ନିର୍ଭୟ ଓ ପରାକ୍ରମୀ କାରଗିଲ ଗର୍ଲ ’ଗୁଞ୍ଜନ୍ ସକସେନା”

ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା

କାରଗିଲ ଯୁଦ୍ଧରେ ଏକମାତ୍ର ମହିଳା ପାଇଲଟ

News Summary

ଗୁଳିଗୋଳା କମାଣକୁ ଖାତିର ନଥିଲା 

ଯୁଦ୍ଧ ସମୟରେ ଆହତ ସୈନିକଙ୍କୁ ଯୁଦ୍ଧଭୂମିରୁ ନେଇ ବେସ୍‍ କ୍ୟାମ୍ପରେ ପହଞ୍ଚାଉଥିଲେ ଗୁଞ୍ଜନ୍

କାରଗିଲ ଯୁଦ୍ଧର ବୀରଙ୍ଗନା ଗୁଞ୍ଜନ୍ ସକସେନା । ମନରେ ତିଳେମାତ୍ରେ ଭୟ ନଥିଲା । ଶତ୍ରୁ ଆଖିରେ ଆଖି ମିଶାଇ ବିମାନ ଉଡ଼ାଉଥିଲେ । ଏକମାତ୍ର ମହିଳା ଭାବେ ଭାରତର ପକ୍ଷରୁ ଲଢ଼େଇ କରିଥିଲେ ଭାରତ ମାତାର ସୁପୁତ୍ରୀ । କାରଗିଲ ବିଜୟ ଦିବସରୁ ୨୨ ବର୍ଷ ପୂରି ଥିବା ବେଳେ ଦେଶବାସୀ ବୀରପୁତ୍ରଙ୍କ ସ୍ମୃତିଚାରଣ କରି ଗୌରବାନ୍ୱିତ ମନେ କରୁଛନ୍ତି । ଶତ୍ରୁ ଦେଶ ପାକିସ୍ତାନର ନଜର ଭାରତ ଉପରେ ଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେବା ସହ ମାଟି ମା’ର ମହତ ରଖିଥିଲେ ଭାରତୀୟ ବୀର ଯବାନ । ଆଉ ସେମାନଙ୍କ ମଧ୍ୟରେ ସାମିଲ ଥିଲେ କାରଗିଲ ଗର୍ଲ ଗୁଞ୍ଜନ୍ ।

ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା । ଯୁଦ୍ଧ ଆରମ୍ଭରୁ ହିଁ ତାଙ୍କୁ ଶ୍ରୀନଗର ଯିବାକୁ କୁହାଯାଇଥିଲା । ତେବେ ସେନା ଅଧିକାରୀଙ୍କ ଝିଅ ଗୁଞ୍ଜନଙ୍କ ପାଇଁ ଏହା କୌଣସି କଷ୍ଟସାଧ୍ୟ କାମ ନଥିଲା । ଯୁଦ୍ଧରେ ଯୋଗ ଦେବା ପୂର୍ବରୁ ଫୋନ୍ ମାଧ୍ୟମରେ ସେ ପିତାମାତାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଜଣେ ସେନା ଅଧିକାରୀ ହୋଇଥିବାରୁ ତାଙ୍କ ପିତା ଜଣେ ଯବାନର କର୍ତ୍ତବ୍ୟକୁ ଭଲଭାବେ ହୃଦୟଙ୍ଗମ କରିଥିଲେ ଓ ଝିଅକୁ ଖୁସି ଖୁସି ଯୁଦ୍ଧକୁ ଯିବାପାଇଁ ଅନୁମତି ଦେଇଥିଲେ ।

ଭାରତ ଓ ପାକିସ୍ତାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କାହାକୁ ଜଣାନଥିଲା ଏହା ଏତେ ଭୟଙ୍କର ରୂପ ନେବ । ଶ୍ରୀନଗରରେ ସେତେବେଳେ ଚାରୋଟି ହେଲିକପ୍ଟର ମୁତୟନ ଥିଲା । ଆଉ ସେଥିମଧ୍ୟରୁ ହେଲିକପ୍ଟର ଚିତା ଉଡାଉଥିଲେ ଗୁଞ୍ଜନ । ଦଶ ଜଣ ପାଇଲଟଙ୍କ କ୍ରୁରେ ସେ ଏକମାତ୍ର ମହିଳା ଥିଲେ । ଆଉ ଏଥିପାଇଁ ସହକର୍ମୀଙ୍କୁ କିଛି ସମୟ ପାଇଁ ଏହାକୁ ପସନ୍ଦ କରିନଥିଲେ । କିନ୍ତୁ ସମୟ ଅତିବାହିତ ହେବା ପରେ ସମସ୍ତେ ଗୁଞ୍ଜନଙ୍କ ଭୂମିକାକୁ ବୁଝିପାରିଥିଲେ ।

୩ ହଜାର ଫୁଟ ଉଚ୍ଚତାରେ ଗୁଞ୍ଜନ ହେଲିକପ୍ଟରକୁ ହେଲିପ୍ୟାଡରେ ଅବତରଣ କରିପାରୁଥିଲେ ଗୁଞ୍ଜନ, ଯାହା କୌଣସି ନବାଗତ ପାଇଲଟଙ୍କ ପାଇଁ ସହଜ ନଥିଲା । ପାକିସ୍ତାନୀ ସେନାର ଗୁଳିବର୍ଷଣ ଭିତରେ ଆହତ ସୈନିକଙ୍କୁ ଯୁଦ୍ଧଭୂମିରୁ ନେଇ ବେସ୍‍ କ୍ୟାମ୍ପରେ ପହଞ୍ଚାଉଥିଲେ । ଏହା ସହିତ ସେନା ନିକଟରେ ଔଷଧ, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ପହଞ୍ଚାଉଥିଲେ । ଲଗାତାର ୨୦ଦିନ ଧରି କାରଗିଲ ଯୁଦ୍ଧଭୂମିରେ ଚିତା ହେଲିକପ୍ଟର ଉଡାଇଥିଲେ ଗୁଞ୍ଜନ ।