Advertisment

ନୂଆ ରୂପରେ ବାବା ମହାକାଳଙ୍କ ପ୍ରାଙ୍ଗଣ, ଶୋଭା ପାଉଛି ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି

କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା।

ଅଦ୍ୟତନ ହୋଇଛି
PM Modi Ujjain Mahakal Corridor Inauguration

Mahakal Temple

Advertisment

ଦେବଦେବ ମହାଦେବଙ୍କ ଭକ୍ତିରେ ତଲ୍ଲିନ ମଧ୍ୟପ୍ରଦେଶର ମହାକାଳ ନଗରୀ- ଉଜ୍ଜୈନ। ସମସ୍ତଙ୍କ କପାଳରେ ଶୋଭାପାଉଛି ଇଷ୍ଟଦେବ ମହାକାଳେଶ୍ୱରଙ୍କ ପବିତ୍ର ନାମ। ଉଜ୍ଜୈନବାସୀ ହୁଅନ୍ତୁ ଅବା ବାହାର ରାଜ୍ୟର ଶିବଭକ୍ତ, ସମସ୍ତେ ଖୁସିରେ ଗଦଗଦ... ଦେବଦେବ ମହାଦେବଙ୍କ ପୀଠର ଏହି ଦିବ୍ୟ ତଥା ଭବ୍ୟ ରୂପକୁ ଦେଖି ଶିବମୟ ମହାକାଳଲୋକ। ଶିବ ପୂରାଣର ବିଭିନ୍ନ କଥା, ବିଭିନ୍ନ ଗାଥା ଖୋଦିତ ହୋଇଛି ମହାକାଳେଶ୍ୱର କରିଡରର ପ୍ରତିଟି କୋଣ ଅନୁକୋଣରେ। କେଉଁଠି ଶିବଙ୍କ ତାଣ୍ଡବ, ତ ଆଉ କେଉଁଠି ମହାଦେବଙ୍କ ଅସୁର ସଂହାରକ ରୂପ।

Advertisment

ଶୋଭା ବଢ଼ାଉଛି କମଳ କୁଣ୍ଡ ବା ପଦ୍ମ ପୁଷ୍କରିଣୀରେ ଧ୍ୟାନରତ ଆଦିଯୋଗୀଙ୍କ ବିଶାଳ ମୂର୍ତ୍ତି, ତା ସାଙ୍ଗକୁ ସୁଉଚ୍ଚ ଶିବସ୍ତମ୍ଭ। ୯ଶହ ମିଟର କରିଡର୍ କଡ଼େକଡ଼େ କାରୁକାର୍ଯ୍ୟପୂର୍ଣ୍ଣ ୧୦୮ଟି ତ୍ରିଶୂଳ ସ୍ତମ୍ଭ। ସେଥିରେ ଖୋଦିତ ହୋଇଛି ବିଭିନ୍ନ ମୁଦ୍ରାର ଶିବ ତାଣ୍ଡବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପରେ, ନୂଆ ରୂପରେ ଆତ୍ମପ୍ରକାଶ କରିଛି ବାବା ମହାକାଳଙ୍କ ପ୍ରାଙ୍ଗଣ।

୮୫୬ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ପ୍ରାୟ ୫୦ ହେକ୍ଟର ଜମିରେ ନିର୍ମାଣ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ଖର୍ଚ୍ଚ ହୋଇଛି ୩୧୬ କୋଟି। ରାଜସ୍ଥାନ ବଂଶୀ ପାହାଡ଼ପୁରରୁ ଅଣାଯାଇଥିବା ସ୍ବତନ୍ତ୍ର ପଥରରେ ଏହିସବୁ କଳାକୃତି ନିର୍ମାଣ କରିଛନ୍ତି ରାଜସ୍ଥାନ, ଗୁଜରାଟ ଏବଂ ଓଡ଼ିଶା ରୁ ଯାଇଥିବା ଭାସ୍କର୍ଯ୍ୟ ଶିଳ୍ପୀ।  କରିଡରରେ ରହିଛି ନନ୍ଦି ଦ୍ୱାର ଓ ପିନାକୀ ଦ୍ୱାର। ନନ୍ଦି ଦ୍ୱାର ଦେଇ କରିଡର ମଧ୍ୟରେ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ନନ୍ଦି ଦ୍ୱାରରେ ପ୍ରବେଶ କଲା ପରେ ନିର୍ମାଣ ହୋଇଛି ବିରାଟ ଅଗଣା।

Advertisment

ନନ୍ଦି ଦ୍ୱାରରୁ ୪ ମିଟର ଅର୍ଥାତ୍ କରିଡରର ଠିକ୍ ମଝିରେ ରହିଛି ପୌରାଣିକ କଥାବସ୍ତୁ ସମୁଦ୍ର ମନ୍ଥନ ଉପରେ ଆଧାରିତ କଳାକୃତି। ସେହିପରି କରିଡର ମଧ୍ୟରେ ଦେବଦେବ ମହାଦେବଙ୍କ ଉତ୍ପତ୍ତି ଓ ରହସ୍ୟକୁ ନେଇ ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ହୋଇଛି। କରିଡର ମଧ୍ୟରେ ରହିଛି ରୁଦ୍ରସାଗର ହ୍ରଦ ଓ ମହାକାଳ ବାଟିକା।  ରୁଦ୍ରସାଗର ଲେକର ପୁନରୁଦ୍ଧାର କରାଯିବା ସହ ଆକର୍ଷଣୀୟ ଜଳଫୁଆରା ନିର୍ମାଣ କରାଯାଇଥିବା ବେଳେ, ମହାକାଳ ବାଟିକାରେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶକୁନ୍ତଳମ୍‌ରେ ବର୍ଣ୍ଣିତ ରୁଦ୍ରାକ୍ଷ, ବଉଳ, କଦମ୍ବ, ବେଲ ଓ ସପ୍ତଫେଣୀ ଆଦି ୪୦ରୁ ୫୦ ପ୍ରଜାତିର ଗଛ ଲାଗିଛି। କରିଡରର ଅପରୂପ ସୌନ୍ଦର୍ଯ୍ୟ ଭକ୍ତି ଭାବ ଉଦ୍ରେକ କରିବା ସହ ଶ୍ରଦ୍ଧାଳୁଙ୍କ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି।

ଏହି ଭବ୍ୟ କରିଡରକୁ ଅଧିକ ଆକର୍ଷଣୀୟ କରିବ ଏଠାରେ ପ୍ରସ୍ତାବିତ ରୋପ୍ ୱେ। ଉଜୈନ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ଦୀର୍ଘ ରୋପ୍ ୱେ ନିର୍ମାଣ କରାଯିବ। ବୃଦ୍ଧବୃଦ୍ଧା ଓ ଶାରିରୀକ ଭିନ୍ନକ୍ଷମଙ୍କ ସୁବିଧା ଲାଗି ରୋପ୍ ୱେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡକରିଙ୍କୁ ଅନୁରୋଧ କରିଥିଲେ। ୨୧୦ କୋଟିର ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଟେଣ୍ଡର ଡକାଯାଇଛି। ୧୮ ମାସ ସମୟ ଭିତରେ ନିର୍ମାଣ କାମ ଶେଷ କରାଯିବ।

Advertisment
Ujjain Mahakal Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ