ସ୍ୱାଧୀନ...ଆଲୋକ । ଜଣକୁ ୨୬ ତ ଆଉ ଜଣଙ୍କୁ ୨୭ । ବର୍ଷେ ସାନବଡ଼ ହୋଇଥିବା ପରେ ବି ପିଲାଟି ଦିନରୁ ସେମାନେ ଭାରି ସାଙ୍ଗ । ଦୁହେଁ ଦୁହିଁଙ୍କ ଲାଗି ଜୀବନ ଦେବା ପରି ମନ ତାଙ୍କର । ପିଲାବେଳୁ ମେଳା ପର୍ବ ଏକାଠି ହୋଇ ପାଳନ୍ତି । ଖୁବ୍ ମସ୍ତି କରନ୍ତି । ଏମିତିକି ଘର ଚଳାଇବା ଲାଗି ଦୁହେଁ ସାଙ୍ଗ ହୋଇ କଲିକତା ଯାଇଥିଲେ, ରୋଜଗାର କରୁଥିଲେ ।
କଲିକତାରେ କାମରେ ଥିବା ବେଳେ ହଠାତ୍ ସ୍ୱାଧୀନଙ୍କ ଘରକୁ ଯାଇଥିଲା ଫୋନ୍ କଲ୍ । ଝିଆରୀ ହୋଇଛି ବୋଲି ଜଣାଇଥିଲେ । ରଜରେ ଘରକୁ ଆସିବାକୁ କହିଥିଲେ । ହେଲେ ଝିଆରୀ ହୋଇଥିବା ଖୁସି ତାଙ୍କୁ ଏମିତି ପାଗଳ କରିଦେଇଥିଲା ଯେ ରଜ ନୁହେଁ ବରଂ ଜୁନ୍ ୨ରେ ହିଁ ସେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ । ପୂର୍ବ ଯୋଜନା ମୁତାବକ କରମଣ୍ଡଳରେ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ । ଖାଲି ସିଏ ନୁହେଁ ବରଂ ଦୁଇ ସାଙ୍ଗ ସ୍ୱାଧୀନ ଓ ଆଲୋକ ସାଙ୍ଗ ହୋଇ ଘରକୁ ଫେରୁଥିଲେ ।
Also Read
ସ୍ଥାନ-ବାହାନଗା ବଜାର...ସମୟ-----ସଂଧ୍ୟା ପ୍ରାୟ ୭ଟା ହେବ । ଘରେ ପହଞ୍ଚିବାକୁ ଆଉ ମାତ୍ର ଘଣ୍ଟାଏର ରାସ୍ତା ଥିଲା । ଝରକା ପାଖରେ ବସି ଆକାଶକୁ ଦେଖି କେତେ କଣ ସ୍ୱପ୍ନ ଦେଖୁଥିଲେ ଏଇ ଦୁଇ ସାଙ୍ଗ । ହେଲେ ଏହାରି ଭିତରେ ଶୁଭିଥିଲା ଭୟଙ୍କର ଶବ୍ଦ । ଚାହୁଁଚାହୁଁ ଅନ୍ଧାର ରାତିରେ ସବୁ କିଛି ଅନ୍ଧାର କରିଦେଲା କରମଣ୍ଡଳ । ଦୁର୍ଘଟଣା ହେବା ପରେ ଗୋଟିଏ ବଗି ତଳେ ଚାପି ହୋଇ ରହିଥିଲେ ସ୍ୱାଧୀନ । କିଛି ସମୟ ପରେ ଚେତା ଫେରିଥିଲା । ଆଉ ସେତେବେଳକୁ ଆଲୋକକୁ ଖୋଜିଥିଲେ ସ୍ୱାଧୀନ । କିନ୍ତୁ ଅନ୍ଧାର ରାତିରେ ଯେ ପିଲାଦିନର ସାଙ୍ଗ ସବୁଦିନ ପାଇଁ ଚାଲିଯାଇଛି ସେକଥା ସେ ଜାଣିନଥିଲେ ।
କରମଣ୍ଡଳ ଦୁର୍ଘଟଣା ପରେ ବାରମ୍ବାର ଆଲୋକଙ୍କର ମୋବାଇଲକୁ କଲ୍ କରୁଥିଲେ ପରିବାର ଲୋକେ । ହେଲେ ନଲାଗିବାରୁ ଷ୍ଟେସନ୍ ପାଖକୁ ଆସି ଖୋଜାଖୋଜି କରିଥିଲେ । ଖାଲି ଷ୍ଟେସନ ନୁହେଁ ବରଂ ମେଡିକାଲରୁ ମେଡିକାଲ ବୁଲି ପୁଅକୁ ଖୋଜୁଥିଲେ ବାପା । ହେଲେ ପାଇନଥିଲେ ।
ସମୟ- ରାତି ପ୍ରାୟ ୩ଟା । କରମଣ୍ଡଳର ଖଣ୍ଡବିଖଣ୍ଡିତ ବଗିରୁ ବାହାରିଲା ଆଲୋକଙ୍କର ଶବ । ବାସ୍ ଆଖି ସାମ୍ନାରେ ପୁଅର ଶବ, ସାଙ୍ଗର ଶବକୁ ଦେଖି କଣ କରିବେ କେହି କିଛି ଭାବିପାରିନଥିଲେ । ଦୁଃଖ ଏତିକିରେ ସରିନି । ଆଲୋକଙ୍କର ମାଆ ଏବେ ଶଯ୍ୟାଶାୟୀ ଅଛନ୍ତି । ଆଉ ଏତିକିବେଳେ ପୁଅର ଜୀବନ ଯାଇଥିବାରୁ ବାପା ବାକ୍ଶୂନ୍ୟ । ଗୋଟିଏ ପଟେ ଘରେ ନାତୁଣୀ ହୋଇଥିବାରୁ ସମସ୍ତେ ଖୁସିରେ ଗଦଗଦ ହେଉଥିବା ବେଳେ ଆଲୋକଙ୍କର ମୃତ୍ୟୁ ସବୁ ଖୁସିକୁ ପାଣିଫୋଟକା ପରି ମିଳେଇ ଦେଇଛି । ପିଲାଦିନର ସାଙ୍ଗକୁ ଆଖି ସାମ୍ନାରେ ହରାଇ ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି ସ୍ୱାଧୀନ । ଆଉ କହୁଛନ୍ତି,ବନ୍ଧୁ ତୁମେ ଠକିଦେଲ ।