ଏସିଡିଟିରୁ ଉପଶମ ପାଇଁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆଜିକାଲି ଏହି ସମସ୍ୟା ପ୍ରାୟ ଘରେ ଘରେ। ତେବେ ଏଥିରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା।

ଏସିଡିଟିରୁ ଉପଶମ ପାଇଁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

କାଲି ମୋର ଜଣେ ପୁରୁଣା ବନ୍ଧୁ ରାସ୍ତାରେ ଦେଖାହେଲେ । ତାଙ୍କ କଲେଜ ପଢ଼ୁଆ ଝିଆରିକୁ ନେଇ ସେ ମାର୍କେଟରୁ ଫେରୁଥିଲେ। ଏମିତି କଥା ହେବାପରେ ଜାଣିଲି ତାଙ୍କ ଝିଆରିର ପ୍ରବଳ ଏସିଡିଟି ହେଉଥିବାରୁ ଡାକ୍ତରଙ୍କ ପାଖକୁ ପରାମର୍ଶ ପାଇଁ ସେମାନେ ଯିବାକୁ ବାହିରିଛନ୍ତି। ଏତେ ଛୋଟ ଝିଅର ଏସିଡିଟି କଥା ଶୁଣି ମତେ ବ୍ୟସ୍ତ ଲାଗିଲା। ଆପଣମାନେ ଭାବନ୍ତୁ ଆମର ଖାଦ୍ୟାଭ୍ୟାସ ଏବେ କିପରି ଖରାପ ହୋଇଗଲାଣି ଯେ ଆମେ ଖୁବ୍ କମ୍ ବୟସରେ ଏପରି ଶାରୀରିକ ଅସୁବିଧା ସବୁକୁ ସାମ୍ନା କରିବାକୁ ଯାଉଛେ।

ଆପଣଙ୍କ ଚାରିପାଖରେ ଏମିତି ବ୍ୟକ୍ତି ନିଶ୍ଚୟ ଥିବେ ଯିଏ ଏହି ଏସିଡିଟି ବା ପାଚନ ତନ୍ତ୍ର ସହିତ ଜଡ଼ିତ କୌଣସି ସମସ୍ୟାର ଶିକାର ହୋଇ ଖାଦ୍ୟ ଖାଇବାରେ ଅସୁବିଧା ଭୋଗୁଥିବେ। ତେବେ ଆସନ୍ତୁ ଆଜି ଜାଣିବା ଏହି ଏସିଡିଟି କିପରି ହୋଇଥାଏ ଓ ଆମର କିଛି ଖାଦ୍ୟାଭ୍ୟାସ ପରିବର୍ତ୍ତନ କରି ଏଥିରୁ ଆମେ କିପରି ମୁକ୍ତି ପାଇବା ।

ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆପଣ ଜାଣିଥିବେ ଯେ ଘରେ ଆମ ମା’ ଆଉ ଜେଜେମାମାନେ ସକାଳର ଜଳଖିଆ ସାଧାରଣତଃ ଦ୍ୱିପ୍ରହରରେ ଖାଆନ୍ତି। କଲେଜ ପିଲାମାନେ ପ୍ରାୟ କଲେଜ ଯାଇ ସେଠି ଫାଷ୍ଟ୍‌ଫୁଡ୍ ଖାଇ ଦିନସାରା ଚଳାଇ ଦିଅନ୍ତି। ଏହି ପ୍ରକାରରେ ଖାଦ୍ୟ ଖାଇବା ସମୟରେ ଅନିୟମିତତା ହେତୁ ପାକସ୍ଥଳୀରେ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ।

ଆମେ ଖାଉଥିବା ଖାଦ୍ୟ ପାଟିରେ ଲାଳ ସହିତ ମିଶ୍ରିତ ହୋଇ ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଏ। ସେଠାରେ ପାଚକ ରସ ଓ ହାଇଡ୍ରୋକ୍ଲୋରିକ୍ ଅମ୍ଲ ସହ ମିଶି ହଜମ ହୋଇଥାଏ। ଏହି ପାଚକ ରସ ହେଉଛି ପିତ ରସ ଯାହା କି ଯକୃତରୁ କ୍ଷରିତ ହୋଇ ପାକସ୍ଥଳୀକୁ ଯାଏ। ଆମକୁ ଭୋକ ଲାଗିବା ଅର୍ଥ ଏହି ଏସିଡ୍ ଓ ପାଚକ ରସ କ୍ଷରିତ ହୁଏ। ଯଦି ଠିକ୍ ଏହି ସମୟରେ ଆମେ ଖାଦ୍ୟ ଖାଇବା ତେବେ ଏହା ଭଲ ଭାବେ ହଜମ ହୋଇ ଏହାର ପୋଷକ ତତ୍ତ୍ୱ ସବୁ ରକ୍ତରେ ମିଶିବ। ନଚେତ୍ ଏହି ଅମ୍ଲ କ୍ଷରଣ ଅଧିକ ହୋଇ ଖାଦ୍ୟନଳୀର ଉପରକୁ ଫେରିଯାଏ। ଏଥିପାଇଁ ଛାତି ଓ ତଣ୍ଟିରେ ପୋଡ଼ାଜଳା ହୁଏ, ଯାହାକୁ ଆମେ ଏସିଡ୍ ହେବା ବୋଲି କହିଥାଉ। ଏହାକୁ ଖାଦ୍ୟ ବିଜ୍ଞାନରେ ଏସିଡ୍ ରିଫ୍ଲକ୍ସ ବୋଲି କୁହାଯାଏ। ଏହା ତୀବ୍ର ହେଲେ ପାକସ୍ଥଳୀର ସ୍ଥାୟୀ ରୋଗରେ ପରିଣତ ହୁଏ।

ଏବେ ଜାଣିବା ଯେ ଆପଣ ଏହି ସମସ୍ୟାରୁ ଚିରଦିନ ପାଇଁ କିପରି ମୁକ୍ତି ପାଇବେ। ନିତିଦିନ କମ୍ ତେଲରେ ଭଜା ହୋଇଥିବା କିଛି ତାଜା ପନିପରିବା ଯେପରିକି ବନ୍ଧାକୋବି, ମୂଳା, ଧନିଆପତ୍ର, କନ୍ଦମୂଳ ଆଦି ଖାଇବା। ଫଳମୂଳ ଯେପରିକି କଦଳୀ, ଡାଳିମ୍ୱ, ନାସ୍‌ପାତି, ତରଭୂଜ ଆଦି ଆଲ୍‌କାଲାଇନ୍ ଯୁକ୍ତ ହୋଇଥିବାରୁ ଏହା ଏସିଡିଟି ପାଇଁ ଭଲ ନିରାକରଣ।

ଅତ୍ୟଧିକ ଏସିଡ୍ ହୋଇ ଆପଣଙ୍କର ଛାତି ଜଳାପୋଡ଼ା ହେଉଥିଲେ ଏକ ଗ୍ଲାସ୍ ଥଣ୍ଡା କ୍ଷୀର (ଯାହାକି ସିଝା ଯାଇ ଫ୍ରିଜରେ ରଖାଯାଇଥିବ) ପିଇଦେଲେ ତତ୍‌କ୍ଷଣାତ୍ ଆରାମ ମିଳିଥାଏ। ଏହାଛଡ଼ା ପ୍ରୋବାୟୋଟିକ୍ ଖାଦ୍ୟ ଯେପରିକି ସତେଜ ଦହି, ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ ଓ ନଟ୍ସ (ଆଲମଣ୍ଡ, ୱାଲନଟ୍ ଇତ୍ୟାଦି) ଖାଇଲେ ସବୁଦିନିଆ ଏସିଡିଟିରୁ ମୁକ୍ତି ମିଳେ।

ଏସିଡିଟି ପାଇଁ ଆଉ ଏକ ରାମବାଣ ହେଉଛି ବୁଟ ଛତୁଆକୁ ସକାଳ ଜଳଖିଆରେ ଖାଇବା। ଖାଲିପେଟରେ ସକାଳୁ ଏକରୁ ଦୁଇ ଚାମଚ ଭଜା ବୁଟ ଗୁଣ୍ଡକୁ ଏକ ଗ୍ଲାସ୍ ପାଣିରେ ଗୋଳି ନିୟମିତ ପିଇଲେ ଏସିଡିଟିରୁ ସ୍ଥାୟୀ ଉପଶମ ମିଳେ। ବାର୍ଲିକୁ ମଧ୍ୟ ଏହି ଉପାୟରେ ଆପଣ ଖାଇପାରିବେ। ଏସବୁ ଖାଦ୍ୟ ଖାଇବା ସହିତ ଦିନକୁ ପ୍ରଚୁର ପାଣି ପିଇବା ନିହାତି ଜରୁରୀ। ଏହା ଦ୍ୱାରା ଏସିଡ୍ ନ୍ୟୁଟ୍ରାଲାଇଜ୍ ହୋଇଯାଇଥାଏ। ଖରାଦିନରେ ଆପଣଙ୍କ ଏସିଡ୍ କ୍ଷରଣକୁ ନିୟନ୍ତ୍ରଣରେ ରଖିବାକୁ ନିୟମିତ ଦିନର ମୁଖ୍ୟ ଭୋଜନ ସହ ସାଲାଡ୍ ନେବାକୁ ଭୁଲନ୍ତୁ ନାହିଁ। ସାଲାଡ୍‌ରେ ଦହି ପକାଇଲେ ଆହୁରି ଭଲ।

ଏବେ ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ଆମେ ଏସିଡିଟି କମେଇବା ପାଇଁ ଖାଇବା ଉଚିତ ନୁହେଁ। କିଛି ଏପରି ଖାଦ୍ୟ ହେଉଛି ତେଲରେ ଛଣା ଖାଦ୍ୟ, ଫାଷ୍ଟ୍‌ଫୁଡ୍‌, ଛଣାଯାଇ ତିଆରି ହେଇଥିବା ମିଠା ଖାଦ୍ୟ ଯେପରି ଜିଲାପି, ଗୋଲାପଜାମୁ, ଲଙ୍କାଗୁଣ୍ଡ ଓ ଗରମ ମସଲା ଦେଇ ରନ୍ଧାଯାଇଥିବା ମସଲାଯୁକ୍ତ ଖାଦ୍ୟ, ସୋଡ଼ା ଓ କୋଲ୍ଡ ଡ୍ରିଙ୍କସ୍ ପରି କାର୍ବୋନେଟେଡ୍ ପାନୀୟ ଇତ୍ୟାଦି ଖାଇବା ବନ୍ଦ କରିବା ଜରୁରୀ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏସିଡିଟିରୁ ମୁକ୍ତି ପାଇବା ପାଇଁ ଠିକ୍ ଖାଦ୍ୟ, ଠିକ୍ ଉପାୟରେ ରାନ୍ଧି, ଠିକ୍ ସମୟରେ ଖାଇଲେ ଆମେ ନିଶ୍ଚତ ସ୍ଥାୟୀ ଭାବେ ଉପଶମ ପାଇପାରିବା।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)