ଅସ୍ତିତ୍ୱ ହରାଇବନି ତ ଶ୍ରୀକ୍ଷେତ୍ର ପୁରୀର ଅଠରନଳା ?

ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ?

Atharnala Heritage Project

ଅଠର ନଳାକୁ କିଏ ବା ନଜାଣେ, କଥା ପଡୁ ପଡୁ ପୁରୀ ପୁରୀ ବାସେ। ସେଇଠୁ ଠିଆ ହେଲେ ନୀଳଚକ୍ର ଦିଶେ। ହେଲେ ଶ୍ରୀକ୍ଷେତ୍ରର ଏ ପ୍ରବେଶ ପଥର ଅବସ୍ଥା ନିଜେ ଆଖିରେ ନଦେଖିଲେ ବିଶ୍ୱାସ ହେବନି। ତ୍ରୟୋଦଶ ଶତାବ୍ଦୀର ଏହି ଐତିହ୍ୟସ୍ଥଳର ସୌନ୍ଦର୍ଯ୍ୟକରଣ ଯେମିତିକି ନୌକାବିହାର, ପାର୍କ ଓ ଫୁଡ ଷ୍ଟଲ ନିର୍ମାଣ, କେବଳ ଘୋଷଣାବାଜି ଭଳି ଲାଗୁଛି। ସେଠି ଏବେ ଶହ ଶହ ଟ୍ରିପ୍ ବାଲି ପୋତାଯାଇ କି ପ୍ରକାର ନୌବିହାର ହେବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଥିବାବେଳେ ଅଠର ନଳା ଓ ମୂଷା ନଈକୁ ନୂଆରୂପ ଦେବାକୁ କାମ ଦ୍ରୁତ ଗତିରେ ଚାଲିଥିବା କହିଛନ୍ତି ଜିଲ୍ଲାପାଳ।

ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ? ଉନ୍ନତିକରଣ ନାଁରେ ଐତିହ୍ୟର ବିକାଶ ନା ବିନାଶ ? ସିଧାସଖଳ ଏଭଳି ପ୍ରଶ୍ନ ପଚାରୁଛନ୍ତି ପୁରୀ ବାସିନ୍ଦା ଓ ଐତିହ୍ୟପ୍ରେମୀ। ୨୦୦୫ ମସିହାରୁ ଦୀର୍ଘ  ୧୮ ବର୍ଷ ଧରି ଚାଲିଥିବା ଅଠରନଳାର ବିକାଶ ଓ ମୂଷା ନଈର ପୁନରୁଦ୍ଧାର ଏବଂ ସଂରକ୍ଷଣ କାମ କେତେ ଆଗେଇଛି ?

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ବର୍ଷକୁ ବର୍ଷ କେବଳ ଦଳ ସଫେଇ ଓ ଖୋଳା-ପୋତା କାମରେ ସୀମୀତ ହୋଇ ରହିଥିବା ଅଭିଯୋଗ ହେଉଛି। ତିନିବର୍ଷ ତଳେ ରାଜ୍ୟ ସରକାର ମୂଷା ନଈର ପୁନରୁଦ୍ଧାର ପାଇଁ ୧୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଓବିସିସି ଡିଜିଜନ-୨ ପକ୍ଷରୁ ସେଥିପାଇଁ କାମ ଚାଲିଛି, ହେଲେ କେବେ ସରିବ କାହାକୁ ଜଣାନାହିଁ। ଏମିତିକି ପ୍ରକଳ୍ପର ବ୍ଳୁ ପ୍ରିଣ୍ଟ ବି ସାଧାରଣରେ ଆଜି ଯାଏଁ ପ୍ରକାଶିତ ହୋଇନି।

ତେଣେ ଅଠରନଳାକୁ ଲାଗିଥିବା ସରକାରୀ ଜମି କ୍ରୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ବିକାଶର କଥା କୁହାଯାଉଛି, ପୁରୀ ବାସିନ୍ଦା ତାକୁ ଆଦୌ ବିଶ୍ୱାସକୁ ନେଉ ନାହାନାହାନ୍ତି। ତା’ସହ ଜିଲ୍ଲା ପ୍ରଶାସନ ଏଠି ନୌକା ବିହାରର ଯେଉଁ ସ୍ୱପ୍ନ ଦେଖାଇଛି, ତାକୁ ନେଇ ବି ସନ୍ଦୀହାନ ଅଞ୍ଚଳବାସୀ।

ଶ୍ରୀକ୍ଷେତ୍ର ଇତିହାସ ସହ ଜଡ଼ିତ, ଐତିହ୍ୟ ସମ୍ପନ୍ନ ଅଠରନଳାର ସୌନ୍ଦର୍ଯ୍ୟକରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଯୋଜନା ପରେ ଯୋଜନାରେ ମାତିଛି। ଅଠରନଳା ପୋଲଠାରୁ ହୁଳୁହୁଳିଆ ପୋଲ, ସମଗରା ଦେଇ କାଞ୍ଚି ନଈର ବିକାଶ ପାଇଁ ଅର୍ଥ ମଂଜୁର ବି ହୋଇଛି। ୮ କିଲୋମିଟର ୭ଶହ ମିଟରର କାମ ପାଇଁ ପ୍ରାୟ ୮୦ କୋଟି ଟଙ୍କାର ପ୍ୟାକେଜ ରହିଛି। ଯେଉଁଠି ନୌଚାଳନା କ୍ଲବ, ପାର୍କିଂ ପ୍ଲେସ, ବସିବା ସ୍ଥାନ ଓ ସୂଚନା କେନ୍ଦ୍ର ନିର୍ମାଣ ସହ ଫୁଡ ଷ୍ଟଲ ରହିବ।

ଏଥିପାଇଁ ପୁରୀ ମାର୍କଣ୍ଡେଶ୍ୱର ସାହି, ମାଟିତୋଟା ଓ ସମଙ୍ଗ ମୌଜାର ମୋଟ ୪୬ ଏକର ୬୦୯ ଡିସିମିଲି ଜମି ଅଧିଗ୍ରହଣ ଲକ୍ଷ୍ୟ ରହିଛି। ଯେଉଁଥିରୁ ମାର୍କଣ୍ଡେଶ୍ୱର ସାହି ମୌଜାରୁ ସର୍ବାଧିକ ୭. ୨୯୩ ଏକର ଓ ସମଙ୍ଗ ମୌଜାରୁ ୨୮.୩୪୬ ଏକର ଜମି ଅଧିଗ୍ରହଣ ହେବ। ବେସରକାରୀ ଜମି ମଧ୍ୟରୁ ୧୨ ଏକର ୭୪୬ ଜମି ଅଧିଗ୍ରହଣ ସରିଥିବା ବେଳେ ଆହୁରି ୭ ଏକର ୭୭୬ ଡିସିମିଲି ଜମି ଅଧିଗ୍ରହଣ ବାକି ଅଛି। ସେହିଭଳି ମୂଷାନଈର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ପ୍ରକଳ୍ପ ପାଇଁ ପୁରୀ ତହସିଲର ୧୧ଟି ମୌଜାର ମୋଟ ୬୨ ଏକର ୭୪୨ ଡିସିମିଲି ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ତା ଭିତରେ ୩୬.୯୮୪ ଏକର ବେସରକାରୀ ଓ ୨୫.୭୫୮ ଏକର ସରକାରୀ ଜମି ରହିଛି।

ତେବେ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବ ପଛରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ ସହ ଶହ ଶହ ଟ୍ରିପ୍ ବାଲି ପକାଯାଇ ଯେପରି ଅଠରନଳାକୁ ପୋତାଯାଉଛି ସେଥିରେ କିପରି ନୌବିହାର ହେବ ବୋଲି ସାଧାରଣରେ ଉଠିଛି ପ୍ରଶ୍ନ। ତେଣେ ଜିଲ୍ଲାପାଳଙ୍କ ଉତ୍ତର ବିକାଶ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି।