ଲଗାତାର ସଂଘର୍ଷ ଓ ଉଦ୍ୟମ ଯୋଗୁଁ ପରିବାରର ସାହାରା ବନିଲେ ସୁନିତା

ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ନାରୀ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁନୀତା ଦାସଗୁପ୍ତା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

ଲଗାତାର ସଂଘର୍ଷ କରି ପରିବାରର ସାହାରା ବନିଲେ ସୁନିତା

ସମାଜର ଅଭିନ୍ନ ଅଙ୍ଗ ହେଉଛି ନାରୀ। ସମାଜକୁ ଆଗକୁ ବଢାଇବାରେ ତା’ର ଭୂମିକା ଅତୁଳନୀୟ। କେତେବେଳେ ସେ ଝିଅ, ମା, ସ୍ତ୍ରୀ ଅବା ଭଉଣୀ ରୂପରେ ମନ ମୋହିଥାଏ ତ କେବେ ପ୍ରଶାସିକା ଅବା ସମାଜସେବୀଟିଏ ହୋଇ ଗୁରୁଦାୟିତ୍ୱ ନିର୍ବାହ କରିଥାଏ। ନିଜର ଉଦ୍ୟମ ଏବଂ ଧୈର୍ଯ୍ୟ ବଳରେ ସେ ସବୁଥିରେ ସଫଳତା ପାଇଥାଏ। ସେ ପରିବାରର ଗର୍ବ ବନିଥାଏ, ସମାଜର ମାର୍ଗଦର୍ଶକ ବି ହୋଇଥାଏ। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା।

ସେ ବି ଦିନେ ସ୍ୱପ୍ନ ଦେଖିଥିଲେ, କିନ୍ତୁ ତାଙ୍କର ସେମିତି କିଛି ବଡ଼ ସ୍ୱପ୍ନ ନଥିଲା। ବଡ଼ ଚାକିରି, ଘର, ଗାଡ଼ି ଅବା ବ୍ୟାଙ୍କ୍ ବାଲାନ୍ସ ମେଣ୍ଟେନ୍ କରିବା ତାଙ୍କର ସ୍ୱପ୍ନ ନଥିଲା। ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା। ସେ ପୁଣି କିଶୋରୀ ବୟସରେ, କିନ୍ତୁ ମାତ୍ର ୧୧ବର୍ଷ ବୟସରେ ଯେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ହେଲା, ପରିବାରର ଆର୍ଥିକ ବୋଝ ମୁଣ୍ଡାଇବାକୁ ଆଗକୁ ବଢିଥିଲେ ଝିଅ ସୁନିତା ଦାସଗୁପ୍ତା। ପାଠପଢିବା ବୟସରେ ପରିବାର ଚଳାଇବାର ଦୃଢ ନିଷ୍ପତି ନେଲେ ସେ। ଏଥିପାଇଁ ସୁନିତାଙ୍କୁ କଠୋର ପରୀକ୍ଷା ଦେବାକୁ ପଡିଥିଲା।

ପରିବାରର ସାନ ଝିଅ ହେଉଛନ୍ତି ସୁନିତା। ସଂଘର୍ଷ କରିବା ଯେମିତି ତାଙ୍କର ସହଜାତ ପ୍ରକୃତି। ସେଥିପାଇଁ ତ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ କେବେ ବି ସେ ବାଟ ହୁଡି ନାହାନ୍ତି ବରଂ ନିଜ ଗୋଡରେ ନିଜେ ଛିଡାହୋଇ ନିଜ ପରିବାରକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ଅହରହ ଉଦ୍ୟମ କରିଛନ୍ତି ଆଉ ଏଥିରେ ସେ ସଫଳ ବି ହୋଇଛନ୍ତି।

ସ୍ୱେଛାସେବୀ ସଂଗଠନରେ ଚାକିରି କରିବା ପରେ ବି ସରେ ନାହିଁ ସୁନିତାଙ୍କ ଦୁଃଖ। ସ୍ୱଳ୍ପ ଦରମାରେ କେମିତି ବଂଚିବ ପରିବାର, କେମିତି ଆଗକୁ ବଢିବ ଜୀବନ ଗାଡି, ସବୁବେଳେ ଲାଗି ରୁହେ ମାନସିକ ଦ୍ୱନ୍ଦ୍ୱ ଏବଂ ଜୀବନ ଓ ଜୀବିକାର ଚାପ। ମୁଣ୍ଡ ଉପରେ ଥିବା ଭଉଣୀର ବାହାଘର ତାଙ୍କୁ ଆହୁରି ବ୍ୟସ୍ତବିବ୍ରତ କରିପକାଏ।

କରୋନା ମହାମାରୀ ସମୟରେ ବି ସୁନିତାଙ୍କୁ କିଛି କମ୍ ସଂଘର୍ଷ କରିବାକୁ ପଡିନି। ପୁଣିଥରେ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡିଯାଇଥିଲେ ସେ। ହେଲେ ସ୍ୱେଛାସେବୀ ଅନୁଷ୍ଠାନର ସହଯୋଗର ହାତ ତାଙ୍କ ପାଇଁ ସେତେବେଳେ ବରଦାନ ସାବ୍ୟସ୍ତ ହୋଇଥିଲା।

ସୁନିତା ଦାସଗୁପ୍ତା, ସ୍ୱେଛାସେବୀ ସଂଗଠନ, ହରିଜନ ଆଦିବାସୀ ମଙ୍ଗଳ ସମିତିର ମାଷ୍ଟର ଟ୍ରେନର ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଙ୍କ ଜୀବନର ମୋଡକୁ ବଦଳାଇଦେଇଛି। ଉଦ୍ୟମ ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି। ନିଜ ପରିବାରର ସାହାରା ପାଲଟିଛନ୍ତି। ଆଜି ସୁନିତାଙ୍କୁ ନେଇ ବେଶ ଗର୍ବ ଅନୁଭବ କରନ୍ତି ସଂଗଠନର ସଦସ୍ୟମାନେ। ଆଗରୁ ଜୀବନଜୀବିକା ପାଇଁ ସଂଗଠନ ଉପରେ ନିର୍ଭର କରୁଥିଲେ ସୁନିତା କିନ୍ତୁ ଏବେ ଏହି ସଂଗଠନର ନିତିଦିନିଆ କାର୍ଯ୍ୟକଳାପ ନିର୍ଭର କରୁଛି ସୁନିତାଙ୍କ ଉପରେ।

ସୁନିତା ତାଙ୍କର ବଡକାମ ଓ ସଂଘର୍ଷ ଭିତରୁ ସେ ପାଇଛନ୍ତି ସଫଳତା। ତାଙ୍କ ସଫଳତାର ମାପକାଠି କେବଳ ଅର୍ଥ ଉପାର୍ଜନ ନୁହେଁ, ସମ୍ମାନର ସହ ବଂଚିବା ଏବଂ ନିଜ ଉଦ୍ୟମରେ କିଛି କରି ଦେଖାଇବା ହେଉଛି ତାଙ୍କର ଉଦ୍ଦେଶ୍ୟ। ଏବେ ସୁନିତାଙ୍କ ପାଇଁ ନିଜର ପରିବାର ଠାରୁ ଆରମ୍ଭ କରି ସ୍ୱେଛାସେବୀ ସଂଗଠନ ଏବଂ ସରକାରୀ ଟ୍ରେନର୍‌, ସମସ୍ତେ ଗର୍ବିତ ଆଉ ସେଥିପାଇଁ ତ ଆମ ସମସ୍ତଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା।

ସଂଘର୍ଷ ଭିତରେ ଜୀବନଗାଡିକୁ ଆଗକୁ ବଢାଇବା ଯେତିକି କଷ୍ଟକର, ତା’ର ଫଳ ସେତିକି ମିଠା ଆଉ ସନ୍ତୋଷଜନକ। ଯଦି ନାରୀଙ୍କ ପ୍ରତି ସମସ୍ତଙ୍କର ଏଭଳି ସହଯୋଗ, ସ୍ନେହ ଓ ଶ୍ରଦ୍ଧା ଓ ଭଲପାଇବା ରହେ, ସେ ବନିପାରେ ପ୍ରେରଣା।