ବର୍ଷ ତମାମ ବନ ବିଭାଗ ନଜରରେ ରହିବେ ମହାବଳ । ଜଙ୍ଗଲ ରାଜାର ଗତିବିଧିକୁ ଟ୍ରାକ୍ କରିବ କ୍ୟାମେରା ଟ୍ରାପ । ପ୍ରତିବର୍ଷ ପ୍ରକାଶ ପାଇବ ରାଜ୍ୟ ବାଘ ଗଣନା ରିପୋର୍ଟ । ରାଜ୍ୟସରକାରଙ୍କ ପ୍ରଥମ ନିଜସ୍ୱ ବାଘ ଗଣନା ରିପୋର୍ଟରୁ ଓଡ଼ିଶାରେ ମହାବଳ ସଂଖ୍ୟା ୫୦ ଭାଗ ବଢ଼ି ୩୦ରେ ପହଞ୍ଚିବା ପରେ ଆଜି ଏମିତି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
Also Read
ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନ୍ଟିସିଏ ଦ୍ୱାରା ପ୍ରକାଶିତ ୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ରାଜ୍ୟରେ ମାତ୍ର ୨୦ଟି ମହାବଳ ଥିଲେ । ଯେଉଁଥିରୁ ୧୬ଟି କେବଳ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିଲେ । ତେବେ ନିକଟରେ ସମାପ୍ତ ହୋଇଥିବା ରାଜ୍ୟ ବାଘ ଗଣନା ରିପୋର୍ଟ କହୁଛି, ଶିମିଳିପାଳରେ ଅଛନ୍ତି ୨୭ଟି ମହାବଳ ସହ ୮ଟି ବାଘ ଶାବକ। ଏମିତିକି କେନ୍ଦୁଝର, ପାରଳାଖେମୁଣ୍ଡି ଓ ସମ୍ବଲପୁରର ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳ ଠାବ ହୋଇଛି । ଏହା ରାଜ୍ୟରେ ମହାବଳ ସଂଖ୍ୟା ବୃଦ୍ଧି ନେଇ ଏକ ଶୁଭ ସଙ୍କେତ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।
ରାଜ୍ୟରେ ବାଘ ସଂଖ୍ୟା ବଢ଼ିଥିଲେ ବି ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଶିମିଳିପାଳର ମେଲାନିଷ୍ଟିକ୍ ଟାଇଗର ବା କଳା ବାଘଙ୍କ ବଂଶବୃଦ୍ଧି। ୨୦୨୨ରେ ଶିମିଳିପାଳରେ ୧୦ଟି କଳା ବାଘ ଥିଲା ବେଳେ ଏବେ ଏ ସଂଖ୍ୟା ୧୩କୁ ବଢ଼ିଛି। ଇନ୍ ବ୍ରିଡିଂ ବା ସମବଂଶୀଙ୍କ ମଧ୍ୟରେ ମେଟିଂ ଫଳରେ ଜିନ୍ଗତ ସମସ୍ୟାରୁ କଳାବାଘଙ୍କ ସଂଖ୍ୟା ବଢ଼ୁଛି ।
୧୦ ବର୍ଷ ତଳେ ଶିମିଳିପାଳରେ ମୋଟ ମହାବଳ ବାଘରୁ କଳାବାଘଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତରେ ସୀମିତ ଥିଲା ବେଳେ ଏବେ ଏହା ୪୦ ପ୍ରତିଶତରେ ପହଞ୍ଚିଲାଣି। ଏଭଳି ସ୍ଥିତି ଲାଗି ରହିଲେ, ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଥିବା ଏ କଳାବାଘଙ୍କ ସଂଖ୍ୟା ବଢ଼ିଯିବ, ଯାହାକି ବାଘବଂଶ ଲୋପର ବି କାରଣ ପାଲଟିପାରେ ବୋଲି ଆଶଙ୍କା ପ୍ରକାଶ କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ। ତେବେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ମେଲାନିଷ୍ଟିକ୍ ଟାଇଗର ସଂଖ୍ୟା ବୃଦ୍ଧିରେ ରୋକ୍ ଲଗାଇବାକୁ ଏନ୍ଟିସିଏର ସହଯୋଗରେ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡ଼ିବାକୁ ଯୋଜନା କରାଯାଉଛି।
ଶିମିଳିପାଳରେ ସଂଖ୍ୟା ବଢ଼ୁଥିବାରୁ ମହାବଳ ନୂଆ ଇଲାକା ସନ୍ଧାନ କରୁଛି। ଯେଉଁଥିପାଇଁ ଗୋଟିଏପଟେ କେନ୍ଦୁଝର, ହଦଗଡ଼ ଓ କୂଳଡିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଥିବା ବେଳେ ଅନ୍ୟପଟେ ଜନବସତି ବିସ୍ଥାପନ ସମସ୍ୟା ଯୋଗୁଁ ମହାବଳ ବନ୍ଧ୍ୟାଦୋଷରୁ ମୁକୁଳିପାରୁନି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ।