ନୂଆବର୍ଷରୁ ନୂଆ ନିୟମ ! ସାରନ୍ତୁ ଏସବୁ କାମ, ନଚେତ୍ ହଇରାଣରେ ପଡ଼ିପାରନ୍ତି . . .

ସରିବାକୁ ବସିଛି ବର୍ଷ ୨୦୨୧। ଆସିବାକୁ ବସିଲାଣି ୨୦୨୨। ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ।

ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ

୨୦୨୧ ଶେଷ ହେବାକୁ ଆଉ ମାତ୍ର କେଇଟା ଦିନ ବାକି । ଆସିବ ନୂତନ ବର୍ଷ ୨୦୨୨ । ନୂଆବର୍ଷ ଆରମ୍ଭରୁ ଲାଗୁ ହେବ ନୂଆ ନିୟମ । ଏଥି ପାଇଁ ୨୦୨୧ ସରିବା ପୂର୍ବରୁ ସାରି ଦିଅନ୍ତୁ ସବୁ କାମ । ନଚେତ୍ ଆପଣ ହଇରାଣରେ ପଡିପାରନ୍ତି । ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭିନ୍ନ ଆର୍ଥିକ କାରବାର ସଂପର୍କିତ କାମ ଶେଷ କରିବାକୁ ସରକାର ଡେଡଲାଇନ ଦେଇଛନ୍ତି । ତେଣୁ ବର୍ଷ ସରିବା ପୂର୍ବରୁ କାମ ଶେଷ କରିବା ଆବଶ୍ୟକ ।  

ଆୟକର ରିଟର୍ଣ୍ଣ ଦାଖଲ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଚଳିତ ମାସ ୩୧ ତାରିଖକୁ ରଖାଯାଇଛି । ପୂର୍ବରୁ ଏହି ତାରିଖକୁ ସରକାର ଦୁଇଥର ‌ଘୁଞ୍ଚାଇଛନ୍ତି । ପ୍ରଥମେ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ଏବଂ ପରେ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ଶେଷ ତାରିଖ ବଢ଼ାଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁ ତାରିଖ ବୃଦ୍ଧି କରାଯାଇଛି । ଆୟକର ରିଟର୍ଣ୍ଣ ତାରିଖ ବୃଦ୍ଧି ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ଲୋକମାନେ ଏଥିପାଇଁ ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ କାମ ‌ସାରିଦେବା ଆବଶ୍ୟକ ।

ଜୀବନ ପ୍ରମାଣପତ୍ର ଦାଖଲ

ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ନଭେମ୍ବର ୩୦ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଥାଏ । କିନ୍ତୁ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବା ଲାଗି ସମୟ ବଢ଼ାଯାଇଛି । ପେନସନ ପାଇବାରେ ଅସୁବିଧା ନହେବା ପାଇଁ ଉକ୍ତ ପ୍ରମାଣପତ୍ର ଦାଖଲର ଆବଶ୍ୟକତା ରହିଛି ।

ଡିମାଟ୍‌ ଆକାଉଣ୍ଟରେ କେୱାଇସି ସୂଚନା

ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟରେ କେୱାଇସି ସୂଚନାକୁ ଯୋଡ଼ିବା ଲାଗି ସେବି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛି । ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହା କରିବାକୁ କୁହାଯାଇଥିଲା । କିନ୍ତୁ ପରେ ସେବି ଏହାକୁ ଡିସେମ୍ବର ୩୧ ଯାଏ ବଢ଼ାଇଛି ।

ନୂଆ ବର୍ଷ ଆରମ୍ଭରୁ ପକେଟ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି । କରୋନା କଟକଣା ହଟିବା ପରେ ଅର୍ଥନୀତି ଧୀରେ ଧୀରେ ସୁଧୁରୁଛି ।

ସବୁ ଜିନିଷ ମହଙ୍ଗା ହେଉଥିବା ବେଳେ ଏ ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ କରିଦେବା ଭଲ । ଏହା ନକଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।