ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଶ୍ରୀଲଙ୍କା ଓ ପାକିସ୍ତାନରେ ଆୟୋଜିତ ହେବ ଏସିଆ କପ୍ ୨୦୨୩ । ଆଇସିସି ଇଭେଣ୍ଟକୁ ଛାଡ଼ିଦେଲେ, ଏହା ବିଶ୍ୱର ସବୁଠାରୁ ବଡ଼ ସୀମିତ ଓଭର୍ ଟୁର୍ଣ୍ଣାମେଣ୍ଟ । ଏଥର ଏସିଆ କପ୍ (ଦିନିକିଆ ଫର୍ମାଟ୍ରେ ଖେଳାଯିବ) ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏହା ଦିନିକିଆ ବିଶ୍ୱକପ୍ର ଏକ ମାସ ପୂର୍ବରୁ ଖେଳାଯାଉଛି।
ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜରିଆରେ ଅଂଶଗ୍ରହଣକାରୀ ଟିମ୍ଗୁଡ଼ିକ ନିଜ ନିଜ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ କରିବାକୁ ପ୍ରୟାସ କରିବେ । ଏହା କ୍ରିକେଟ୍ ମହାସମର ପୂର୍ବରୁ ୱାର୍ମଅପ୍ ଟୁର୍ଣ୍ଣାମେଣ୍ଟ ଭଳି ହେବ।
ଏସିଆ କପ୍ରେ ଭାରତ, ପାକିସ୍ତାନ ଓ ନେପାଳ ଗ୍ରୁପ୍-ଏ’ରେ ରହିଥିବା ବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଟିମ୍ ରହିଛନ୍ତି। ଭାରତୀୟ ଟିମ୍ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।
ଅଧିକ ପଢ଼ନ୍ତୁ: ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା
Also Read
ପ୍ରତି ଗ୍ରୁପ୍ରୁ ଶୀର୍ଷ ଦୁଇ ଟିମ୍ ସୁପର୍-୪ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୩ ମ୍ୟାଚ୍ ଖେଳାଯିବ - ଚାରି ମ୍ୟାଚ୍ ପାକିସ୍ତାନ ଓ ନଅ ମ୍ୟାଚ୍ ଶ୍ରୀଲଙ୍କା ଆୟୋଜନ କରିବ। ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୭ରେ କଲମ୍ବୋ ଠାରେ ଖେଳାଯିବ।
ତେବେ ବଡ଼ ପ୍ରଶ୍ନ ହେଉଛି କିଏ ଜିତିବ ଏସିଆ କପ୍ର ୧୬ତମ ସଂସ୍କରଣ - ଭାରତ, ପାକିସ୍ତାନ, ଶ୍ରୀଲଙ୍କା ନା ବାଂଲାଦେଶ? ପୂର୍ବ ଥର ଏହା ଟି-୨୦ ଫର୍ମାଟ୍ରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଫାଇନାଲ୍କୁ ବି ଯାଇପାରି ନ ଥିଲା । ଏଥର ଦିନିକିଆ ଫର୍ମାଟ୍ରେ ଖେଳାଯିବାକୁ ଥିବା ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟକୁ ଜିତିପାରିବ କି ରୋହିତ ସେନା?
ଏସିଆ କପ୍ ଇତିହାସରେ ଭାରତ ସବୁଠାରୁ ସଫଳ ଟିମ୍ ଭାବେ ସାତ ଥର ମୁକୁଟ ଜିତିଥିବା ବେଳେ ଶ୍ରୀଲଙ୍କା ଛଅ ଥର ଚାମ୍ପିଅନ୍ ହୋଇଛି । ପାକିସ୍ତାନ ଦୁଇ ଥର ମୁକୁଟ ବିଜୟୀ ହୋଇଥିବା ବେଳେ ଅନ୍ୟ କେହି ଟ୍ରଫି ଉଠାଇପାରି ନାହାନ୍ତି।
କାଗଜ-କଲମରେ ଟିମ୍ ଇଣ୍ଡିଆ ମଜଭୁତ ଜଣାପଡ଼ୁଥିଲେ ବି ରୋହିତ ସେନା ଆଗରେ ଅନେକ ଚାଲେଞ୍ଜ୍ ରହିଛି। ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ୍ ଭାରତରେ ଖେଳାଯିବ। ତେଣୁ ଭାରତୀୟ ଟିମ୍ ଏସିଆ କପ୍ ଜିତିବା ଜରୁରୀ। ଏଥିରେ ବିଜୟ ସ୍ଥଳେ ଟିମ୍ର ମନୋବଳ ବଢ଼ିବ, ବିଶ୍ୱକପ୍ରେ ବିଜୟ ଆଶା ଉଜ୍ଜ୍ୱଳ ହେବ।
କିନ୍ତୁ ପରାଜୟ ସ୍ଥଳେ ଟିମ୍ ପ୍ରଶ୍ନବାଣର ସମ୍ମୁଖୀନ ହେବ। ଅନେକ ପରୀକ୍ଷାନିରୀକ୍ଷା କରିଆସୁଥିବା ଚୟନ କମିଟି ଓ ଟିମ୍ ମ୍ୟାନେଜ୍ମେଣ୍ଟ ସମାଲୋଚନାର ଶରବ୍ୟ ହେବେ। ରୋହିତଙ୍କ ନେତୃତ୍ୱ-ଦକ୍ଷତାକୁ ନେଇ ବି ପ୍ରଶ୍ନ ଉଠିବ। ତୃତୀୟ ଥର ବିଶ୍ୱକପ୍ ବିଜୟର ସ୍ୱପ୍ନ ଦିଗହରା ହେବ।
ଟିମ୍ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା:
ଏସିଆ କପ୍ ପାଇଁ ନିକଟରେ ୧୭ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏଥିରେ ପ୍ଲସ୍ ପଏଣ୍ଟ ହେଉଛି ଯଶପ୍ରୀତ ବୁମ୍ରାଙ୍କ ଉପସ୍ଥିତି । ସେ ଆସିବା ଦ୍ୱାରା ବୋଲିଂ ଲାଇନ୍-ଅପ୍ ସଶକ୍ତ ହେବ।
ପୂର୍ବ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ବୁମ୍ରା ଆଘାତଜନିତ ସମସ୍ୟା ଯୋଗୁଁ ଖେଳିପାରି ନ ଥିଲେ। ନିକଟରେ ସେ ଆୟରଲାଣ୍ଡ ଗସ୍ତରେ ଟି-୨୦ ସିରିଜ୍ ଖେଳି ନିଜ ଫିଟ୍ନେସ୍ ଓ ଫର୍ମ ସାବ୍ୟସ୍ତ କରିଛନ୍ତି। ସେହି ସିରିଜ୍ରେ ଅନ୍ୟତମ ପେସର୍ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଘାତରୁ ସୁସ୍ଥ ହୋଇ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିଲେ।
ତେବେ କେବଳ ବୁମ୍ରା ଓ ପ୍ରସିଦ୍ଧ ନୁହନ୍ତି, ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ମଧ୍ୟ ଫିଟ୍ ହୋଇ ଦିନିକିଆ ଟିମ୍କୁ ଫେରିଛନ୍ତି। ରାହୁଲ ଏବେ ମ୍ୟାଚ୍ ଫିଟ୍ ନାହାନ୍ତି, ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ଖେଳିପାରନ୍ତି। କିନ୍ତୁ ଶ୍ରେୟାସ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଏହି ଦୁଇ ଖେଳାଳି ବିଶେଷକରି ଶ୍ରେୟାସଙ୍କ ଉପସ୍ଥିତି ଟିମ୍ ପାଇଁ ଯଥେଷ୍ଟ ଗୁରୁତ୍ୱ ରଖେ।
ଶ୍ରେୟାସଙ୍କ ଅନୁପସ୍ଥିତିରେ ବ୍ୟାଟିଂରେ ଚାରି ନମ୍ବର ସ୍ଥାନ ଟିମ୍ ପାଇଁ ଚିନ୍ତାର ବିଷୟ ରହିଆସିଛି। ଏହି ସ୍ଥାନରେ ଶ୍ରେୟାସ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଚର୍ଚ୍ଚିତ ସ୍ଥାନ ପାଇଁ ଶ୍ରେୟାସଙ୍କ ଛଡ଼ା ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କୁ ମଧ୍ୟ ଚୟନ କରାଯାଇଛି।
ମୁଖ୍ୟତଃ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଏସିଆ କପ୍ ଟିମ୍ ମନୋନୀତ କରାଯାଇଛି। ରୋହିତ ଶର୍ମା ଓ ଶୁଭମନ ଗିଲ୍ ଇନିଂସ୍ ଓପନ୍ କରିପାରନ୍ତି। ୱାନ୍-ଡାଉନ୍ରେ ବିରାଟ କୋହଲି ଆସିବା ପ୍ରାୟତଃ ନିଶ୍ଚିତ। ୱିକେଟ୍କିପର୍-ବ୍ୟାଟର୍ ଭାବେ ରାହୁଲ ଓ ଈଶାନ କିଶନ ଏବଂ ଅଲ୍ରାଉଣ୍ଡର୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ଶାର୍ଦ୍ଦୂଳ ଠାକୁର ରହିଛନ୍ତି।
ବୋଲିଂ ବିଭାଗରେ ବୁମ୍ରାଙ୍କ ନେତୃତ୍ୱାଧୀନ ପେସ୍ ଆକ୍ରମଣରେ ବିଶେଷଜ୍ଞ ଭାବେ ମହମ୍ମଦ ଶାମୀ, ମହମ୍ମଦ ସିରାଜ (ହାର୍ଦ୍ଦିକ ଓ ଶାର୍ଦ୍ଦୂଳ ବି ରହିବେ) ଥିବା ବେଳେ ସ୍ପିନ୍ ଆକ୍ରମଣରେ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ (ଜାଡ଼େଜା ଓ ଅକ୍ଷରଙ୍କ ସମେତ) ଅଛନ୍ତି।
ଭାରତୀୟ ଟିମ୍ ଶକ୍ତିଶାଳୀ ଜଣାପଡ଼ୁଥିଲେ ବି ଟିମ୍ରେ କେତେକ ଦୁର୍ବଳତା ବି ରହିଛି। ଶ୍ରେୟାସ ଟିମ୍କୁ ଫେରିଥିଲେ ବି ସେ ଏସିଆ କପ୍ ପୂର୍ବରୁ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନାହାନ୍ତି। ତେଣୁ ତାଙ୍କୁ ଟୁର୍ଣ୍ଣାମେଣ୍ଟରେ ହିଁ ଉଭୟ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ ହେବ। ତାଙ୍କ ବିକଳ୍ପ ଭାବେ ଥିବା ସୂର୍ଯ୍ୟକୁମାର ଦିନିକିଆରେ ଭଲ ପ୍ରଦର୍ଶନ କରି ନ ପାରିବା ଚିନ୍ତାର ବିଷୟ। ସେହିପରି ଓପନିଂ ବ୍ୟାଟର୍ ଶୁଭମନ ଗିଲ୍ଙ୍କ ପ୍ରଦର୍ଶନରେ ବେଳେବେଳେ ନିରନ୍ତରତା ରହୁ ନାହିଁ।
ଆଉ ଏକ ସମସ୍ୟା ହେଉଛି ବୋଲିଂ ଲାଇନ୍-ଅପ୍ରେ ଲେଗ୍-ସ୍ପିନର୍, ଅଫ୍-ସ୍ପିନର୍ ଓ ବାମହାତି ପେସର୍ଙ୍କ ଅଭାବ। ଲେଗ୍ ସ୍ପିନର୍ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରିଷ୍ଟ ସ୍ପିନର୍ କୁଲଦୀପଙ୍କୁ ଅଗ୍ରାଧିକାର ଦିଆଯାଇଛି। କୁଲଦୀପଙ୍କୁ ରଖାଯିବା ଭଲ କଥା, ହେଲେ ଜଣେ ଲେଗ୍ ସ୍ପିନର୍ଙ୍କୁ ରଖାଯିବାର ଆବଶ୍ୟକତା ଥିଲା। ଏପରିକି ଟିମ୍ରେ ଅଫ୍ସ୍ପିନର୍ ବି ନାହାନ୍ତି।
ଶ୍ରୀଲଙ୍କାରେ ପ୍ରାୟତଃ ସ୍ପିନ୍-ଅନୁକୁଳ ପିଚ୍ ମିଳିଥାଏ। କିନ୍ତୁ ଟିମ୍ରେ ଦୁଇ ଜଣ ବାମହାତି ଅର୍ଥୋଡକ୍ସ ବୋଲର୍ (ଜାଡ଼େଜା ଓ ଅକ୍ଷର) ଓ ଜଣେ ରିଷ୍ଟ ସ୍ପିନର୍ଙ୍କୁ ନିଆଗଲା।
ସେହିପରି କୌଣସି ବାମହାତି ପେସର୍ଙ୍କୁ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା ଯେତେବେଳେକି ଜୟଦେବ ଉନାଦକଟ ଓ ଅର୍ଶଦୀପ ସିଂହଙ୍କ ଭଳି ଦୁଇ ବାମହାତି ପେସର୍ ଉପଲବ୍ଧ ଅଛନ୍ତି। ଏପରି ସ୍ଥଳେ ବୋଲିଂ ଆକ୍ରମଣରେ ବିବିଧତାର ଅଭାବ ସମସ୍ୟା ସୃଷ୍ଟି କରିପାରେ।
ବିପକ୍ଷ ଟିମ୍ଗୁଡ଼ିକ କେତେ ଶକ୍ତିଶାଳୀ:
ଟିମ୍ ଇଣ୍ଡିଆ ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସବୁବେଳେ ବଡ଼ ଚାଲେଞ୍ଜ୍ ରହିଆସିଛି। ପୂର୍ବ ଏସିଆ କପ୍ରେ ରୋହିତଙ୍କ ଟିମ୍ ଲିଗ୍ ମ୍ୟାଚ୍ରେ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା। ଅବଶ୍ୟ ତାହା ଟି-୨୦ ଫର୍ମାଟ୍ ଥିଲା। ସେତେବେଳେ ବୁମ୍ରା, ଶ୍ରେୟାସଙ୍କ ଭଳି ଖେଳାଳି ଟିମ୍ରେ ନ ଥିଲେ।
ତେବେ ଦିନିକିଆରେ ଦୃଶ୍ୟପଟ ଭିନ୍ନ ହୋଇପାରେ। ପ୍ରଦର୍ଶନ ଓ ଅଭ୍ୟାସ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାକିସ୍ତାନ ଠାରୁ ଆଗରେ ଅଛି ବୋଲି କୁହାଯାଇପାରେ। ତା’ଛଡ଼ା ଦିନିକିଆରେ ଶ୍ରୀଲଙ୍କା ଓ ବାଂଲାଦେଶ ସେତେ ଶକ୍ତିଶାଳୀ ନୁହନ୍ତି।
ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଲଙ୍କା ବ୍ୟାଟର୍ ସ୍କଟ୍ଲାଣ୍ଡ ଓ ନେଦରଲାଣ୍ଡ୍ସ ଭଳି ଟିମ୍ ବିପକ୍ଷରେ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ଟିମ୍ରେ ଆଘାତଜନିତ ଓ କରୋନା ସଂକ୍ରମଣଜନିତ ସମସ୍ୟା ବି ରହିଛି। ବାଂଲାଦେଶ ଟିମ୍ରେ ଶାକବ୍ ଅଲ୍ ହସନ୍ ଓ ମେହଦୀ ହସନ୍ଙ୍କ ଭଳି ଦକ୍ଷ ଅଲ୍ରାଉଣ୍ଡର୍ ଥିଲେ ବି ଟିମ୍ ପାଖରେ ଟ୍ରଫି ଜିତିବାର ସାମର୍ଥ୍ୟ କମ। ତଥାପି ଏହି ଦୁଇ ଟିମ୍ ‘ଜାଏଣ୍ଟ କିଲର୍’ ସାବ୍ୟସ୍ତ ହୋଇପାରନ୍ତି। ଆଫଗାନିସ୍ତାନ ମଧ୍ୟ ପ୍ରଭାବିତ କରିପାରେ।
ଅତଏବ, ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ। ଟିମ୍ ଆଗରେ ଗୋଟିଏ ଲକ୍ଷ୍ୟ ରହିବ ଏସିଆ କପ୍ ବିଜୟ। ଟୁର୍ଣ୍ଣାମେଣ୍ଟର ବଡ଼ ମ୍ୟାଚ୍ ବିଶ୍ୱକପ୍ ପାଇଁ ପର୍ଫେକ୍ଟ ଟିମ୍ ସଂଯୋଜନା ଖୋଜିବାରେ ବି ସହାୟତା କରିବ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)