Advertisment

୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ।

Demolition of Twin Tower

Demolition of Twin Tower

Advertisment

ମାତ୍ର ୯ ସେକେଣ୍ଡରେ ତାସ୍ ଘର ଭଳି ଧରାଶାୟୀ ହେଲା, ଚିରଦିନ ପାଇଁ ଇତିହାସ ପାଲଟିଗଲା ନୋଏଡ଼ାର ଚର୍ଚ୍ଚିତ ସୁପର୍‌ଟେକ୍ ଟ୍ୱିନ୍‌ ଟାଓ୍ୱାର୍‌। ମାତ୍ର ୯ ମିଟର ଦୂରତାରେ ବେଆଇନ ଭାବେ ତିଆରି ହୋଇଥିଲା ଆପେକ୍ସ ଓ ସେୟାନ୍। ଗୋଟିଏ ୩୨ ମହଲା, ଉଚ୍ଚତା ୧୦୩ ମିଟର ଆଉ ଅନ୍ୟଟି ୨୯ ମହଲା, ଉଚ୍ଚତା ୯୪ ମିଟର। ସବୁ ମହଲାର ମୁଖ୍ୟ ପିଲର୍‌ରେ ୨ ମିଟର ଗଭୀରର ୭ ହଜାରଟି କଣା କରି ଖଞ୍ଜା ଯାଇଥିଲା ୩ ହଜାର ୭ ଶହ କିଲୋଗ୍ରାମ୍ ବିସ୍ଫୋରକ। ଲାଗିଥିଲା ୨୦ ହଜାର ସର୍କିଟ୍।

Advertisment

ସିରିଜ୍ ବିସ୍ଫୋରଣ ହେବା ମାତ୍ରେ, ଓ୍ୱାଟରଫଲ୍ ଟେକ୍‌ନିକ୍‌ରେ ସିଧା ତଳକୁ ଭୁଶୁଡ଼ିଲା ୨ଟି ଯାକ କୋଠା। ଧରାଶାୟୀ ହେବାକୁ ଲାଗିଲା ୯ ସେକେଣ୍ଡ୍, ଧୂଳିର ବାଦଲ ତଳକୁ ଖସିବାକୁ ଲାଗିଲା ୧୨ ସେକେଣ୍ଡ୍। ଇଏ ଥିଲା ଧ୍ୱଂସ କରାଯିବାରେ ଭାରତର ସବୁଠୁ ଉଚ୍ଚ ଅଟ୍ଟାଳିକା। କୁହାଯାଉଛି, ଏହି ଶକ୍ତିଶାଳୀ ବିସ୍ଫୋରଣ ୩ଟି ଅଗ୍ନି ମିସାଇଲ୍ କିମ୍ବା ୧୨ଟି ବ୍ରହ୍ମୋସ୍ ଅବା ୪ଟି ପୃଥ୍ୱୀ କ୍ଷେପଣାସ୍ତ୍ରର ବିସ୍ଫୋରକ କ୍ଷମତା ସହିତ ସମାନ। ଏହି ସମୟରେ ୩୦ ମିଟର ଯାଏଁ କମ୍ପନ ଅନୁଭୂତ ହୋଇଥିଲା, ରିକ୍ଟର ସ୍କେଲ୍‌ରେ ଯାହାର ତୀବ୍ରତା ଥିଲା ୦.୪। ଏକ ୧୦ଜଣିଆ ବିଶେଷଜ୍ଞ ଟିମ୍ ଅତି ପାଖରୁ ଏହି ବିସ୍ଫୋରଣକୁ ଦେଖିଥିଲେ।

ଟ୍ୱିନ୍ ଟାଓ୍ୱାରକୁ ଧ୍ୱଂସ କରିବା ଯେତିକି କାଠିକର ପାଠ ଥିଲା, ତା’ଠୁ ବଡ଼ ଚାଲେଞ୍ଜ୍‌ ଥିଲା ଆଖପାଖ ବାସିନ୍ଦା, ଜୀବଜନ୍ତୁ ଏବଂ କୋଠାଗୁଡ଼ିକର ସୁରକ୍ଷା। ସେଥିପାଇଁ ୫୬୦ ପୋଲିସ କର୍ମଚାରୀ, ୧୦୦ ରିଜର୍ଭ ଫୋର୍ସ ଯବାନ, ୪ଟି କୁଇକ୍ ରେସ୍ପନ୍ସ ଟିମ୍ ଓ ଏନ୍‌ଡିଆରଏଫ୍ ଟିମ୍ ମୁତୟନ ହୋଇଥିଲା।

Advertisment

ସକାଳୁ ସକାଳୁ ୫ଶହ ମିଟର ପରିଧିରୁ ପ୍ରାୟ ୭ ହଜାର ଲୋକ ଓ ଶତାଧିକ ପୋଷା ଜନ୍ତୁ ଓ ବୁଲା କୁକୁରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ଗ୍ୟାସ୍ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା। ଅଧଘଣ୍ଟା ପାଇଁ ବନ୍ଦ ଥିଲା ଗ୍ରେଟର୍ ନୋଏଡ଼ା ଏକ୍ସପ୍ରେସ୍ ୱେ। ଧୂଳି ଓ ପ୍ରଦୂଷଣ ମାତ୍ରା ମାପିବାକୁ ସ୍ୱତନ୍ତ୍ର ମେସିନ୍ ବସାଯାଇଥିଲା। ଟ୍ୱିନ୍ ଟାଓ୍ୱାର୍ ଠାରୁ ମାତ୍ର ୮-୧୦ ମିଟର ଦୂରରେ ଆପାର୍ଟମେଣ୍ଟ୍‌ଗୁଡ଼ିକ ଥିବାରୁ ସେଗୁଡ଼ିକୁ ପରଦାରେ ଘୋଡ଼ାଇ ଦିଆଯାଇଥିଲା।

କାଳେ କୌଣସି କୋଠା କ୍ଷତିଗ୍ରସ୍ତ ହେବ ସେଥିପାଇଁ ସୁପର୍‌ଟେକ୍ କଂପାନୀ ଦ୍ୱାରା ଶହେ କୋଟି ଟଙ୍କାର ବୀମା କରାଯାଇଥିଲା। ଏହି ପୂରା ଧ୍ୱଂସ ପ୍ରକ୍ରିୟା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଏହାଦ୍ୱାରା ସୁପର୍‌ଟେକ୍ ମୋଟ୍ ୫ଶହ କୋଟି ଟଙ୍କା କ୍ଷତି ସହିଥିବା କହିଛି।

Advertisment

ବର୍ତ୍ତମାନ ମଧ୍ୟ କାମ ସରିନାହିଁ। ବିସ୍ଫୋରଣ ପରେ ପରିବେଶ ସଫା କରିବାକୁ ଶତାଧିକ ପାଣି ଟାଙ୍କର୍, ଆଣ୍ଟି ସ୍ମୋଗ୍ ଗନ୍ ବ୍ୟବହାର କରାଯାଉଛି ଓ ୩ ଶହ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେଣେ ପାହାଡ଼ ଭଳି ଜମା ହୋଇଥିବା ପ୍ରାୟ ୫୫ ହଜାର ଟନ୍‌ର ଧ୍ୱଂସାବଶେଷକୁ ୩ ମାସ ଭିତରେ ସଫା କରାଯିବ ଏବଂ ଏଥିପାଇଁ ୩ ହଜାର ଟ୍ରିପ୍ ଟ୍ରକ୍ ଲାଗିବ ବୋଲି ସୂଚନା ମିଳିଛି।

ବେଆଇନ ଭାବେ ନିର୍ମିତ ଏହି ସୁପର୍‌ଟେକ୍ ଟୁଇନ୍ ଟାଓ୍ୱାରକୁ ଧ୍ୱଂସ କରିବାକୁ ଏକ ଦଶନ୍ଧି ଧରି ଚାଲିଥିଲା ଆଇନଗତ ଲଢ଼େଇ। ୨୦୧୪ରେ ଆହ୍ଲାବାଦ ହାଇକୋର୍ଟ ଏବଂ ୨୦୨୧ରେ ସୁପ୍ରିମ୍‌କୋର୍ଟ ଏହି ନିର୍ମାଣକୁ ବେଆଇନ ଦର୍ଶାଇ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେପଟେ ଆଜି ମଧ୍ୟ ସୁପର୍‌ଟେକ୍ ରିୟଲିଟି ଫାର୍ମ କହିଛି ଯେ, ନୋଏଡା ଡେଭଲପ୍‌ମେଣ୍ଟ ଅଥରିଟିଙ୍କ ଅନୁମୋଦନ କ୍ରମେ ଏହି ନିର୍ମାଣ ହୋଇଥିଲା। ତେବେ ଏହାର ପରିଣତି ସଂସ୍ଥାର ଅନ୍ୟ ପ୍ରକଳ୍ପକୁ ପ୍ରଭାବିତ କରିବ ନାହିଁ ଏବଂ ସେଗୁଡ଼ିକ ଠିକ ସମୟରେ ଗୃହକ୍ରେତାଙ୍କୁ ହସ୍ତାନ୍ତର କରାଯିବ।

(ରିପୋର୍ଟ : ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଓ ଦିଲ୍ଲୀରୁ ଶିବାନନ୍ଦ ରାଉତ)

Twin Towers Demolition Of Twin Tower Twin Tower Demolition Supertech Twin Towers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ