; ଜଙ୍ଗଲଜାତ କୃଷି ତଥା ବର୍ଷା ଜଳ ଅମଳ ଆଦି ବିଷୟକୁ ନେଇ ସଚେତନତା ସୃଷ୍ଟି କରାଗଲା ଓ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଗଲା।
ଧୀରେ ଧୀରେ ଅଧିକରୁ ଅଧିକ ଲୋକ ଏଇ କାର୍ଯ୍ୟକ୍ରମରେ ଯୋଗଦେବାରେ ଲାଗିଲେ। ସେବେଠାରୁ ବର୍ଷା ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ କହନ୍ତି, 'କୌନ୍ ବନେଗା ଶୁଭ୍ କଲ୍ ଲିଡର୍?' ହୁଏତ ଏକ କମ୍ୟୁନିଟି ରେଡିଓ ଦ୍ୱାରା ପ୍ରସ୍ତୁତ ଦୁନିଆର ପ୍ରଥମ ଏଭଳି ରିୟାଲିଟି ସୋ', ଯେଉଁଥିରେ ଏତେ ସଂଖ୍ୟକ ଲୋକ ଆଗ୍ରହର ସହ ଯୋଗ ଦେଇଥିଲେ।
ସମ୍ପୃକ୍ତ ରିୟାଲିଟି ସୋ'ଟି ଶେଷ ହେଲା ପରେ ମଧ୍ୟ ଏହା ମାଧ୍ୟମରେ ପାଇଥିବା ଶିକ୍ଷାକୁ ଲୋକେ ଭୁଲି ନାହାନ୍ତି। ଏବେ ବି ବିଭିନ୍ନ ଗାଁର ଲୋକମାନେ ସେମାନେ କରିଥିବା କିଚେନ୍ ଗାର୍ଡେନ୍ କିମ୍ବା ଲଗାଇଥିବା ଗଛ ଆଦି ସମ୍ପର୍କରେ ଫୋନ୍ କରି ବର୍ଷା ଓ ତାଙ୍କ ସହକର୍ମୀମାନଙ୍କୁ ସୂଚନା ଦେଇଥାନ୍ତି। ତା' ଛଡା ସେମାନଙ୍କ ସୋ'ର ଲୋକପ୍ରିୟତା ଯୋଗୁଁ ମଧ୍ୟପ୍ରଦେଶ ସରକାର ମଧ୍ୟ ଏନେଇ ଉତ୍ସାହ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ସୁସ୍ଥ ଓ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଅନେକ ସମୟରେ ପ୍ରଶିକ୍ଷକ ନିଯୁକ୍ତ କରିଥାନ୍ତି। ଏବେ ବର୍ଷା ଓ ତାଙ୍କ ସହଯୋଗୀଙ୍କ ସୋ' ପାଇଁ ସ୍ଥାନୀୟ ଲୋକେ ମଧ୍ୟ ଆଗ୍ରହରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।
ତେବେ ଏତେ ବାଟ ଆଗେଇବା ପଛରେ ରହିଛି ବର୍ଷାଙ୍କ ଅନେକ ସଂଘର୍ଷର କାହାଣୀ। ପ୍ରଥମେ ତାଙ୍କର ରକ୍ଷଣଶୀଳ ପରିବାର ଆଦୌ ବର୍ଷାଙ୍କ ପାଠ ପଢ଼ିବା କିମ୍ବା ତାଙ୍କ ଚାକିରି କରିବା ସପକ୍ଷରେ ନଥିଲେ। ବରଂ ସେମାନେ ଯଥାଶୀଘ୍ର ଅତି କମ୍ ବୟସରୁ ତାଙ୍କ ବିବାହ କରାଇ ଦେବାକୁ ଚାହୁଁଥିଲେ।
ବର୍ଷାଙ୍କ ଉଦ୍ଦେଶ୍ୟ କିନ୍ତୁ ଭିନ୍ନ ଥିଲା। ଜୀବନରେ କିଛି କରି ଦେଖାଇବାର ଲକ୍ଷ୍ୟ ତାଙ୍କୁ ଟାଣି ନେଇଥିଲା ରେଡିଓ ଆଡ଼କୁ। ଏବେ ସେଇ ରେଡିଓ ସାହାଯ୍ୟରେ ଓ ତାଙ୍କ ପ୍ରଭାବଶାଳୀ ସ୍ୱର ମାଧ୍ୟମରେ ସେ ଘରେ ଘରେ ପହଞ୍ଚାଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)
ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com