ଶ୍ରୀମନ୍ଦିର କରିଡ଼ରରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ବଢ଼ୁଛି ରାଜ୍ୟ ସରକାରଙ୍କ ଉପରେ ଚାପ

ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ ।

Srimandir heritage corridor row

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ । ଆମସାର୍ ଆର ଉଲ୍ଲଂଘନ ହେଉଥିବା ନେଇ ବିଭିନ୍ନ ଆଡୁ ସାଂଘାତିକ ଅଭିଯୋଗ ଆସୁଛି । ଏମିତିକି ପ୍ରକଳ୍ପକୁ ନେଇ ରାଜନୈତିକ ବ୍ଲେମ୍ ଗେମ୍ ବି ଚାଲିଛି ଯାହାକି ମହାପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମନେ କରୁଥିବା ପ୍ରତିଟି ଓଡ଼ିଆଙ୍କ ଭାବନାକୁ ଆଘାତ ପହଞ୍ଚାଉଛି ।

ଅମିୟ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପ୍ରକଳ୍ପ ଆରମ୍ଭରୁ ଆମସାର ଆକ୍ଚର ଉଲ୍ଲଂଘନ ହୋଇଥିଲେ ବି ଏଏସ୍ଆଇ ପଦକ୍ଷେପ ନନେବାରୁ ବିବାଦ ଉପୁଜିଲା । ନିଷିଦ୍ଧାଞ୍ଚଳରେ ଟୟଲେଟ୍ ନିର୍ମାଣ ହୋଇପାରିବ ବୋଲି ଏଏସ୍ଆଇ ଡିଜି କହିଛନ୍ତି, କିନ୍ତୁ ରିସେପସନ୍ ସେଣ୍ଟର ଓ ଅନ୍ୟ ନିର୍ମାଣ ହୋଇ ପାରିବ ନାହିଁ । ସରକାର ଯାହା କରିବେ ଏଏସ୍ଆଇ ଅନୁମତି ନେବା କଥା, ହେଲେ ତାହା ହୋଇନାହିଁ ।

ମେଘନାଦ ପାଚେରି ପ୍ରତି ବିପଦ ଥିବାରୁ ଏଏସ୍ଆଇ ବି ଶହେ ମିଟର ଭିତରେ ନିର୍ମାଣକୁ ବିରୋଧ କରୁଛି । ଏବେ ହାଇକୋର୍ଟରେ ଏ ସମ୍ପର୍କିତ ମାମଲା ବିଚାରାଧୀନ ରହିଛି, କିନ୍ତୁ କୋର୍ଟ ନିର୍ମାଣ ଉପରେ ରହିତାଦେଶ ଜାରି କରିନାହାନ୍ତି, ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଐତିହ୍ୟପ୍ରେମୀ ଓ ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ, ତେଣୁ କୋର୍ଟଙ୍କ ରାୟ ଆସିବା ଯାଏଁ କାମ ବନ୍ଦ ରଖିବାକୁ ଅପିଲ୍ କରଛନ୍ତି ଅମିୟ ଭୂଷଣ । ସେପଟେ ଅନ୍ୟ ଏକ ସୂଚନାକ୍ରମେ ମୁଖ୍ୟମନ୍ତ୍ରୀ ମଧ୍ୟ ଇନଟାକ୍‌ର ଜଣେ ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି ।

କାମ ବନ୍ଦ ପାଇଁ ଇନ୍‌ଟାକ୍‌ର ଚିଠିକୁ ସମର୍ଥନ କରିଛନ୍ତି ପୁରୀର ଆଇନଜୀବୀ ଶରତ ରାୟଗୁରୁ । ସେ କହିଛନ୍ତି ଆରମ୍ଭରୁ ଇନଟାକ୍ ଏ ପଦକ୍ଷେପ ନେଇଥିଲେ, ହୁଏତ ପ୍ରୋହିବିଟେଡ୍ ଏରିଆରେ କାମ ଏତେବାଟ ଆଗକୁ ବଢ଼ିନଥାନ୍ତା । ହାଇକୋର୍ଟ ନିର୍ମାଣ କାମ ଉପରେ ରହିତାଦେଶ ଜାରି କରିନଥିଲେ ବି ଏଏସ୍ଆଇକୁ ନପଚାରି କୌଣସି ନିର୍ମାଣ କାମ ନକରିବାକୁ କହିଛନ୍ତି । ସେପଟେ ପ୍ରକଳ୍ପ ସପକ୍ଷବାଦୀ ଗୌରହରୀ ପ୍ରଧାନ କହିଛନ୍ତି ଯେ, ସବୁ କାମ ଠିକ୍ ଚାଲିଛି, କାମ ଭୁଲ୍ ଥିଲେ ହାଇକୋର୍ଟ ନିଶ୍ଚିତ ରହିତାଦେଶ ଦେଇଥାନ୍ତେ । ଇନଟାକ୍‌ର ଆବାହକଙ୍କ ଏ ଚିଠି କେବଳ ନିଜର ପ୍ରଚାର ପାଇଁ ବୋଲି କହିଛନ୍ତି ଗୌରହରୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର । ସେ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ୟ୍ୟକରଣ ନେଇ କାହାର ଆପତ୍ତି ନାହିଁ, ମାତ୍ର ବିଗତ କିଛି ଦିନରେ ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ । ପୂରାତନ କୀର୍ତ୍ତିରାଜିର ଅଣଦେଖା କରି ଆଧୁନିକୀକରଣ କରିବା ଉଚିତ ନୁହେଁ । ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦଯର୍ୟକରଣ ହେଉ । ପୂର୍ବରୁ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, ଆଇନ୍ ଅନୁସାରେ ସବୁ କାମ ହେଉଛି । ଏବେ ଅପେକ୍ଷା ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପ୍ରକଳ୍ପ କାମ ସ୍ଥଗିତ ରହୁଛି ନା ଜାରି ରହୁଛି ? ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟର- ପ୍ରଦୀପ ମହାନ୍ତି ଓ ହରିହର ଚାନ୍ଦ