ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ପୁନର୍ବିଚାର ନହେବା ଯାଏଁ ରୁଜୁ ହୋଇ ପାରିବନି ନୂଆ ସେଡିସନ୍ କେଶ୍

ଦେଶଦ୍ରୋହ ଆଇନ୍‌କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍‌ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।

sedition law

ସେଡିସନ୍ ଆଇନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍.ଭି.ରମଣାଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁନର୍ବିଚାର ନହେବା ଯାଏଁ ଦେଶଦ୍ରୋହ ଆଇନ୍, ଅର୍ଥାତ୍ ଆଇପିସିର ଧାରା ୧୨୪-କ ରେ ଆଉ ଯେମିତି କୌଣସି ନୂଆ ମାମଲା ରୁଜୁ ନ ହେଉ, ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ଏଥିସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପୁରୁଣା ମାମଲାରେ ଯଥାସ୍ଥିତି ବଜାୟ ରହିବ । ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଅଛନ୍ତି, ସେମାନେ ପ୍ରାଧିକୃତ କୋର୍ଟରୁ ଜାମିନ୍ ପାଇଁ ଆବେଦନ କରିପାରିବେ । ତେବେ ଏହା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ଆଇନ୍ ମନ୍ତ୍ରୀ କହିଛନ୍ତି, ‘ଆମେ ଅଦାଲତର ସ୍ୱତନ୍ତ୍ରତାକୁ ସମ୍ମାନ କରୁ’ ।

ଦେଶଦ୍ରୋହ ଆଇନର ବହୁଳ ଅପବ୍ୟହାର ହେଉଥିବା ଅଭିଯୋଗ ବହୁ ପୁରୁଣା । ତେବେ ଏହାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ ସହ ଉଚ୍ଛେଦ ଦାବିରେ ଦାୟର ମାମଲାର ଶୁଣାଣି କରି କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଥିଲେ । ବ୍ରିଟିଶ ଅମଳର ଏ ଆଇନକୁ ଏବେ ବ୍ୟବହାର କରାଯିବାର ଆବଶ୍ୟକତାକୁ ନେଇ ପ୍ରଶ୍ନ ବି କରିଥିଲେ ।

 

ତେବେ ମାମଲାରେ ଆଜିର ଶୁଣାଣି ବେଳେ ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା କହିଥିଲେ କି ମାମଲାର ଦୁରୂପଯୋଗ ରୋକିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି ହେବାକୁ ଥିବା ଏକ ନିର୍ଦ୍ଦେଶନାମା ପ୍ରସ୍ତୁତ କରୁଛନ୍ତି । ଯେଉଁଥିରେ ଏସ୍ପି କିମ୍ବା ତୁଦୁର୍ଧ ଅଧିକାରୀଙ୍କ ବିନା ଅନୁମୋଦନରେ ରାଜଦ୍ରୋହ ଅଭିଯୋଗରେ ଯେଭଳି ଏଫ୍ଆଇଆର୍ ରୁଜୁ ନ ହୁଏ, ତାହାକୁ ନିଶ୍ଚିତ କରାଯିବ ।

ସେହିପରି କୋର୍ଟରେ ଦାଖଲ ସତ୍ୟପାଠରେ ଦେଶଦ୍ରୋହ ଆଇନ୍‌ର ବୈଧତା ସଂପର୍କରେ ପୁନର୍ବିଚାର ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟ ବି ଜଣାଇ ଦିଆଯାଇଥିଲା । ତେଣୁ ଏଭଳି ସ୍ଥିତିରେ ସମୀକ୍ଷା ନସରିବା ଯାଏଁ ଏହା ଉପରେ ରୋକ୍ ନ ଲଗାଯିବାକୁ ଯୁକ୍ତି କରିଥିଲେ ଆଟର୍ଣ୍ଣି ଜେନେରାଲ୍ । ହେଲେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା କପିଲ ସିବ୍ବଲ କିନ୍ତୁ ଏହା ଉପରେ ତତ୍‌କାଳ ରୋକ୍ ଲଗାଇବାକୁ ଦାବି କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ପୁନର୍ବିଚାର ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇଛନ୍ତି । ଆସନ୍ତା ଜୁଲାଇ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ କୋର୍ଟଙ୍କ ଏଇ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ବ୍ରିଟିଶ୍ ଅମଳରେ ୧୮୭୦ ମସିହାରେ ପ୍ରଥମେ ଲାଗୁ ହୋଇଥିଲା ଏଇ ଦେଶଦ୍ରୋହ ଆଇନ୍ । ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ ଏବେ ପୂରା ଭାରତରେ ୮ଶହରୁ ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଛି, ଯେଉଁଥିରେ ପ୍ରାୟ ୧୩ ହଜାର ଲୋକ ଜେଲ୍‌ରେ ଅଛନ୍ତି ।

ରିପୋର୍ଟର- ସୌମ୍ୟରଞ୍ଜନ ସାହୁ