ରାଜ୍ୟରେ ଘାତକ ହେଉଛି ବଜ୍ରାଘାତ। ସେତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ। ଅକାରଣରେ ଚାଲିଯାଉଛି ଜୀବନ। ଆଜି ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଥିବା ବେଳେ ଗତକାଲି ଉଦଳାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜି କିମ୍ବା କାଲିର ଘଟଣା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଜନିତ ମୃତ୍ୟୁ ବଢିବାରେ ଲାଗିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବଜ୍ରାଘାତ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ନମ୍ବର। ୨୦୨୧ରେ ବଜ୍ରାଘାତରେ ଦେଶରେ ୭୮୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥି ମଧ୍ୟରେ ୨୧୩ ଜଣ ଓଡ଼ିଶାର ଯାହାକି ମୋଟ୍ ବଜ୍ରପାତ ମୃତ୍ୟୁର ୨୭ ପ୍ରତିଶତ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୦ ଅର୍ଥାତ୍ ମଧ୍ୟରେ ୯ ବର୍ଷରେ ବଜ୍ରାଘାତ ଯୋଗୁ ୩ ହଜାର ୨୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏଠି ପ୍ରଶ୍ନ , କାହିଁକି ବଜ୍ରାଘାତ ନେଉଛି ଏତେ ଜୀବନ ? ପାଣିପାଗ ବିଜ୍ଞାନୀଙ୍କ ମତରେ ପ୍ରାକ୍ ମୌସୁମୀ ଓ ମୌସୁମୀ ଦୁର୍ବଳ ହେବା ସମୟରେ ହିଁ ବଜ୍ରପାତର ଅଧିକ ଆଶଙ୍କା ଥାଏ। ଦିନ ୧୧ଟାରୁ ରାତି ୮ଟା ମଧ୍ୟରେ ସାଧାରଣତଃ ବଜ୍ରପାତ ହୁଏ। ମାର୍ଚ୍ଚରୁ ମେ ମାସରେ ବଜ୍ରପାତର ତୀବ୍ରତା ଓ ବାରମ୍ବାରତା ଅଧିକ ରହିଥାଏ। ତେବେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଚାଷୀ ଖୋଲା ବିଲରେ କାମ କରୁଥିବାରୁ ବଜ୍ରପାତର ଶିକାର ହୁଅନ୍ତି।
ଭାରତୀୟ ପାଣିପାଗ ବିଭାଗ ୫ ଦିନ ଆଗରୁ ବଜ୍ରପାତ ନେଇ ସୂଚନା ଦେଉଛି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବଜ୍ରାଘାତ ନେଇ ପାଣିପାଗ ବିଭାଗ ୩ ଘଣ୍ଟା ପୂର୍ବରୁ ସୂଚନା ପ୍ରଦାନ କରିଥାଏ। ତେବେ ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଉତ୍ତର ଓଡ଼ିଶା ଜିଲ୍ଲାଗୁଡିକରେ ବଜ୍ରଘାତଜନିତ ମୃତ୍ୟୁ ଅଧିକ। ତେଣୁ ଲୋକଙ୍କୁ ମୋବାଇଲ ମେସେଜ ଜରିଆରେ ଆଗୁଆ ସୂଚନା ଦେଇ ସତର୍କ କରିବାକୁ ପ୍ରୟାସ ଆରମ୍ଭ କରିଛି ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ। ଭାରତୀୟ ପାଣିପାଗ ବିଭାଗ, ଓସଡମା ଓ କର୍ପସ ନାମକ ସଂସ୍ଥା ସହାୟତାରେ ସ୍ବତନ୍ତ୍ର ବଜ୍ରପାତ ଆପ୍-ଦାମିନୀ ବିକାଶ କରାଯାଇଛି। ଏହାଦ୍ୱାରା ବଜ୍ରପାତର ୪୦ ମିନିଟ୍ ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲୋକଙ୍କୁ ମେସେଜ୍ ପଠାଇ ସତର୍କ କରାଇ ହେବ। ଫଳରେ ବଜ୍ରାଘାତଜନିତ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।
ବଜ୍ରପାତରୁ ବର୍ତ୍ତିବା ଲାଗି ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି। ଏହାର କଡ଼ାକଡି ଅନୁପାଳନ ନକଲେ ମୋବାଇଲ ଆପ୍ ବଜ୍ରପାତ ଜନିତ ମୃତ୍ୟୁ ରୋକିବାରେ କେତେ ସଫଳ ହେବ ତାହା ବଡ଼ ପ୍ରଶ୍ନ।
ରିପୋର୍ଟ: ରଶ୍ମୀରଞ୍ଜନ ଦାଶ, କପିଳେନ୍ଦ୍ର ପ୍ରଧାନ