Advertisment

ପୁରୀରେ ବ୍ରତ ପାଳିବାକୁ ଯାଇ ହନ୍ତସନ୍ତ ହବିଷ୍ୟାଳୀ !

ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ ।

Puri habisiali

Puri habisiali

Advertisment

ହବିଷ୍ୟାଳି ହନ୍ତସନ୍ତ । ଜିଦ୍ ଧରି ଧାରଣା । କହୁଛନ୍ତି- ସରକାରୀ ଶିବିରକୁ ଯିବୁ, ସେଇଠି ରହି କାର୍ତ୍ତିକ କରିବୁ । ପୁରୀ ବୃନ୍ଦାବତୀ ନିବାସ ଆଗରେ ଧାରଣାରେ ବସିଛନ୍ତି ଶହ ଶହ ହବିଷ୍ୟାଳି। କାହାର ଅଣ୍ଟା ନଇଁ ଯାଇଛି ତ କାହା ବୟସ ୮୦ ଟପିଛି। ଆସନ୍ତାକାଲିଠୁ ମହାକାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ପହଞ୍ଚିବା ପରେ କେଉଁଠି ରହିବେ ? କେଉଁ ଶିବିରକୁ ଯିବେ ? ସେ ସୂଚନା ପାଇଁ ଖୋଜି ଖୋଜି ନୟାନ୍ତ ହେବା ପରେ, ଶେଷରେ ବୃନ୍ଦାବତୀ ନିବାସ ଆଗରେ ଦେଇଛନ୍ତି ଧାରଣା।

Advertisment

ସେଇଠି ନାଁ ରେଜିଷ୍ଟ୍ରେସନ ହେଉଥିବା ଖବର ପାଇ ଆସିଥିଲେ, ହାତରେ ରେଜିଷ୍ଟ୍ରେସନ ଫର୍ମ ବି ଧରିଥିଲେ। ହେଲେ ଅନଲାଇନରେ ସେମାନଙ୍କ ଆବେଦନ ମଞ୍ଜୁରି ହୋଇନଥିବାରୁ ତାଙ୍କୁ ଶିବିରକୁ ଛଡ଼ାଯିବ ନାହିଁ ବୋଲି ଦାୟିତ୍ୱରେ ଥିବା କର୍ମଚାରୀ ସଫା ସଫା ଶୁଣାଇଥିଲେ, ଯାହାକୁ ନେଇ ବଢ଼ିଛି କ୍ଷୋଭ। ଦୀର୍ଘ ସମୟ ଧରି ଗେଟ୍ ଆଗରେ ଚାଲିଥିଲା ଠେଲାପେଲା ଓ ହଲ୍ଲାପଟା।

ସେମାନଙ୍କ ଅଭିଯୋଗ, ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଅବେଦନ ୬ ତାରିଖରୁ ଆରମ୍ଭ ହୋଇ ୧୧ ଯାଏଁ ଚାଲିବାକୁ ସରକାର କହିଥିଲେ। ହେଲେ ୭ ଓ ୮ ତାରିଖ ବେଳକୁ ହଠାତ୍ ତାହା ବନ୍ଦ ହୋଇଗଲା। ଯେହେତୁ ସେମାନଙ୍କର ଏ ସମ୍ପର୍କରେ ଜ୍ଞାନ କମ୍, ତେଣୁ ପ୍ରତିବର୍ଷ ଭଳି ସିଧା ପୁରୀ ଆସିଛନ୍ତି । ସରକାର ତୁରନ୍ତ ସେମାନଙ୍କ ରହଣୀ ବ୍ୟବସ୍ଥା କରନ୍ତୁ।

Advertisment

ତେବେ ଏଠି ପ୍ରଶ୍ନ- ଶ୍ରୀକ୍ଷେତ୍ରକୁ କାର୍ତ୍ତିକ ବ୍ରତ କରିବାକୁ ଆସି କାହିଁକି ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି ? କାହା ତ୍ରୁଟିରୁ ସେମାନଙ୍କ ଦହଗଞ୍ଜ ଅବସ୍ଥା ? ସୂଚନା ଦେଇ ହବିଷ୍ୟାଳି ଶିବିର ତଦାରଖ ଦାୟିତ୍ୱରେ ଥିବା ପୁରୀର ଅତିରିକ୍ତ ଜିଲ୍ଲାପାଳ କହିଥିଲେ-ଚଳିତ ବର୍ଷ ଅଢ଼େଇ ହଜାର ହବିଷ୍ୟାଳିଙ୍କ ମାଗଣା ରହଣି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ତିନିଟି ସ୍ଥାନ ଯଥାକ୍ରମେ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନରେ ଶିବିର ଖୋଲାଯାଇଛି ।

ଯେହେତୁ ଏଥର ୩ ହଜାର ୬୫୦ ଜଣ ନାଁ ପଞ୍ଜିକରଣ କରିଥିଲେ, ସେଥି ମଧ୍ୟରୁ ସ୍କୃଟିନିଂ କରାଯାଇ ୨ ହଜାର ୫୦୦ ଆବେଦନକାରୀଙ୍କ ପାଖକୁ ମେସେଜ୍ ଯାଇଛି। ଯେଉଁମାନେ ମେସେଜ୍ ଦେଖାଉଛନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ରହଣୀ ସ୍ଥଳକୁ ପଠାଯାଉଛି। ତେବେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ହହିଷ୍ୟାଳିଙ୍କୁ ରଖିବା ବନ୍ଦୋବସ୍ତ ନଥିବାରୁ, ଅନ୍ୟମାନଙ୍କୁ ଫେରାଇ ଦିଆଯାଉଛି।

Advertisment

ସେପଟେ ପୁରୀରେ ହବିଷ୍ୟାଳିଙ୍କ ଅସୁବିଧା ଉପରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ କହିଛନ୍ତି-ହବିଷ୍ୟାଳିଙ୍କ ନାଁ ପଂଜୀକରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ଥିଲା, ତା ଭିତରେ ଆବେଦନ କରିଥିଲେ ଭଲ ହୋଇଥାନ୍ତା । ସେମାନଙ୍କ ପାଇଁ ହେଲ୍ପ ଲାଇନ୍ ଜାରି କରାଯିବ, ରହଣିରେ ଅସୁବିଧା ହେଲେ ସେ ମାଧ୍ୟମରେ ଜଣାଇ ପାରିବେ।

ତେଣେ ଯେଉଁ ହବିଷ୍ୟାଳିମାନେ ମାସେକାଳ ମାଗଣା ଶିବିରରେ ରହି କାର୍ତ୍ତିକ ବ୍ରତ ପାଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ଖୁସି କହିଲେ ନସରେ।

Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ