ଚାଷ ଆରମ୍ଭରୁ ବିହନ ସମସ୍ୟା : ମିଳୁନାହିଁ ସରକାରୀ ଚିନାବାଦାମ ବିହନ, ଚଢ଼ାଦରରେ କିଣୁଛନ୍ତି ଚାଷୀ

ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ

ସରକାରୀ ବିହନ ପାଉନାହାନ୍ତି ଚିନାବାଦମ ଚାଷୀ

ଯାଜପୁର(ଗୁଲାମ ଗସ) : ମିଳୁନି ଚିନାବାଦାମ ବିହନ । ଅଧିକ ଅମଳକ୍ଷମ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇଦେବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ସରକାରୀ ବିହନ ପାଇବାରୁ ଚାଷୀ ବଞ୍ଚିତ ହେଉଛନ୍ତି । ଚାଷ ସମୟ ଗଡିଯାଉଥିବା ବେଳେ ସରକାରୀ ଚିନାବାଦାମ ବିହନ ନମିଳିବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଚାଷ ପାଇଁ କ୍ଷେତ ପ୍ରସ୍ତୁତ କରି ଚାଷ ପାଇଁ ତରତର ହେଉଥିବା ଚାଷୀ ଏବେ ହତାଶ ହୋଇପଡିଛି । ଫଳରେ ଖୋଲା ବଜାରରୁ ଚଢା ଦରରେ ବିହନ କିଣିବାକୁ ବାଧ୍ୟ ହେଉଛି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ।

ଚାଷ ଆରମ୍ଭରୁ ବିହନ ସମସ୍ୟା । ମିଳୁନି ଚିନାବାଦମ ବିହନ । ସରକାରୀ ବିହନକୁ ଅନେଇ ବସିଛି ଚାଷୀ । କିନ୍ତୁ ବିହନ ମିଳୁନାହିଁ । ପାଣିପାଗର ଲୁଚକାଳି ଖେଳ ଦେଖି ପ୍ରଥମେ ଚାଷୀ ହତାଶ ହୋଇପଡିଥିଲା । ପରେ ହଳ କରି କ୍ଷେତକୁ ଚାଷ ପାଇଁ ପ୍ରସ୍ତୁତ କରିଥିଲା । ସରକାରୀ ବିହନର ଅଭାବ ଏବେ ଚାଷୀଙ୍କ ସମସ୍ୟାକୁ ବଢାଇ ଦେଇଛି । ବିହନ ପାଇଁ ଚାଷୀ କୃଷି ବିଭାଗ ଅଫିସ ଓ ସମବାୟ ସମିତି କାର୍ଯ୍ୟାଳୟକୁ ଦୈାଡି ଦୈାଡି ହତାଶ ହେଲେଣି । କେବଳ ସେମାନଙ୍କୁ ଉତ୍ତର ମିଳୁଛି ଅପେକ୍ଷା କର । ବିହନ ଆସିଲେ ଦିଆଯିବ । ଏଣେ ଚାଷର ସମୟ ଗଡିଯାଉଥିବାରୁ ଚାଷୀ ବାଧ୍ୟ ହୋଇ ଖୋଲା ବଜାରରୁ ଚଢାଦରରେ ବିହନ କିଣି କ୍ଷେତରେ ବୁଣିବା ଆରମ୍ଭ କରିଛି । ଖୋଲା ବଜାରରୁ ଚିନାବାଦାମ ବିହନ କୁଇଂଟାଲ ପିଛା ୯ହଜାର ଟଙ୍କାରେ କିଣି ଚାଷୀ ଏବେ କଳାବଜାରୀର ଶିକାର ହୋଇଛି ।

ଚିନାବାଦାମ ଚାଷ ଏକ ଲାଭଜନକ ଫସଲ । ଯାଜପୁର ଜିଲ୍ଲାର ଧର୍ମଶାଳା ଅଧିନ ଧର୍ମଶାଳା ଅଂଚଳରେ ବ୍ୟାପକ ଭାବେ ଚିନାବାଦାମ ଚାଷ କରାଯାଇଥାଏ । ଚଳିତ ବର୍ଷ ବ୍ଲକରେ ୩ହଜାର ୫ଶହ ହେକ୍ଟର ଜିମିରେ ଚିନାବାଦାମ ଚାଷ କରିବାକୁ କୃଷି ବିଭାଗ ପକ୍ଷରୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ତେବେ ସରକାରୀ ବିହନ ଅଭାବରୁ ଚାଷୀ ହରଡଘଣାରେ ପଡିଯାଇଛି । ଏଥିଯୋଗୁ ଚଳିତଥର ଲକ୍ଷଧାର୍ଯ୍ୟ ପୂରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଚିନାବାଦମ ଅମଳ ନେଇ ମଧ୍ୟ ଆଶଙ୍କା ପ୍ରକାଶ ହୋଇଛି ।

ବିହନ କର୍ପୋରେସନ ପକ୍ଷରୁ ବିହନ ଯୋଗାଣ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଧର୍ମଶାଳା କୃଷିଅଧିକାରୀ ସୂଚନା ଦେଇଛନ୍ତି । କୃଷି ଓ କୃଷକର ବିକାଶ ପାଇଁ ସରକାର ତତ୍ପର ବୋଲି ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ପକ୍ଷେ ସରକାର କୃଷକମାନଙ୍କ ପାଇଁ କେତେ ସଚେତନ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।