୨୦୦୧ରେ ଟେରରିଷ୍ଟ ଆଟାକ୍, ୨୦୨୩ରେ ସ୍ମୋକ୍ ଆଟାକ୍; କେତେ ସୁରକ୍ଷିତ 'ପାର୍ଲାମେଣ୍ଟ' ?

ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।

what is smoke cans ?

୨୦୦୧ରେ ଟେରରିଷ୍ଟ୍ ଆଟାକ୍, ୨୦୨୩ରେ ସ୍ମୋକ୍ ଆଟାକ୍। ସେଇ ମାସ ଓ ସେଇ ତାରିଖରେ ପୁଣି ଟାର୍ଗେଟରେ ପାର୍ଲାମେଣ୍ଟ । ଦୀର୍ଘ ୨୨ ବର୍ଷ ପରେ ପୁଣି ସଂସଦ ଭବନରେ ହଡ଼କଂପ, ସାରା ଦେଶରେ ହଇଚଇ । ୨୦୦୧ ପାର୍ଲାମେଣ୍ଟ ଆଟାକରେ ପ୍ରାଣବଳି ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପରାଷ୍ଟ୍ରପତି, ବାଚସ୍ପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହ ସବୁ ଦଳ ସାଂସଦ। ଆଉ ଠିକ୍ ମଧ୍ୟାହ୍ନ ପରେ ପରେ ଲୋକସଭା ଭିତରେ ଘଟିଗଲା ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ସଂସଦ ଭବନକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିବା ପାଇଁ ନିୟୋଜିତ ଥାଆନ୍ତି ପାର୍ଲାମେଣ୍ଟ ସିକ୍ୟୁରିଟି ସର୍ଭିସ୍, ଦିଲ୍ଲୀ ପୋଲିସ, ପାର୍ଲାମେଣ୍ଟ ଡ୍ୟୁଟି ଗ୍ରୁପ୍ ଓ ଅନ୍ୟ ସହଯୋଗୀ ସୁରକ୍ଷା ସଂସ୍ଥା । ବହୁ ସ୍ତରୀୟ ସୁରକ୍ଷା ବଳୟ ଟପିବା ପାଇଁ ଡୋର୍-ଫ୍ରେମ୍ ମେଟାଲ୍ ଡିଟେକ୍ଟର, ମଡର୍ଣ୍ଣ ଗ୍ୟାଜେଟ୍, ରେଡିଓ ଫ୍ରିକ୍ୱେନ୍ସି ଟ୍ୟାଗ୍ ଏବଂ ସୁରକ୍ଷା କର୍ମୀଙ୍କ ତୀକ୍ଷ୍ଣ ନଜରର ସାମ୍ନା କରିବାକୁ ପଡ଼ିଥାଏ। ଅସ୍ତ୍ରଶସ୍ତ୍ର ତ ଦୂରର କଥା, ମୋବାଇଲ ନେବାକୁ ବି ଅନୁମତି ନ ଥାଏ । ଅତିକମ୍‌ରେ ୩ ଥର ଯାଞ୍ଚ ହୁଏ ବ୍ୟାଗ୍‌ପତ୍ର । ତେବେ ଏଠି ପ୍ରଶ୍ନ ଉଠୁଛି, ଏତେସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସଂସଦ ଭବନ ଭିତରକୁ ସନ୍ଦିଗ୍ଧ ସାମଗ୍ରୀ ଧରି ସେମାନେ ପଶିଲେ କେମିତି ? ଭିଜିଟର୍ସ ଗ୍ୟାଲେରିର କର୍ଡନ ଟପି ଲୋକସଭାକୁ ଡେଇଁବା ବେଳେ ତାଙ୍କୁ କାହିଁକି ରୋକିପାରିଲେନି ସୁରକ୍ଷାକର୍ମୀ ? ସେମାନେ ପ୍ରତିବାଦ ପ୍ରଦର୍ଶନ ପାଇଁ ଠିକ୍ ଆଜିର ଦିନକୁ ବାଛିବାର କାରଣ କ’ଣ ? ଏହା ପଛରେ ରହିଛି କି ଅନ୍ୟ କୌଣସି ସନ୍ଦିଗ୍ଧ ଶକ୍ତିର ଭୂମିକା ?

ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଓଟିଭିକୁ ଦେଇଥିବା ସୂଚନା ଅନୁସାରେ, ଭିଜିଟର୍ସ ପାସ୍ ପାଇଁ ଆବେଦନକାରୀଙ୍କୁ ସାଂସଦ କିମ୍ବା ଲୋକସଭା ଓ ରାଜ୍ୟସଭା ସଚିବାଳୟ ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏଥିପାଇଁ ତାଙ୍କୁ ନାଁ ଓ ଠିକଣା ଥିବା ଆଧାର କାର୍ଡ ଦାଖଲ କରିବା ସହ ଦିଲ୍ଲୀରେ କେଉଁଠି ରହୁଛନ୍ତି ବୋଲି ମଧ୍ୟ ଜଣାଇବାକୁ ପଡ଼ିଥାଏ। ଜଣେ ସାଂସଦ ଦିନକୁ ଅତିବେଶୀରେ ୨ଟି ପାସ୍ ଅନୁମୋଦନ ପାଇଁ ସୁପାରିଶ କରିଥାନ୍ତି । ଭିଜିଟର୍ସ ପାସରେ ସଂପୃକ୍ତ ସାଂସଦଙ୍କ ନାଁ ଓ ସ୍ୱାକ୍ଷର ସହିତ ଏକ ୟୁନିକ୍ ଆଇଡି ନମ୍ବର ରହିଥାଏ । ପାସ୍ ପାଉଥିବା ବ୍ୟକ୍ତିଙ୍କୁ ସଂସଦ ଭବନ ଭିତରକୁ ଯିବା ପାଇଁ ୩ଟି ସୁରକ୍ଷା ଗେଟ୍ ଓ ମେଟାଲ ଡିଟେକ୍ଟର ଭିତର ଦେଇ ଯିବାକୁ ପଡ଼ିଥାଏ । ଭିତରକୁ ମୋବାଇଲ ନେବା ମଧ୍ୟ ମନା ଥାଏ । ତେବେ ଆଜିର ଘଟଣା ପରେ ଭିଜିଟର୍ସ ଗ୍ୟାଲେରିରେ ପ୍ରବେଶ ଉପରେ ରୋକ ଲାଗିଛି।

ଅଧିକାଂଶ ଦେଶରେ ସ୍ମୋକ୍ କ୍ୟାନ୍ ଖୋଲା ବଜାରରେ ମିଳିଥାଏ ଏବଂ ଏହାକୁ ଲୋକମାନେ ଫଟୋସୁଟ୍‌, ସ୍ପେଶାଲ୍ ଇଫେକ୍ଟ ପାଇଁ ବ୍ୟବହାର କରନ୍ତି । ଫ୍ୟାନମାନେ ଫୁଟବଲ ମ୍ୟାଚ ବେଳେ ନିଜ ଫେଭରିଟ କ୍ଲବକୁ ଚିୟର ଅପ୍ କରିବା ପାଇଁ ଏହି କ୍ୟାନ୍ ସ୍ପ୍ରେ କରି ସେହି ରଙ୍ଗର ଧୂଆଁ ଉଡ଼ାନ୍ତି। ମିଲିଟାରୀ ଅପରେସନ ବେଳେ ମଧ୍ୟ ଶତ୍ରୁ ନଜରରୁ ବର୍ତ୍ତିବା ଲାଗି, ଏହାକୁ ସ୍ମୋକ୍ କ୍ଲାଉଡ୍ ଭାବେ ବ୍ୟବହାର କରାଯାଏ । ହେଲେ ଚିନ୍ତାର ବିଷୟ ହେଉଛି, ଆଜି ଯଦି ସଂସଦ ଭବନ ଭିତରେ ଦୁର୍ବୃତ୍ତମାନେ ଏହି ରଙ୍ଗୀନ ଗ୍ୟାସ୍ ବଦଳରେ କୌଣସି ବିଷାକ୍ତ ଗ୍ୟାସ୍ ସ୍ପ୍ରେ କରିଥାନ୍ତେ, ତେବେ ପରିସ୍ଥିତି କେତେ ଭୟାବହ ହୋଇଥାନ୍ତା ।