ମାଡ଼ି ଆସୁଛି ସମୁଦ୍ର ! ବିପଦ ଶଙ୍କୁଳ ଅବସ୍ଥାରେ କୋଣାର୍କ-ପୁରୀ ବେଳାମାର୍ଗ

ଗର୍ଜନ କରି ମାଡ଼ି ଆସୁଛୁି ସମୁଦ୍ର ଜୁଆର । କୂଳ ଲାଙ୍ଘିବାକୁ ବସିଲାଣି ସମୁଦ୍ର । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୁହାଯାଉଥିବା କୋଣାର୍କ ପୁରୀ ବେଳାମାର୍ଗ ନଷ୍ଟ ହେବାକୁ ବସିଲାଣି ।

Konark Puri Marine Drive

ସମୁଦ୍ରର ଏହି କରାଳ ରୂପ କୂଳ ଲଙ୍ଘିବାକୁ ବସିଲାଣି । ଆଡ଼ିବନ୍ଧ ଭାଙ୍ଗି ବେଳାଭୂମି ଉପରକୁ ମାଡ଼ିଲାଣି ସମୁଦ୍ର ପାଣି । ପ୍ରଥମ ଥର ପାଇଁ ସମୁଦ୍ର ଜୁଆର ପାଣି କୋଣାର୍କ ପୁରୀ ବେଳାମାର୍ଗ ଉପରକୁ ଉଠିଛି । ବେଳାମାର୍ଗକୁ ନଷ୍ଟକରିବାକୁ ବସିଲାଣି ସମୁଦ୍ର । ଅନ୍ୟପଟେ ଅସ୍ତରଙ୍ଗ କେଉଟଜଙ୍ଗା ଠାରେ ବନ୍ଦ ହୋଇଯାଇଥିବା କେଳୁଣୀ ମୁହାଣରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସମୁଦ୍ର ଜୁଆର ପ୍ରଭାବରେ ଏକ କିଲୋମିଟର ଚଉଡାରେ ଏକ ମୁହାଣ ଫିଟିବା ଦ୍ୱାରା ଭୟଙ୍କର ଭାବେ ସମୁଦ୍ର ପାଣି ଲୁଣା ବନ୍ଧରେ ମାଡ଼ ହୋଇ ବନ୍ଧ ପାଇଁ ବିପଦ ସୃଷ୍ଟି ହୋଇଛି । ସମୁଦ୍ରର ଏଭଳି ଭୟଙ୍କର ରୁପ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୋଣାର୍କ ପୁରୀ ବେଳାମାର୍ଗ । ଦିନକୁ ଦିନ ଏହି ବେଳାମାର୍ଗର ନିକଟତର ହେଉଛି ସମୁଦ୍ର । ପୂର୍ଣ୍ଣିମା ଜୁଆର ପ୍ରଭାବରେ ସମୁଦ୍ର ପାଣି ସିଧାସଳଖ ବେଳାମାର୍ଗ ସୁରକ୍ଷା ପ୍ରାଚୀରରେ ମାଡ଼ ହୋଇ ସୁରକ୍ଷା ପ୍ରାଚୀରକୁ ଖାଇଗଲାଣି । ଉପକୂଳକୁ ସୁରକ୍ଷା ଦେଉଥିବା ପ୍ରାକୃତିକ ପ୍ରାଚୀର ସଦୃଶ ବାଲିବନ୍ତ ସମୁଦ୍ରରେ ଲୀନ ହୋଇଯିବା ପରେ ପ୍ରଥମଥର ପାଇଁ ଜୁଆର ସମୟରେ ସମୁଦ୍ର ପାଣି ବେଳାମାର୍ଗ ଉପରକୁ ମାଡି ଆସିଛି ।

କେବଳ ବେଳାମାର୍ଗ ନୁହେଁ ରୁଦ୍ର ରୂପ ଧାରଣ କରିଥିବା ସମୁଦ୍ର ପୁରୀ ଜିଲ୍ଲା ଉପକୂଳକୁ ଗ୍ରାସ କରିବାରେ ଲାଗିଛି । ଅସ୍ତରଙ୍ଗ କେଉଟଜଙ୍ଗା ନିକଟରେ ଥିବା କେଳୁଣୀ ମୁହାଣର ଦୃଶ୍ୟ ମଧ୍ୟ ଠିକ୍ ସେହିପରି । ୧୦ ମାସ ହେଲା ବନ୍ଦ ପଡିଥିବା ମୁହାଣ ସମୁଦ୍ର ଜୁଆର ପ୍ରଭାବରେ ଖୋଲିଯିବା ପରେ ସମୁଦ୍ର ଢେଉ ଏକ କିଲୋମିଟର ଚଉଡା ବେଳାଭୂମିକୁ ଡେଇଁ ସିଧା ସଳଖ ଲୁଣାବନ୍ଧରେ ମାଡ଼ ହେବା ଦ୍ୱାରା ଲୁଣା ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି । ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ଲୁଣାପାଣି ମାଡି ଯାଇଛି । ଆଗରୁ ସମୁଦ୍ରର ଏଭଳି ଭୟଙ୍କର ରୁପ ଦେଖିନଥିବା ଉପକୂଳିଆ ଲୋକେ ଏବେ ଭୟଭୀତ ହୋଇପଡିଛନ୍ତି ।

 

ପୁରୀ ଜିଲ୍ଲା ଉପକୂଳରେ ସାମୁଦ୍ରିକ ଅବକ୍ଷୟର ପ୍ରଭାବ କୋଣାର୍କ ପୁରୀ ବେଳାମାର୍ଗ ସହ ଅସ୍ତରଂଗର କେଉଟଜଙ୍ଗା,ବେଳଙ୍ଗ,ଡାଳୁଅକଣି,ଉଦୟକଣି ,କଳମକଣି ,କଟକଣା,ଛେନୁ, ତଣ୍ଡାହର ଭଳି ଅନେକ ଉପକୂଳିଆ ଗାଁରେ ଦେଖାଯାଉଥିବା ବେଳେ ଏହି ସ୍ଥିତି ଉପରେ ସରକାର ଉଚ୍ଚସ୍ତରୀୟ ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ପରିବେଶବିତ୍ତ ମାନେ ଦାବି କରିଛନ୍ତି।