ସମ୍ପର୍କ କେବଳ ପରିବାର, ବନ୍ଧୁ ବାନ୍ଧବ କିମ୍ବା ସମ୍ପର୍କୀୟଙ୍କ ମଧ୍ୟ ରେ ସୀମିତ ରୁହେ ନାହିଁ । ବେଳେ ବେଳେ କିଛି ଅଜଣା ଲୋକ ମଧ୍ୟ ସମ୍ପର୍କର ଅଜଣା ରଜୁରେ ବାନ୍ଧି ହୋଇ ଯାଆନ୍ତି । ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନାମ ଶୁଣି ଛାତ୍ରଛାତ୍ରୀ କେବେ କେବେ ଭୟ କରୁଥିବା ଆପଣମାନେ ଶୁଣିଛନ୍ତି । କିନ୍ତୁ ଯେତେବେଳେ ଦିଦି ନିଜ ଚାକିରୀର ଶେଷ ଦିନରେ ବିଦ୍ୟାଳୟ ଛାଡିବା ପାଇଁ ଯାଆନ୍ତି, ଛାତ୍ରଛାତ୍ରୀ କିନ୍ତୁ ଛାଡିବା ପାଇଁ ନାରାଜ । ଏମିତି କିଛି ଦୃଶ୍ୟ ଦେଖିଵାକୁ ମିଳିଛି, ଯାହା ଗୁରୁ ଶିଷ୍ୟର ସମ୍ପର୍କକୁ ନୂଆ ଦିଗଦର୍ଶନ ଦେବ ।
ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରର କାନ୍ଦିବା ଆରମ୍ଭ କଲେ। ଛାତ୍ରଛାତ୍ରୀମାନେ ଦିଦିଙ୍କୁ କୁଣ୍ଢାଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଭଦ୍ରକ ଜିଲ୍ଲା ରାହାଞ୍ଜ, ବାଇସସାହି ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବିଦ୍ୟାଳୟରେ ୨୦୦୩ ମସିହା ଡିସେମ୍ବର ମାସ ୨୪ ତାରିଖରୁ କନକଲତା ତ୍ରିପାଠୀ ଶିକ୍ଷକତା କରୁଥିଲେ।
ପ୍ରାୟ ୧୯ ବର୍ଷ ହେଲାଣି ସେ ଏଠି ନିଜ ଚାକିରି କରୁଥିଲେ। ୬୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଥିଲେ। ଗତ ୩୦ ତାରିଖ ଦିନ କନକଲତାଙ୍କ କାର୍ଯ୍ୟକାଳ ସରୁଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଦାୟକାଳୀନ ସଭା ଆୟୋଜନ କରିଥିଲେ । ଦିଦିଙ୍କ ଭଲ ପାଇବା ସହ ଶିକ୍ଷକତାକୁ ଭୁଲି ନଥିଲେ ଛାତ୍ରଛାତ୍ରୀ । ଏ ସବୁ କଥା ପିଲାଙ୍କ କାନ୍ଦରୁ ବେଶ୍ ବାରି ହୋଇଯାଉଥିଲା। କେବଳ ପିଲା ନୁହଁନ୍ତି ପିଲାଙ୍କୁ ଧରି ଦିଦି ମଧ୍ୟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏ ଦୃଶ୍ୟ ଦେଖିଲେ ଏମିତି ଲାଗୁଥିଲା ସତେ ଯେମିତି ସେଇ ପୁରୁଣା ଗୁରୁକୁଳ ପରମ୍ପରା ପୁଣି ଥରେ ଫେରି ଆସିଛି।
କେବଳ ସେତିକି ନୁହେଁ, ବିଦାୟକାଳୀନ ସଭାରେ ଦିଦିଙ୍କ ପାଇଁ ଉପହାର ନେଇଥିଲେ ଛାତ୍ରଛାତ୍ରୀ। ସମସ୍ତ ଛାତ୍ରଛାତ୍ରୀ ଦିଦିଙ୍କୁ କିଛି କିଛି ଉପହାର ଦେଇଥିଲେ। ଗୋଟିଏ ପଟେ କାର୍ଯ୍ୟର ଶେଷ ଦିନ ଓ ଅନ୍ୟ ପଟେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ବେଶ ହୃଦୟ ସ୍ପର୍ଶୀ ଥିଲା। ଲାଗୁଥିଲା ଯେମିତି ଦିଦିଙ୍କୁ ଛାଡିବା ପାଇଁ ପିଲାମାନେ ଜମା ରାଜି ନୁହନ୍ତି। ଏ ଦୃଶ୍ୟ ଦେଖି ଦିଦିଙ୍କ ସହ ଉପସ୍ଥିତ ଥିବା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା ।
କୁହାଯାଏ ଦିନ ସରିଯାଏ , କିନ୍ତୁ ଚିହ୍ନ ରହି ଯାଏ । ନହେଲେ ଏମିତି ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଦାୟିତ୍ୱ ନିର୍ବାହ କରନ୍ତି ଓ ଅବସର ବି ନିଅନ୍ତି । କିନ୍ତୁ ଏଠିକାର ସମ୍ପର୍କ ସୁଚାଇଛି ଯେ କିଏ ଛାତ୍ରଛାତ୍ରୀଙ୍କ ପାଇଁ ନିଜକୁ କେତେ ଉତ୍ସର୍ଗ କରିଛନ୍ତି।
(ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ)