Astrospeak
  • Live TV
  • Read In English

ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରୁଛନ୍ତି ସଂଯୁକ୍ତା ଭାରତୀୟ

ମାନସିକ ଅନଗ୍ରସର ମହିଳାଙ୍କ ଦେବଦୂତ ସାଜିଛନ୍ତି ସଂଯୁକ୍ତା ଭାରତୀୟ। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଉଛନ୍ତି ସେ। ଏମିତି କରି ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା।

Social worker Sanjukta Bharatiya
ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରୁଛନ୍ତି ସଂଯୁକ୍ତା ଭାରତୀୟ

ଡିଜିଟାଲ୍ ଯୁଗର ନାରୀ। ମହିଳା ସଶକ୍ତିକରଣ ସ୍ରୋତରେ ସେ ନିଜର ନୂଆ ପରିଚୟ ସୃଷ୍ଟିକରିପାରିଛି। ନିଜେ ସଶକ୍ତ ହେବା ସହିତ ଅନ୍ୟକୁ ସଶକ୍ତ କରିପାରିଛି। ସମୟ ସହିତ ତାଳଦେଇ ଆଗକୁ ବଢୁଛି ନାରୀ। କଷ୍ଟକର ପରିସ୍ଥିତିରେ ଥରେ ନୁହେଁ, ବାରମ୍ବାର ସେ ପ୍ରମାଣିତ କରିଛି ଯେ ସେ ଅନନ୍ୟା, ସେ ଅପରାଜିତା। ସେଥିପାଇଁ ତ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଆମ ସମାଜରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ କି ନିଜ ଉଦ୍ୟମରେ ଅସମ୍ଭବ ଭଳି ମନେହେଉଥିବା କାର୍ଯ୍ୟକୁ ସମ୍ଭବ କରିପାରିଛନ୍ତି। କିଛି ନୂଆ କରି ଦେଖାଇଛନ୍ତି ସେହି ନାରୀମାନେ। ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା ସାଜିଛନ୍ତି ସେମାନେ।

ମା’ର ପଣତକାନି ବୁଝେ ନାହିଁ ପର ଆପଣା। ଯିଏ ତା’ ପାଖରେ ଆସି ଶରଣ ନିଏ ସେ ତାକୁ ପଣତକାନିରେ ଘୋଡାଇ ରଖିଥାଏ, ତାକୁ ସବୁ ବିପଦରୁ ରକ୍ଷାକରିଥାଏ, ତାର ଭଲମନ୍ଦ ବୁଝିଥାଏ। ତା’ ଓଠରେ ହସ ଟିକେ ଫୁଟାଇବା ପାଇଁ ସେ କିଛି ବି କରିପାରେ। ସେ ମାଆ, ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଅସହାୟ ଏବଂ ନିରାଶ୍ରୟ ମହିଳାଙ୍କୁ ଦେଇଥାନ୍ତି ନୂଆ ଜୀବନ। ସେମାନଙ୍କୁ ସକ୍ଷମ କରାଇଥାନ୍ତି। ସେ ଏମିତି ଜଣେ ମାଆ ଯିଏ ବଞ୍ଚିବାର ନୂଆ ଆଶା ଦେଇଥାନ୍ତି। କୁଟାଖିଅରେ ଭାସିଯାଉଥିବା ଜୀବନକୁ ଉଦ୍ଧାର କରି ଜୀବନ ଜିଇଁବାର ବାଟ ଦେଖାଇଥାନ୍ତି। ସେ ହେଉଛନ୍ତି ଜନନୀ ଆଶ୍ରମର ମମତାମୟୀ ମାଆ ସଂଯୁକ୍ତା ଭାରତୀୟ।

ପ୍ରାୟ ୨୫ବର୍ଷ ଧରି ନିସ୍ୱାର୍ଥପର ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ଆସିଛନ୍ତି ସଂଯୁକ୍ତା ଭାରତୀୟ। ସେବା ପାଇଁ ସେ ସ୍ୱାର୍ଥତ୍ୟାଗ କରିଛନ୍ତି। ତାଙ୍କ ପାଇଁ ଜୀବନର ମୂଲ୍ୟ ସ୍ୱାର୍ଥ ପଛରେ ଦୌଉଡିବା ନୁହେଁ, ଜୀବନର ପ୍ରକୃତ ଅର୍ଥ ହେଉଛି ଅନ୍ୟର ସେବାକରିବା, ପୁଣି ଯେଉଁ ମହିଳାମାନେ ମାନସିକଭାବେ ଅନଗ୍ରସର, ଯେଉଁମାନଙ୍କର ଘର ନାହିଁ କି ପରିଚୟ ନାହିଁ, ସେମାନଙ୍କୁ ଆଶ୍ରୟଦେବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ।

ତେବେ ସଂଯୁକ୍ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ୍‌ ହେଉଛି ଏହି ମହିଳାମାନଙ୍କୁ ମାନସିକ ଏବଂ ଶାରିରୀକ ଭାବେ ସ୍ୱାଭାବିକ କରାଇବା। ଆଶ୍ରମରେ ଥିବା ଏକାଧିକ ମହିଳା ସ୍ୱାଭାବିକ ଭାବେ ନିଜର ନିତ୍ୟକର୍ମ କରି ନଥାନ୍ତି। ନିଜେ କ’ଣ କରୁଛନ୍ତି ସେମାନେ ଜାଣି ନଥାନ୍ତି। ତେବେ ଆଶ୍ରମର ତିନିଜଣ ଅନ୍ତେବାସୀ ଏ କାର୍ଯ୍ୟରେ ସଂଯୁକ୍ତାକୁ ସହଯୋଗ କରିଥାନ୍ତି। ଏହି ମହିଳାମାନଙ୍କ ମାନସିକ ଅବସ୍ଥାକୁ ପରିବର୍ତ୍ତନ କରିବା ହେଉଛି ଆଶ୍ରମର ମୂଳ ଉଦ୍ଦେଶ୍ୟ। ଆଉ ଯେତେବେଳେ ଏହି ମାନସିକ ଅନଗ୍ରସର ମହିଳାମାନେ ସ୍ୱାଭାବିକ ହୋଇଥାନ୍ତି, ସେମାନଙ୍କ ମନ ପରିବର୍ତ୍ତନ ପାଇଁ ଆଶ୍ରମ ପରିସର ଭିତରେ ଛୋଟଛୋଟ କାମରେ ନିୟୋଜିତ ମଧ୍ୟ କରାଯାଇଥାଏ।

ଆମ ସମାଜ ପାଇଁ ଉଦାହରଣ ସାଜିଛନ୍ତି ସଂଯୁକ୍ତା ଭାରତୀୟ। ପରିସ୍ଥିତି ସହ ସଂଘର୍ଷ କରିଛନ୍ତି ସତ, କିନ୍ତୁ କେବେ କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି କି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ବରଂ ନିଜ ଇଛାରେ ସେ ବାଛି ନେଇଛନ୍ତି ଏହି ନିଆରା ସମାଜସେବାର ରାସ୍ତା।

ଜନନୀ ଆଶ୍ରମରେ ନୂଆ ଜୀବନ ଖୋଜି ପାଇଥିବା ୨୬ଜଣ ମହିଳାଙ୍କ ମମତାମୟୀ ମାଆ ସାଜିଛନ୍ତି ସଂଯୁକ୍ତା। ସେମାନଙ୍କ ସବୁ ଦୁଃଖସୁଖର ସାଥୀ ବି ସେ। ଏବେ ଆଉ ସେମାନଙ୍କ ଭିତରେ କୌଣସି ଭୟ ନାହିଁ। ଧୀରେଧୀରେ ମାନସିକ ଭାବେ ସୁସ୍ଥ ବି ହେବାରେ ଲାଗିଛନ୍ତି। ମାଆର ସ୍ନେହଭରା ଚାହାଣୀ ଏବଂ ମିଠାମିଠା କଥା ସେମାନଙ୍କ ମନୋବଳକୁ ମଜବୁତ କରିବାରେ ଲାଗିଛି। ଏହାଛଡା ଆଶ୍ରମରେ ଅନ୍ୟ ମହିଳାଙ୍କ ସହ ଏମାନଙ୍କ ସମୟ ବି ବେଶ୍ ଭଲରେ କଟୁଛି।

ଭଗବାନଙ୍କ ସୃଷ୍ଟି ଅଜବ। ଏମାନଙ୍କ ଜନ୍ମଦାତ୍ରୀ ମାଆ ସିନା ଆଉ କିଏ, ହେଲେ ଯଶୋଦା ଭଳି ପ୍ରତିମୁହୂର୍ତ୍ତରେ ଏମାନଙ୍କ କଥା ବୁଝିଥାନ୍ତି ସଂଯୁକ୍ତା। ନିଜର ସନ୍ତାନସନ୍ତତିଙ୍କୁ ଜଣେ ମାଆ ଯେଉଁଭଳି ଭାବରେ ଅନାବିଳ ସ୍ନେହ ଏବଂ ସେବା ଦେଇଥାନ୍ତି, ଠିକ୍ ସେହିଭଳି ଭାବରେ ନିସ୍ୱାର୍ଥପର ଢଙ୍ଗରେ ମାନସିକ ଭାବେ ଅସୁସ୍ଥ ଏହି ମହିଳାମାନଙ୍କ ଯତ୍ନ ନେଇଥାନ୍ତି ସଂଯୁକ୍ତା ଭାରତୀୟ। ଆଉ ଏହି ସେବା ହିଁ ତାଙ୍କୁ ଦେଇଛି ପରମ ଆନନ୍ଦ।

ସେମାନେ ବି ସାଧାରଣ ମଣିଷଙ୍କ ଭଳି ସକ୍ଷମ। ସେମାନେ ମଧ୍ୟ ନିଜ କଥା ଉପସ୍ଥାପନ କରିପାରନ୍ତି, ମନ ଖୁସିଥିଲେ ଗୀତ ବୋଲିପାରନ୍ତି, ଆଉ ସଜବାଜ କଥା ଉଠିଲେ ଢେର ଖୁସି ହୋଇଯାଆନ୍ତି।

କୁହାଯାଏ ନିସ୍ୱାର୍ଥପର ସେବା ହିଁ ଜୀବନର ପ୍ରକୃତ ଧର୍ମ। ତା’ର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ସଂଯୁକ୍ତା ଭାରତୀୟ। କେବଳ ସଂଯୁକ୍ତା କାହିଁକି ଏ ଦୁନିଆରେ ସବୁ ନାରୀଙ୍କ ପାଖରେ ଏଭଳି ସାହସ ଏବଂ ଦୃଢ ମନୋବଳ ରହିବା ଉଚିତ। ଝିଅ ବା ନାରୀ ଚାହିଁଲେ କିଛି ବି କରିପାରନ୍ତି। ବାସ୍ ସେମାନଙ୍କୁ ଦରକାର ଟିକେ ସହଯୋଗର ହାତ। ସେ ଅନନ୍ୟା, ସେ ବିଜୟିନୀ, ସେ ପ୍ରେରଣାର ଉତ୍ସ, ସମାଜକୁ ଏକଜୁଟ କରି ରଖିବାରେ ତା’ର ଭୂମିକା ଅନନ୍ୟ।