ହୃଦୟ ଜିଣିଲେ ମହିଳା ପୋଲିସ୍‌ : ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବସାଇ ଘରେ ପହଞ୍ଚାଇଲେ ବର୍ଷାବେନ୍‌

ରାମକଥା ଶୁଣିବାକୁ ଯାଇଥିଲେ ବୃଦ୍ଧା । ହେଲେ ଫେରିବା ସମୟରେ ଉତ୍ତାପ ବଢ଼ିବାରୁ ଫେରି ପାରିନଥିଲେ । ଶେଷରେ ଜଣେ ମହିଳା ପୋଲିସ୍‌ ତାଙ୍କୁ କାନ୍ଧରେ ବସାଇ ଘରେ ପହଞ୍ଚାଇଥିଲେ ।

ଖାକି ବର୍ଦ୍ଦିର ମହାନତା

ଡହ ଡହ ଖରାରେ ଖାକି ବର୍ଦ୍ଦିର ମହାନତା । ପାଦ ପୋଡ଼ି ଫୋଟକା ହୋଉଯାଉଥିବା ବେଳେ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଲା ପୋଲିସ୍‌ । ଗୁଜୁରାଟର ଜଣେ ମହିଳା ପୋଲିସ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ମରୁଭୂମିର ପ୍ରବଳ ଉତ୍ତାପ ଭିତରେ ଜଣେ ବୃଦ୍ଧ ମହିଳାଙ୍କୁ ୫କିମି କାନ୍ଧରେ ବୋହି ନେଇ ଘରେ ପହଞ୍ଚାଇଛନ୍ତି । ବୃଦ୍ଧ ମହିଳା ଜଣକ ରାମକଥା ଶୁଣିବା ପାଇଁ ପାଇଁ ଗୁଜରାଟର କୁଚ୍ ସ୍ଥିତ ଏକ ମନ୍ଦିରକୁ ଯାଇଥିଲେ । ହେଲେ ଏହି ସମୟରେ ପ୍ରବଳ ଗରମ ହେତୁ ଚାଲିପାରି ଫେରି ପାରିନଥିଲେ ।

କଚ୍ଛର ଖାଦିର ଦ୍ୱୀପରେ ସ୍ଥିତ ଭଞ୍ଜଡା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଛି । ଯିବା ସମୟରେ ବହୁକଷ୍ଟରେ ଚାଲି ଚାଲି ମନ୍ଦିର ପହଞ୍ଚିଥିଲେ ୮୬ ବର୍ଷ ବୟସ୍କା ମହିଳା । ହେଲେ ଫେରିବା ସମୟରେ ଗ୍ରୀଷ୍ମର ପ୍ରକୋପ ଅଧିକ ବଢ଼ିଯାଇଥିଲା । ଫଳରେ ଘରକୁ ଫେରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା । ଖରା ସହି ନପାରି ସେ ତଳେ ପଡ଼ି ଯାଇଥିଲେ । ତେବେ ଏସମ୍ପର୍କରେ ମହିଳା କନଷ୍ଟେବଳ ବର୍ଷାବେନ୍‌ ପରମାର ଜାଣିବା ପରେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ବୃଦ୍ଧ ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ଖରାକୁ ଖାତିର ନକରି କାନ୍ଧରେ ୫ କିଲୋମିଟର ଚାଲି ଚାଲି ମହିଳାଙ୍କୁ ନିରାପଦ ଭାବରେ ଘରେ ପହଞ୍ଚାଇ ଦେଇଗଲେ । ତେବେ ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଓ ସାରା ଦେଶର ଲୋକେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଛନ୍ତି । ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସଙ୍ଗଭି ମହିଳା ପୋଲିସଙ୍କ ଏତାଦୃଶ କାର୍ଯ୍ୟ ପାଇଁ ଟ୍ୱିଟ୍‌ କରି ପ୍ରଶଂସା କହିଛନ୍ତି । କ୍ୟାପସନରେ ଲେଖିଛନ୍ତି ଖାକିର ମାନବିକତା । ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ନେଇ ସେବାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ବର୍ଷାବେନ୍ । ଅନ୍ୟପଟେ ମହିଳା ପୋଲିସ୍‌ଙ୍କୁ ବୃଦ୍ଧ ମହିଳା ଜଣକ ସାହାଯ୍ୟ ପାଇଁ ଆଶୀର୍ବାଦ ଦେଇଛନ୍ତି