୧୫ ଅଗଷ୍ଟରେ ପ୍ରଥମ ଥର ପାଇଁ ସ୍ୱଦେଶୀ ତୋପରେ ଦିଆଗଲା ସଲାମୀ

ଏହାର ବିଶେଷତ୍ତ୍ୱ ହେଉଛି ଏହା କମାଣ୍ଡ, କଣ୍ଟ୍ରୋଲ, କମ୍ୟୁନିକେସନସ, କଂପ୍ୟୁଟର ଓ ଇଣ୍ଟେଲିଜେନ୍ସ ଇନପୁଟ୍ ନେଇ କାମ କରିପାରିବ ।

Howitzer Gun

ଆଜି ସ୍ୱାଧିନତା ଦିବସ ଅବସରରେ ପ୍ରଥମ ଥର ପାଇଁ ସ୍ୱଦେଶୀ ନିର୍ମିତ ହାଓଇଜର ଗନ୍ ଏଟିଏଜିରେ ତୋପ ସଲାମୀ ଦିଆଯାଇଛି । ଏହି ହାଓଇଜର ଗନଟି ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା-ଡିଆରଡିଓର ପୁଣେସ୍ଥିତ ଆର୍ମାମେଣ୍ଟ ରିସର୍ଚ ଆଣ୍ଡ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ବିକଶିତ କରାଯାଇଛି । ପୁରୁଣା କାଳିଆ ବ୍ରିଟିଶ ନିର୍ମିତ ପାଉଣ୍ଡର ଆର୍ଟିଲେରି ଗନ୍ ସହ ଏଟିଏଜିରୁ ତୋପ ସଲାମି ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ଭାଷଣରେ ଏହି ଗନ୍ କଥା ଉଠାଇଛନ୍ତି । ତେବେ ମାତ୍ର ୨ଟି ଗନକୁ ପରୀକ୍ଷାମୂଳକ ଭାବେ ଆଜି ବ୍ୟବହାର କରାଯାଇଛି । ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନ କୌଶଳ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୦୧୩ରେ ଡିଆରଡିଓ ପକ୍ଷରୁ ଏହାର ପ୍ରସ୍ତୁତି ‌ଆରମ୍ଭ ହୋଇଥିଲା । ଭାରତୀୟ ସେନାରେ ସାମିଲ ଥିବା ୧୫୫ ଏମ୍ଏମ୍ ଗନ୍ ବଦଳରେ ଭାରତୀୟ ଗନ୍ ବ୍ୟବହାର କରିବା ଲାଗି ନିଷ୍ପତ୍ତି ନିଆଯିବା ସହ ଡିଆରଡିଓ ଏହା ଉପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ।

ଏଥିଲାଗି ଡିଆରଡିଓ ସହ IRDE, VRDE, PXE, CAIRଓ DEA ସଂସ୍ଥା ସାମିଲ ହୋଇଥିଲେ । ତିନି ବର୍ଷର ଗବେଷଣା ପରେ ୨୦୧୬ରେ ଏହାକୁ ନିର୍ମାଣ ଓ ପରୀକ୍ଷା କରିବାରେ ସକ୍ଷମ ହୋଇଥିଲା । ଏହି ସ୍ୱଦେଶୀ ତୋପ ପ୍ରତି ମିନିଟରେ ୫ ଟି ସେଲ ଗୁଳି କରିପାରେ। ଦିନ ହେଉ ଅବା ରାତି ଉଭୟ ସମୟରେ ଏହି ତୋପ କାମ କରିପାରିବ। ଅନ୍ଧାର ରାତିରେ ଟାର୍ଗେଟ କରିବା ପାଇଁ ତୋପରେ ଥର୍ମାଲ୍ ସାଇଟ୍‌ ସିଷ୍ଟମ ରହିଛି । ଏହି ତୋପର ବ୍ୟାରେଲ ଲମ୍ବ ୮୦୬୦ ମି.ମି.। ହାଲୁକା ଓଜନ ହେତୁ ଏହାକୁ ଉଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ କରାଯାଇପାରିବ।

ଡିଆରଡିଓ ପରେ ୨୦୧୭ ଅଗଷ୍ଟ ଓ ସେପଟେମ୍ବରର ପୋଖରାନରେ ଏହାର ପରୀକ୍ଷା କରାଯାଇଥିଲା । ୪୮ କିଲୋମିଟର ଦୂରରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା ଏଟିଏଜିଏସ୍ । ପରେ ପରେ ବିଭିନ୍ନ ପାଗରେ ବିଭିନ୍ନ ସ୍ଥାନରେ ଆହୁରି ଅନେକ ପରୀକ୍ଷା ନୀରିକ୍ଷା କରାଯାଇଥିଲା ।

ଏହାସତ୍ତ୍ୱେ ୨୦୨୦ରେ ପୋଖରାନରେ ପରୀକ୍ଷାବେଳେ ଦୁର୍ଘଟଣା ମଧ୍ୟ ଘଟିଥିଲା । ଏବେ ସେନା ବାହିନୀରେ ନିୟୋଜନ ପାଇଁ ଡେଇରେର ଜେନେରାଲ୍ ଅଫ୍ କ୍ୱାଲିଟି ଆସ୍ୟୁରାନ୍ସର ସାର୍ଟିଫିକେଟ ଆବଶ୍ୟକ କରୁଛି । ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି । ଏହାର ବିଶେଷତ୍ତ୍ୱ ହେଉଛି ଏହା କମାଣ୍ଡ, କଣ୍ଟ୍ରୋଲ, କମ୍ୟୁନିକେସନସ, କଂପ୍ୟୁଟର ଓ ଇଣ୍ଟେଲିଜେନ୍ସ ଇନପୁଟ୍ ନେଇ କାମ କରିପାରିବ ।