ୟୁକ୍ରେନ ଫେରନ୍ତା ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉନି ତ?

ଯୁଦ୍ଧର ବିଭୀଷିକାରୁ ତ ରକ୍ଷା ମିଳିଲା । ନିରାପଦରେ ଭାରତରେ ବି ପହଞ୍ଚିଲେ, ହେଲେ ଏବେ କ୍ଲାସ୍, କୋର୍ସ ଓ କ୍ୟାରିୟରକୁ ନେଇ ଦୋଛକିରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ।

Ukraine-Returned Medical Students

ଦିନକୁ ଦିନ ଜଟିଳ ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ ସ୍ଥିତି । ଥମିବା ବଦଳରେ ଏହା ଆହୁରି ଭୟଙ୍କର ହେବାରେ ଲାଗିଛି । ଆଗକୁ ସ୍ଥିତି କଣ ହେବ, ତାହା ଆକଳନ କରିବା ବି ମୁସ୍‌କିଲ । ଏଭଳି ଅବସ୍ଥାରେ ନିଜର ଶିକ୍ଷା ଏବଂ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି ୟୁକ୍ରେନରୁ ଫେରିଥିବା ମେଡିକାଲ ଛାତ୍ରଛାତ୍ରୀ । ଅନଲାଇନ କ୍ଲାସ କିଛିଟା ଆଶ୍ୱସ୍ତି ଆଣିଛି । କୋର୍ସ ପୁରା କରିବା ଲାଗି ୟୁକ୍ରେନ ସରକାର ନିୟମରେ କୋହଳ କରିବାକୁ ନିଷ୍ପତ୍ତି ବି ନେଇଛନ୍ତି । ତେବେ ଭାରତରେ ରହି କ୍ଲିନିକାଲ ପଢା ପାଇଁ ସରକାରଙ୍କ ସହୟତା ଲୋଡିଛନ୍ତି । ଛାତ୍ରଛାତ୍ରୀ ସେପଟେ ପିଲାଙ୍କ କୋର୍ସ ସାରିବା ପାଇଁ  ସରକାର ବିକଳ୍ପ ଚିନ୍ତା କରୁଥିବା ବୈଦେଶିକ ମନ୍ତ୍ରୀ ସଂସଦରେ ସ୍ପଷ୍ଟ କରିଛନ୍ତି ।

ଯୁଦ୍ଧର ବିଭୀଷିକାରୁ ତ ରକ୍ଷା ମିଳିଲା । ନିରାପଦରେ ଭାରତରେ ବି ପହଞ୍ଚିଲେ, ହେଲେ ଏବେ କ୍ଲାସ୍, କୋର୍ସ ଓ କ୍ୟାରିୟରକୁ ନେଇ ଦୋଛକିରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବା ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ । ଭୟ ଓ ଆଶଙ୍କା ଭିତରେ ଅଧା ପଢାରୁ ୟୁକ୍ରେନରୁ ଫେରିବା ପରେ ଏବେ ଅନଲାଇନ କ୍ଲାସ ହିଁ ଏକ ମାତ୍ର ଆଶସ୍ତି ।

ତେବେ ପିଲାଙ୍କ କହିବା କଥା ପ୍ରଥମ ଓ ଦ୍ୱିତୀୟ ବର୍ଷ ଅନଲାଇନ କ୍ଲାସରେ କିଛି ଅସୁବିଧା ନାହିଁ । ହେଲେ ପରେ ପ୍ରାକ୍ଟିକାଲ କ୍ଲାସ ପାଇଁ ଅସୁବିଧାର ସାମ୍ନା କରିବାକୁ ପଡିବ । କ୍ଲିନିକାଲ ସବଜେକ୍ଟ ପାଇଁ ମେଡିକାଲ ଯାଇ କ୍ଲାସ ଆଟେଣ୍ଡ କରିବା ନେଇ ଦେଖାଦେଇଛି ଅନିଶ୍ଚିତତା । ୟୁକ୍ରେନ ୟୁନିଭରସିଟି ପିଲାମାନଙ୍କୁ ଭାରତରେ ରହି ପ୍ରାକଟିସ କରିବା ପାଇଁ ଅନୁମତି ପତ୍ର ଦେଇଛନ୍ତି । ତେବେ ଏନେଇ ସେମାନଙ୍କୁ ସରକାର କିମ୍ବା ମେଡିକାଲ କାଉନସିଲ ପକ୍ଷରୁ କୌଣସି ଆଶ୍ୱସନା ମିଳିନାହିଁ ।

 

ମେଡିକାଲ କୋର୍ସ ପୁରା କରିବା ଲାଗି ନିୟମରେ କୋହଳ କରିବାକୁ ୟୁକ୍ରେନ ସରକାର ନିଷ୍ପତ୍ତି ନେଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି । ଗତକାଲି ଲୋକସଭାରେ ସେ କହିଥିଲେ ଯେ, ୟୁକ୍ରେନ୍ ସରକାର ତୃତୀୟ ବର୍ଷର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-ଓ୍ୱାନ୍‌ଙ୍କୁ ସ୍ଥଗିତ ରଖିଛନ୍ତି । ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ ।

ପାଠପଢାର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ଆସନ୍ତା ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି । ସେହିପରି ଷଷ୍ଠ ବର୍ଷର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ବିନା KROK-୨ ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ହଙ୍ଗେରୀ, ରୋମାନିଆ,ଏବଂ ପୋଲାଣ୍ଡରେ ପାଠ ପଢାର ଢାଞ୍ଚା ପ୍ରାୟତଃ ସମାନ । ତେଣୁ  ଭାରତୀୟ ଛାତ୍ରଛାତ୍ରୀମାନେ ସେଠାରେ ପାଠପଢା  ଜାରି ରଖିବା ନେଇ ସେସବୁ ରାଷ୍ଟ୍ରର ସରକାରଙ୍କ ସହ ଭାରତ  ସରକାର ଆଲୋଚନା କରୁଛନ୍ତି ।

ରୁଷ ୟୁକ୍ରେନ ଅନିଶ୍ଚିତତାର କଳା ବାଦଲ ଭିତରେ ଏବେ ପ୍ରଶ୍ନ ଏହି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲିହୋଇଯାଉନି ତ?
ରିପୋର୍ଟର- ପ୍ରଭାତ ବିଶୋଇ ଏବଂ ପବନ ତିୱାରୀ