ଛାନିଆ କରୁଛି STAର ସ୍ପେଶାଲ ଡ୍ରାଇଭ୍, ଜାଲରେ ପଡ଼ୁଛନ୍ତି ନାବାଳକ ଡ୍ରାଇଭର୍

ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ ।

Special Drive

ଜୁଭେନାଇଲ୍ ଡ୍ରାଇଭିଂ ସହ ନିୟମ ଖିଲାପକାରୀ ଗାଡ଼ିଙ୍କୁ ଧରିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାଲିଛି ରାଜ୍ୟବ୍ୟାପୀ ଧରପଗଡ଼ । ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ । ସେପଟେ ସୁନ୍ଦରଗଡ଼ରେ ଏକ ବସ୍‌କୁ ହୋଇଛି ୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ ।

କିଏ ବିନା ହେଲମେଟରେ ତ କିଏ ଡବଲ ବସାଇ ଗାଡ଼ି ଉଡ଼େଇଛି । ପୁଣି କେଉଁଠି ଚେକିଂ ଦେଖି କିଏ ଚଟ୍ କରି ୟୁ ଟର୍ଣ୍ଣ ମାରିଲାଣି ତ ଆଉ କିଏ ଧରାପଡ଼ି ଛାଡ଼ି ଦେବାକୁ କାକୁତି ମିନତୀ କଲାଣି । ସମସ୍ତେ ହେଲେ ସ୍କୁଲ ନହେଲେ କଲେଜ ପଢୁଆ ପିଲା । ଭଦ୍ରକ, ଅନୁଗୁଳ, ରାଉରକେଲା, ବ୍ରହ୍ମପୁର ଅବା ବାଲେଶ୍ୱର ।

ରାଜ୍ୟର ପ୍ରାୟ ସବୁଆଡ଼େ ଜୁଭେନାଇଲ୍ ଡ୍ରାଇଭ ରୋକିବାକୁ କଡ଼ା ଆକ୍ସନ ମୁଡ୍‌ରେ ପରିବହନ ବିଭାଗ । ଉଦ୍ଦେଶ୍ୟ ବାରମ୍ବାର ସତର୍କ କରାଇବା ପରେ ବି ଚେତୁନଥିବା ବାପା-ମାଆଙ୍କୁ ରାସ୍ତାକୁ ଆଣିବା । ଅନୁଗୁଳ ଶିଶୁ ଉଦ୍ୟାନ ଛକର ଦୃଶ୍ୟ । ସକାଳ ୬ଟାରୁ ଚେକିଂକୁ ଓହ୍ଲାଇଥିଲେ ଆରଟିଓ ଟିମ୍ । ୨ ଚକିଆ ଯାନ ଚାଳକଙ୍କ ମଧ୍ୟରୁ ଯାହାକୁ ସନ୍ଦେହ ହେଲା, ଅଟକାଇ ବୟସ ଯାଞ୍ଚ କଲେ ।

୧୮ ବର୍ଷରୁ କମ୍ ହୋଇଥିଲେ ଓ ଡ୍ରାଇଭିଂ ଲାଇସେନସ ଦେଖାଇ ନପାରିଲେ କିଛି ଶୁଣିନଥିଲେ, ସିଧା ଗାଡ଼ି ମାଲିକ ନାଁରେ ୨୫ ହଜାର ଟଙ୍କାର ଚାଲାଣ କାଟୁଥିଲେ । ସେହିପରି ରାଉରକେଲା ଡିପିଏସ୍ ଛକରେ ସକାଳ ୬ଟାରୁ ଛକି ରହିଥିବା ଆରଟିଓ ଟିମ୍‌ର ମଧ୍ୟ ଧରପଗଡ଼ ହୋଇଛି । ଅନେକ ସ୍କୁଲ ପିଲା ଗାଡ଼ି ଧରି ଆସୁଥିଲେ, ହେଲେ ସେମାନଙ୍କ ବୟସ ଯାଞ୍ଚ କରି ମୋଟା ଅଙ୍କର ଫାଇନ୍ କଟାଯାଇଛି ।

କିଛି ଅଭିଭାବକ ହାତ ଯୋଡ଼ି ପରିବହନ ଅଧିକାରୀଙ୍କୁ ବି ନେହୁରା ହେଉଥିବାର ଚିତ୍ର ଦେଖିବାକୁ ମିଳିଥିଲା, ହେଲେ ଫ୍ଲାଇଙ୍ଗ ସ୍କ୍ୱାଡ୍ କିଛି ଶୁଣିନଥିଲେ । ସେମିତି ବାଲେଶ୍ୱର ଓ ବ୍ରହ୍ମପୁରରେ ବି ଆଜି ବହୁ ନାବାଳକ, ନାବାଳିକା ଚଳାଉଥିବା ଗାଡ଼ି ଅଟକାଇ ଫାଇନ୍ କାଟିଛି ଏନଫୋର୍ସମେଣ୍ଟ ଟିମ୍ । ସଡ଼କ ସୁରକ୍ଷା ଦୃଷ୍ଟିରୁ ଏଭଳି ଅଭିଯାନ ଅତି ଉପାଦେୟ ବୋଲି କହିଲେଣି ଅନେକ ଅଭିଭାବକ ।

ତେବେ ଖାଲି ନାବାଳକ ଡ୍ରାଇଭିଂ ନୁହେଁ ବିନା ପରମିଟ୍, ଫିଟନେସ୍ ଓ ଇନସ୍ୟୁରାନସ ନଥାଇ ଚାଲୁଥିବା ଗାଡ଼ିକୁ ବି ଗୋଡ଼େଇ ଗୋଡ଼େଇ ଧରୁଛି ଫ୍ଲାଇଂ ସ୍କ୍ୱାଡ୍ । ସୁନ୍ଦରଗଡ଼ରେ ଏକ ବସ୍ ଉପରେ ୧ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ ଲଗାଇଛି ସ୍ଥାନୀୟ ପରିବହନ ବିଭାଗ । ଗାଡ଼ିଟି ଭବାନୀପୁର କ୍ରୀଡା ଛାତ୍ରାବାସରେ ରହି ଟାଉନ୍ ହାଇସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିଲା ।

ହେଲେ ଯାଞ୍ଚ ବେଳେ ଉକ୍ତ ବସ୍‌ର କୌଣସି ଗୋଟିଏ ବି କାଗଜପତ୍ର ଠିକ୍ ନଥିବା ଜାଣିବାକୁ ପାଇଥିଲା ଆରଟିଓ ଟିମ୍ । ବସ୍‌ଟି କୋଇଡାରୁ ସମ୍ବଲପୁରକୁ ଯାତ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଥିଲା, ହେଲେ ଅଧିକ ଲାଭ ଆଶାରେ ସ୍କୁଲ ପିଲାଙ୍କୁ ନେଉଥିଲା । ତାସହ ଯାଞ୍ଚବେଳେ ଡ୍ରାଇଭରର ଲାଇସେନ୍ସ ନଥିବାରୁ ୫ ହଜାର, ବିନା ରେଜିଷ୍ଟ୍ରେସନ ପାଇଁ ୫ ହଜାର, ପରମିଟ୍ ନଥିବାରୁ ୧୦ ହଜାର, ଇନସ୍ୟୁରାନସ ପାଇଁ ୨ ହଜାର, ଗତ ମାର୍ଚ୍ଚ ମାସରୁ ଟ୍ୟାକ୍ସ ପଇଠ ହୋଇନଥିବାରୁ ସେଥିପାଇଁ ୯୪ ହଜାର ୯୮୮ ଟଙ୍କାକୁ ମିଶାଇ ମୋଟ୍ ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କାର ଚାଲାଣ କାଟି ବସକୁ ସିଜ୍ କରିଛି ପରିବହନ ବିଭାଗ ।

ସେପଟେ ସାରା ରାଜ୍ୟରେ ଗତ ଦୁଇ ଦିନ ଭିତରେ ଜୁଭେନାଇଲ୍ ଡ୍ରାଇଭିଂ ସମ୍ପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଫାଇନ୍ ଆଦାୟ ହେଲାଣି । ତେବେ ନନଷ୍ଟପ୍ ରାସ୍ତା ଦୁର୍ଘଟଣା ସହ ଅକାଳରେ ଜୀବନ ହାନୀ ରୋକିବାକୁ ଏସଟିଏର ଏ ରାଜ୍ୟବ୍ୟାପୀ ଅଭିଯାନ କେତେ ଫଳପ୍ରଦ ହେଉଛି, ଏବେ ତାହା ଦେଖିବାର କଥା ।