୭୧ ବର୍ଷ ବୟସରେ ବି ଜେ. ରାଧାମଣିଙ୍କ ପାଖରେ ରହିଛି ଶିଶୁ ସୁଲଭ କୌତୁହଳ। ଆଉ ନୂଆ ନୂଆ ବିଷୟରେ ଜାଣିବା ପାଇଁ ପ୍ରବଳ ଆଗ୍ରହ। ସେଥିପାଇଁ ତ ନାତି-ନାତୁଣୀଙ୍କ ସହ ଘରେ ରହି, ସେମାନଙ୍କ ସହ ଖେଳି ବୁଲି ସମୟ କାଟିବା ବୟସରେ ସେ ଏବେ ବି ପାଠପଢ଼ା ଜାରି ରଖିଛନ୍ତି। କେରଳର ଏର୍ଣାକୁଲମ୍ ଅନ୍ତର୍ଗତ କଲମାସେରି ପଲିଟେକ୍ନିକ୍ର ମେକାନିକାଲ୍ ଇଂଜିନିୟରିଂ ବ୍ରାଞ୍ଚ୍ରେ ସେ ଏବେ ଡିପ୍ଲୋମା ଛାତ୍ରୀ। ତେବେ ଖାଲି ଏତିକିରେ ସୀମିତ ନୁହେଁ ଏଇ ବୟସ୍କ ମହିଳାଙ୍କ ଉତ୍ସାହ ଓ ଉଦ୍ଦୀପନା।
ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ପାଠ ପଢ଼ା ସହ ସେ ନିଜର ଅତି ପ୍ରିୟ ଡ୍ରାଇଭିଂ କ୍ଷେତ୍ରରେ ମଧ୍ୟ ନୂଆ କଥା ଶିଖିବା ବନ୍ଦ କରି ନାହାନ୍ତି। ବର୍ତ୍ତମାନ ସେ ଟାୱାର୍ କ୍ରେନ୍ ଚଲେଇବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି। ଯଦିଓ ଏଇ ଭାରୀଯାନର ଉଚ୍ଚତା ବହୁତ ଅଧିକ ଓ ଏହାର କ୍ୟାବିନ୍କୁ ଶାଢ଼ୀ ପିନ୍ଧି ଚଢିବା କଷ୍ଟକର। ତେବେ ରାଧାମଣି ଏନେଇ ହତୋତ୍ସାହିତ ନୁହନ୍ତି। କାରଣ ନିଜ ଜୀବନ କାଳ ମଧ୍ୟରେ ବହୁ ସଂଖ୍ୟକ ଓ ବିଭିନ୍ନ ପ୍ରକାରର ଭାରୀଯାନକୁ ସେ ଅଚିରେ ନିଜ ଆୟତ୍ତକୁ ଆଣି ପାରିଛନ୍ତି।
କେରଳର କୋଚି ଅନ୍ତର୍ଗତ ଥୋପ୍ପୂମପାଦି ବାସିନ୍ଦା ଜେ. ରାଧାମଣି ହେଉଛନ୍ତି ଦେଶର ଏକମାତ୍ର ମହିଳା, ଯାହାଙ୍କ ପାଖରେ ରହିଛି ୧୧ଟି ଭିନ୍ନ ଭିନ୍ନ ପ୍ରକାରର ଭାରୀଯାନ ଚଳାଇବାର ଲାଇସେନ୍ସ। ବସ୍, ଟ୍ରକ୍, ଲରି, ଟ୍ରାକ୍ଟର, ଫୋର୍କ୍ ଲିଫ୍ଟ୍, ଏକ୍ସକ୍ୟାଭେଟର, କ୍ରେନ୍, କଣ୍ଟେନର ଟ୍ରେଲର ଟ୍ରକ୍ ଠାରୁ ରୋଡ୍ ରୋଲର୍ ଓ ଜେସିବି ଯାଏ ବିଭିନ୍ନ ଭାରୀଯାନକୁ ସେ ଅନାୟାସରେ ତଥା ଅତି ଦକ୍ଷତାର ସହ ଡ୍ରାଇଭ୍ କରିପାରନ୍ତି।
Also Read
ନିଜ ଆଖପାଖରେ ମଣି ଆମ୍ମା ନାମରେ ପରିଚିତ ରାଧାମଣି ପ୍ରଥମେ ତାଙ୍କୁ ୩୦ ବର୍ଷ ବୟସ ହୋଇଥିବା ବେଳେ କାର୍ ଚଲେଇବା ଶିଖିଥିଲେ। ତାଙ୍କ ସ୍ଵାମୀ ଟି. ଭି. ଲାଲ ଏଥିପାଇଁ ତାଙ୍କୁ ପ୍ରୋତ୍ସାହନ ଦେବା ସହ ସମସ୍ତ ପ୍ରକାର ସହଯୋଗ ମଧ୍ୟ ଯୋଗାଇ ଦେଇଥିଲେ(ଏମିତିକି ଡ୍ରାଇଭିଂ ପ୍ରତି ସ୍ତ୍ରୀଙ୍କ ଆଗ୍ରହ ଦେଖି, ଜୋର୍ ଦେଇ ତାଙ୍କୁ ଡ୍ରାଇଭିଂ ଶିଖିବାକୁ ମଧ୍ୟ କହିଥିଲେ)। ତା' ପରେ ତାଙ୍କ ସ୍ଵାମୀ ୧୯୭୮ମସିହାରେ 'A to Z' ନାମକ ଏକ ଡ୍ରାଇଭିଂ ସ୍କୁଲ୍ ସ୍ଥାପନ କରିଥିଲେ। ଏଇ ସ୍କୁଲର ସ୍ଥାପନ ପରେ ରାଧାମଣି ଡ୍ରାଇଭିଂକୁ ନେଇ ବେଶ୍ ଉତ୍ସାହିତ ଅନୁଭବ କରିବା ସହ ଧୀରେ ଧୀରେ ଭାରୀଯାନ ଚଳାଇ ଶିଖିବା ଆରମ୍ଭ କଲେ। ଆଉ ଏହା ଧୀରେ ଧୀରେ ତାଙ୍କ ପ୍ୟାସନ୍ରେ ପରିଣତ ହେଲା।
ସେ ସମୟରେ ମହିଳାମାନେ ଡ୍ରାଇଭିଂ କ୍ଷେତ୍ରରେ ଅତି କମ୍ ସଂଖ୍ୟାରେ ହିଁ ଦେଖାଯାଉଥିଲେ। କିନ୍ତୁ ରାଧାମଣୀ ପଛଘୁଞ୍ଚା ନ ଦେଇ ପ୍ରଥମେ ବସ୍ ଓ ଲରି ଚଳାଇବା ଶିଖିଲେ। ଆଉ ୧୯୮୮ ମସିହାରେ ପ୍ରଥମେ ତାଙ୍କୁ ଏଇ ଦୁଇଟି ବଡ଼ ଯାନ ଚଳାଇବା ପାଇଁ ଲାଇସେନ୍ସ ମିଳିଲା। ପରେ ଧୀରେ ଧୀରେ ସେ କ୍ରେନ୍, ଟ୍ରେଲର ଓ ଜେସିବି ଆଦି ଚଳାଇ ଶିଖିଥିଲେ ଏବଂ ସେସବୁ ପାଇଁ ଲାଇସେନ୍ସ ମଧ୍ୟ ହାସଲ କଲେ। ସେ ଥିଲେ କେରଳର ପ୍ରଥମ ମହିଳା, ଯିଏକି ହେଭି ଭେଇକିଲ୍ ଲାଇସେନ୍ସ ପାଇଥିଲେ। ୨୦୦୪ରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ସେ ସ୍ୱାମୀଙ୍କ ଡ୍ରାଇଭିଂ ସ୍କୁଲ୍ର ଦାୟିତ୍ଵ ମଧ୍ୟ ନିଜ ହାତକୁ ନେଲେ।
ସେତେବେଳେ ସେ ଯୁଆଡ଼େ ଗଲେ, ଜଣେ ମହିଳା ଏଭଳି ଭାରୀଯାନ ସବୁ ଚଳାଉଥିବା ଦେଖି ଲୋକେ ତାଙ୍କୁ କୌତୁହଳରେ ଚାହିଁ ରହୁଥିବା କହନ୍ତି ରାଧାମଣି। ୨୦୨୧ରେ ତାଙ୍କୁ ବିପଦପୂର୍ଣ୍ଣ ଜିନିଷ (hazardous goods) ପରିବହନ ପାଇଁ ମଧ୍ୟ ଲାଇସେନ୍ସ ମିଳିସାରିଛି।
ଏବେ ସେ ନିଜ ୨ ପୁଅ, ବୋହୂ ଓ ନାତିଙ୍କ ସହାୟତାରେ ଡ୍ରାଇଭିଂ ସ୍କୁଲ୍ର ପରିଚାଳନା କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଡ୍ରାଇଭିଂ ଶିକ୍ଷା ନ ଦେଇ ସେ କେବଳ କମ୍ପ୍ୟୁଟର ପରିଚାଳନା ଦାୟିତ୍ଵ ତୁଲାଉଛନ୍ତି। ଏବେ ବି ସେ ସବୁ ସମୟରେ ଆଗ୍ରହୀ ମହିଳାମାନଙ୍କୁ ଭାରୀଯାନ ଚଳାଇବା ଶିଖିବା ପାଇଁ ପ୍ରୋତ୍ସାହିତ କରିଥା'ନ୍ତି।
ଏବେ ଆସନ୍ତୁ ଜାଣିବା କେରଳର ଆଉ ଜଣେ ରାଧାମଣିଙ୍କୁ। ୬୫ବର୍ଷୀୟା ଏହି ମହିଳା ୱୟାନାଦର ପାର୍ବତ୍ୟ ଅଞ୍ଚଳରେ 'ୱାକିଂ ଲାଇବ୍ରେରୀ' ଭାବେ ଘରେ ଘରେ ପରିଚିତ। ଏ ବୟସରେ ବି ବହି ପ୍ରତି ରାଧାମଣି କେପିଙ୍କ ଭଲପାଇବା, ନିଜ କାମ ପ୍ରତି ତାଙ୍କ ସମର୍ପଣ ମନୋଭାବ, ପୁଣି ଘରେ ଘରେ ସାଧାରଣ ଲୋକଙ୍କ ପାଖରେ ବହି ନେଇ ପହଞ୍ଚାଇବାର ଆଗ୍ରହ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ। କି ଖରା, କି ବର୍ଷା ସବୁଦିନେ ସେ ଅନ୍ତତଃ ନିଜ ବ୍ୟାଗ୍ରେ ୩୦ରୁ ୪୦ଖଣ୍ଡ ବହି ଧରି ୬ କିଲୋମିଟର ବାଟ ଚାଲି ଚାଲି ପ୍ରତି ଘରେ ନେଇ ଆଗ୍ରହୀ ମହିଳମାନଙ୍କୁ ବହି ପଢ଼ିବା ପାଇଁ ଦେଇ ଆସନ୍ତି।
ୱୟାନାଦର ଭେଲ୍ଲାମୁଣ୍ଡା ଅନ୍ତର୍ଗତ ମୋଥକର୍ରାରେ ରୁହନ୍ତି ରାଧାମଣି ଓ ସେଇ ଗାଁର ପ୍ରତିଭା ପବ୍ଲିକ୍ ଲାଇବ୍ରେରୀ(୧୯୬୧ରେ ସ୍ଥାପିତ)ରେ ଚାକିରି କରନ୍ତି। ୨୦୧୨ ମସିହାରେ ସେ ନିଜ ସିନିୟରଙ୍କ ଠାରୁ ଏହି ୱାକିଂ ଲାଇବ୍ରେରିଆନ୍ର ଦାୟିତ୍ଵ ଗ୍ରହଣ କରିଥିଲେ। ସେବେଠାରୁ ପୂରା ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରି ଆସୁଛନ୍ତି ସେ। ବର୍ଷର ଏମିତି କୌଣସି ଦିନ ନ ଥାଏ, ଯେଉଁଦିନ ରାଧାମଣିଙ୍କୁ ହସ ହସ ମୁହଁରେ ନିଜ ବହି ବ୍ୟାଗ୍ ସହ ୱୟାନାଦର ରାସ୍ତାରେ ଚାଲିକି ଯାଉଥିବାର ଦେଖିବାକୁ ମିଳେ ନାହିଁ।
ନିଜର ଏହି କର୍ତ୍ତବ୍ୟନିଷ୍ଠା ବଳରେ ସେ ଆଜି ସ୍ଥାନୀୟ ଅଞ୍ଚଳର ଅନେକଙ୍କ ଭିତରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିପାରିଛନ୍ତି। ଆଦିବାସୀବହୁଳ ଏହି ଅଞ୍ଚଳର ମହିଳାମାନେ ଆଗରୁ ଅତି ବେଶିରେ କେବଳ 'ମଙ୍ଗଳମ୍' ଓ 'ମନୋରମା' ଭଳି କେତେକ ସ୍ଥାନୀୟ ପତ୍ରିକା ନେଇ ପଢୁଥିବା ବେଳେ ଏବେ ସେମାନେ ଉପନ୍ୟାସ ବ୍ୟତୀତ ଅନ୍ୟାନ୍ୟ ବହି ମଧ୍ୟ ଆଗ୍ରହରେ ପଢୁଛନ୍ତି। ରବିବାର ଦିନ ଛୁଟିଦିନ ହୋଇଥିଲେ ବି ରାଧାମଣି ଘରେ ରହି ବିଶ୍ରାମ ନେବାକୁ ପସନ୍ଦ କରନ୍ତି ନାହିଁ। ବରଂ ସପ୍ତାହର ଅନ୍ୟ ଦିନଗୁଡିକରେ ନିଜ ଘର ଓ ଚାଷ କାମ (ଅନେକ MGNREGA ଅଧୀନରେ ମଧ୍ୟ କାମ କରନ୍ତି) ଆଦିକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଥିବା ସ୍ଥାନୀୟ ମହିଳାମାନେ ରବିବାର ଦିନ ହିଁ ପ୍ରାୟତଃ ଘରେ ରହୁଥିବାରୁ ସେମାନଙ୍କ ପାଇଁ ଏଇ ଦିନରେ ହିଁ ବହି ନେଇ ପଢ଼ିବାରେ ସୁବିଧା ହୋଇଥାଏ। ତେଣୁ ଛୁଟିଦିନରେ ବି ରାଧାମଣି ଲୋକଙ୍କ (ବିଶେଷ କରି ମହିଳାଙ୍କ) ନିକଟରେ ବହି ପହଞ୍ଚାଇବାରେ ହେଳା କରି ନଥା'ନ୍ତି।
ଲାଇବ୍ରେରୀରେ ଉପଲବ୍ଧ ବହି ସବୁକୁ ନେଇ ରାଧାମଣି ଏକ ରେଜିଷ୍ଟର ରଖିଥା'ନ୍ତି। ଆଉ ପରିବାର ପିଛା ଦୁଇଟି କରି ବହି ଦେଇଥା'ନ୍ତି। ଲାଇବ୍ରେରୀର ସଦସ୍ୟ ହେବା ପାଇଁ ଗୋଟିଏ ପରିବାରକୁ ପ୍ରତି ମାସରେ ଅଳ୍ପ କିଛି ଟଙ୍କା ଦେବାକୁ ପଡ଼ିଥାଏ। ଆଉ ପ୍ରତିଥର ଦୁଇଟି ବହି ପାଇଁ ସମ୍ପୃକ୍ତ ପରିବାରକୁ ଦେବାକୁ ପଡ଼ିଥାଏ ମାତ୍ର ୫ଟଙ୍କା। ଦେଇଥିବା ବହିକୁ ପୁଣି ୮ଦିନ ପରେ ଫେରାଇ ଆଣି ସେମାନଙ୍କୁ ନୂଆ ବହି ପଢିବାକୁ ଇସ୍ୟୁ କରିଥା'ନ୍ତି ରାଧାମଣି। ଏହିପରି ଭାବେ ମାସକୁ ପ୍ରାୟ ୫୦୦ ଖଣ୍ଡ ବହି ସେ ବିତରଣ କରିଥା'ନ୍ତି।
ନିଜେ ମାତ୍ର ଦଶମ ଯାଏ ପାଠ ପଢିଥିଲେ ବି ବହି ପ୍ରତି ତାଙ୍କ ଆଗ୍ରହ ଅସୀମ। ପିଲାଦିନୁ ବହି ପଢ଼ିବାକୁ ବହୁତ ଭଲ ପାଉଥିବା ରାଧାମଣି ଲାଇବ୍ରେରୀର ପ୍ରାୟ ସବୁ ବିଭାଗରୁ ବହି ନେଇ ପଢିଥା'ନ୍ତି। ଏଇ ଅଭ୍ୟାସ ଦ୍ୱାରା ତାଙ୍କ ଜ୍ଞାନର ପରିସୀମା ବୃଦ୍ଧି ପାଇବା ବ୍ୟତୀତ ବହି ସହ ତାଙ୍କ ବନ୍ଧୁତା ମଧ୍ୟ ବଢିଛି। ସେ କହନ୍ତି, ତାଙ୍କ ବାପା ପଢ଼ି ଜାଣି ନ ଥିବାରୁ ପିଲା ଦିନେ ସେ ହିଁ ତାଙ୍କୁ ବିଭିନ୍ନ ବହି ପଢ଼ି ଶୁଣାଉ ଥିଲେ ତଥା ଦେଶ-ବିଦେଶର ଖବର ସବୁ ବି। ଏପରିକି ଘରର କୌଣସି ଜିନିଷ କିମ୍ବା ଲୁଗାପଟା ଆଦି ଯେଉଁ ପେପରରେ ଗୁଡ଼ା ହୋଇ ଆସୁଥିଲା, ସେସବୁକୁ ସେ ଆଗ୍ରହରେ ପଢ଼ି ପକାଉଥିଲେ। କାରଣ ବହି ଓ ଲେଖକମାନଙ୍କ ଭିନ୍ନ ଦୁନିଆ ତାଙ୍କୁ ସବୁ ବେଳେ ଚମତ୍କୃତ କରୁଥିଲା।
ଆଉ ଲାଇବ୍ରେରୀରେ ଚାକିରି କରିବା ପରେ ବହି ପ୍ରତି ତାଙ୍କ ମମତା ଓ ମନର ନିବିଡ଼ତା ମଧ୍ୟ ବଢ଼ିଛି। ଏହା ବ୍ୟତୀତ ସେ କେବେ ବି କାହିଁକି ନିଜ କାମ କଲା ସମୟରେ ଯିବା ଆସିବା ପାଇଁ କୌଣସି ଗାଡ଼ିର ସାହାଯ୍ୟ ନିଅନ୍ତି ନାହିଁ, ତା'ର ଉତ୍ତରରେ କହନ୍ତି- ତାଙ୍କୁ ନିଜ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ରାସ୍ତା ଦେଇ ଚାଲି ଚାଲି ଯିବାକୁ ଭଲ ଲାଗେ। ତା ଛଡ଼ା ଚାଲି ଚାଲି ଯିବା ଦ୍ୱାରା ସେ ସୁସ୍ଥ ମଧ୍ୟ ରୁହନ୍ତି। ଏପରିକି କୋଭିଡ୍ ମହାମାରୀ ବ୍ୟାପିବା ସମୟରେ ମଧ୍ୟ ସେ ନିଜ କାମ ବନ୍ଦ କରି ନଥିଲେ। ବହି ପ୍ରତି ତାଙ୍କ ଭଲ ପାଇବା ଦେଖିଲେ ବେଳେ ବେଳେ ଏମିତି ମନେ ହୁଏ ଯେ, ଯେମିତି ବହମାନେ ବି ତାଙ୍କୁ ନିଜର ପ୍ରିୟ ବନ୍ଧୁଭାବେ ଗ୍ରହଣ କରି ନେଇଛନ୍ତି।
କେରଳର ଏଇ ଦୁଇ ରାଧାମଣି ଏବେ ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣାଦାତ୍ରୀ। ଆଉ ବାସ୍ତବରେ ପ୍ରମାଣିତ କରି ଦେଇଛନ୍ତି ଯେ, ଇଚ୍ଛା, ଆଗ୍ରହ ତଥା ନିଷ୍ଠା ଥିଲେ ଯେ କୌଣସି କାମ କଠିନ ହୋଇ ରହେ ନାହିଁ ଏବଂ ଅଧିକ ବୟସ କେବେ ହେଲେ କର୍ତ୍ତବ୍ୟ ପାଳନ ଦିଗରେ କିମ୍ବା ନିଜ ମନ ପସନ୍ଦର କାମ କରିବାରେ ପ୍ରତିବନ୍ଧକ ସାଜେ ନାହିଁ।