କେବେ ପୂରା ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ବି ସବୁଠି କାମ ଅଧା-ଅଧୁରା

୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ ।

Srimandir Parikrama Prakalpa

କେବେ ସମ୍ପୂର୍ଣ୍ଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ବି ଚାଲିଛି ନିର୍ମାଣ କାମ । ଅଧୁରା ରହିଛି ଶ୍ରୀ ସେତୁ ଓ ଶ୍ରୀଦାଣ୍ଡ । ଭଙ୍ଗା ଯାଇଥିବା ରଘୁନନ୍ଦନ ଲାଇବ୍ରେରୀ କଥାକୁ ସମସ୍ତେ ଯେପରି ଭୁଲି ଯାଇଛନ୍ତି । ଏପରିକି ମଠଗୁଡ଼ିକର ପୁନଃନିର୍ମାଣ ସମୟରେ କେବଳ ସାଦା ଖଣ୍ଡୋଲାଇଟ୍ ପଥର ବ୍ୟବହାର କରି, କାରୁକାର୍ଯ୍ୟ କଥା ଭୁଲି ଯାଇଛନ୍ତି ।

୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ । ନିର୍ବାଚନ ପୂର୍ବରୁ ଗତ ଜାନୁଆରୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରବରିଆ ଭାବେ ପ୍ରକଳ୍ପ ଲୋକାର୍ପଣ କରିଦେଲେ ସିନା ହେଲେ ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିଲାନି ପ୍ରକଳ୍ପ । ଏବେ ବି ଶ୍ରୀମନ୍ଦିର ଆଖପାଖରେ ଛୋଟ ବଡ଼ ଅନେକ କାମ ଚାଲିଛି। ଏମାର୍ ମଠ, ବଡ଼ଛତା ମଠ, ପଞ୍ଜାବୀ ମଠର ପୁନଃ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନି । ପ୍ରକଳ୍ପ ପରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିବା ଶ୍ରୀ ଦାଣ୍ଡ ଓ ଶ୍ରୀସେତୁ ବି ଅଧୁରା ରହିଛି । ବହୁ ପୁରାତନ ରଘୁନନ୍ଦନ ଲାଇବ୍ରେରୀକୁ ଭଙ୍ଗା ଯାଇଥିଲା । ବିଜେଡି ସରକାର କଥା ଦେଇଥିଲେ ପୁନଃ ନିର୍ମାଣ ପାଇଁ, ତାହା ବି ହେଇପାରିଲାନି । ଆଉ ଜଗନ୍ନାଥ ରିସେପସନ୍ ସେଣ୍ଟର୍ କଥା ଯେମିତି ଭୁଲି ଯାଇଛନ୍ତି ସମସ୍ତେ । ସେହିପରି ଭକ୍ତଙ୍କ ପାଇଁ ନା ଆବଶ୍ୟକ ମୁତାବକ ବସିବା ଜାଗା ଅଛି ନା ପାଣି କିମ୍ବା ଅନ୍ୟ ଆନୁସଙ୍ଗିକ ସୁବିଧା ।

ପ୍ରକଳ୍ପ ନିର୍ମାଣ ବେଳେ ଓଡ଼ିଆ କଳା ଓ ସଂସ୍କୃତି ନଷ୍ଟ ହେବା ନେଇ ଲୋକେ ଆଶଙ୍କା ପ୍ରକଟ କରିଥିଲେ । ତାହା ଯେମିତି ଏବେ ସତ ହେବାକୁ ବସିଛି । ଉତ୍କଳୀୟ ଢାଞ୍ଚାରେ ମଠ ଓ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବେ କେବଳ ସାଦା ଖଣ୍ଡୋଲାଇଟ୍ ପଥରରେ ନିର୍ମାଣ କରି ବାକି ସବୁ କଥା ଭୁଲି ଯାଇଛନ୍ତି । ଶ୍ରୀମନ୍ଦିର ଚାରିପାଖେ ଥିବା ଏମାର, ମଙ୍ଗୁ, ପଞ୍ଜାବୀ, ତ୍ରିମାଳୀ, ରେବେଶା ମଠ ଅବସ୍ଥା ଦେଖିଲେ ସହଜରେ ଅନୁମୟ ।

ଖାଲି ଏତିକି ନୁହେଁ, ଶ୍ରୀମନ୍ଦିର ପରମ୍ପରା ସହ ଅଙ୍ଗାଅଙ୍ଗି ଭାବେ ଜଡ଼ିତ ଝୁଲଣ ଯାତ୍ରା ବି ସଙ୍କୋଚିତ ହେବାକୁ ବସିଛି । ମଠ ସଂକୀର୍ଣ୍ଣ ହେବା ସହ ମନ୍ଦିରଗୁଡ଼ିକ ଆଉ ନାହିଁ । ତେଣୁ ଅନେକ ମଠରେ ବନ୍ଦ ହୋଇଯାଇଛି ଝୁଲଣ ଯାତ୍ରା । ଅପରପକ୍ଷେ ପ୍ରକଳ୍ପ ଅଧୁରା ରହିଥିବା ସ୍ବୀକାର କରିବା ସହ ସବୁ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ।

ପରିକ୍ରମା ପ୍ରକଳ୍ପ ସମେତ ଶ୍ରୀକ୍ଷେତ୍ରର ବିକାଶ ପାଇଁ ୪ ହଜାର ୨୨୪ କୋଟିର ଅନୁଦାନ ମଞ୍ଜୁର କରାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ବେ ନା କାମ ସଂପୂର୍ଣ୍ଣ ହୋଇପାରୁଛି ନା ମଠ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟ ବଜାୟ ରହିପାରିଲା, ଯାହା ଭକ୍ତମାନଙ୍କୁ ବ୍ୟଥିତ କରିଛି ।