ମାଲକାନଗିରିର ତରୁଣ ଦେବନାଥ। କରୋନା ପୂର୍ବରୁ ବାହାର ରାଜ୍ୟରୁ ଆଳୁ, ପିଆଜ ଓ ପରିବା କିଣି ହୋଲସେଲ୍ ବେପାର କରୁଥିଲେ। ଦୋକାନରେ ୩-୪ ଜଣଙ୍କୁ ନିଯୁକ୍ତି ବି ଦେଇଥିଲେ। କରୋନା ଯୋଗୁ ଲକଡାଉନ୍ ହେଲା, ଯାହା କିଛି ମାଲ ମଗାଇଥିଲେ, ବିକ୍ରି ନ ହୋଇ ନଷ୍ଟ ହେଲା। କିଣିଥିବା ଟ୍ରକ୍ର ଋଣ ବି ସୁଝି ନ ପାରିବାରୁ ତାହା ବି ହାତରୁ ଗଲା। ତରୁଣ ଏବେ ରାସ୍ତାକଡ଼ ପଇଡ଼ ବେପାରୀ। ସେହିପରି ନବରଙ୍ଗପୁର ଉମରକୋଟର ଦୁଷ୍ମନ୍ତ ପଟ୍ଟନାୟକ। ଧାରକରଜ କରି ପ୍ରିଣ୍ଟିଂ ପ୍ରେସ୍ ଖୋଲିଥିଲେ। ପ୍ରେସ୍ ଖୋଲିବାର ମାତ୍ର ୧୭ ଦିନ ପରେ ଆସିଲା ଲକଡାଉନ୍, ଦୋକାନରେ ପଡ଼ିଲା ତାଲା। ନା ଭଡ଼ା ଦେଇପାରିଲେ, ନା ଋଣ ସୁଝିପାରିଲେ। ଏବେ ପୁଣି ଋଣ କରି ଆଉ ଏକ ନୂଆ ଦୋକାନ ଖୋଲିଛନ୍ତି ଦୁଷ୍ମନ୍ତ।
ଭୋଗରାଇ ବଡ଼ବନ୍ଦାଣୀ ଗ୍ରାମର ଜୟଗୋପାଳ ଦାସ। ଗୁଜରାଟ ମୋରବି ସହରରେ ଏକ ସେରାମିକ୍ କମ୍ପାନିରେ ଇଲେକ୍ଟ୍ରିକ୍ ଇନଚାର୍ଜ ଥିଲେ। କରୋନା ଭୟରେ ଘରକୁ ପଳାଇ ଆସିଲେ, ପରେ ଫେରିଲା ବେଳକୁ ଆଉ ଚାକିରି ନାହିଁ। କରୋନା ବେଳେ ବେରୋଜଗାରର ଏ ଥିଲା କିଛି ଉଦାହରଣ ମାତ୍ର।
ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ରଖିଥିବା ତଥ୍ୟ କହୁଛି, ବେରୋଜଗାର ଓ ଋଣ ବୋଝ ସହି ନପାରି ଗଲା ୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୫ ହଜାରରୁ ଅଧିକ ଲୋକ। ରୋଜଗାର ନ ଥିବାରୁ ୯ ହଜାର ୧୪୦ ଜଣ ଜୀବନ ହାରିଥିବା ବେଳେ ଦେବାଳିଆପଣ ବା ଋଣବୋଝ ନେଇଛି ୧୬ ହଜାର ୯୧ ଜଣଙ୍କ ଜୀବନ। ଏନ୍ସିଆର୍ବି ତଥ୍ୟ ଆଧାରରେ ଦିଆଯାଇଥିବା ଏ ପରିସଂଖ୍ୟାନ କହୁଛି, ରୋଜଗାର ନ ଥିବାରୁ ୨୦୧୮ରେ ୨ ହଜାର ୭୪୧ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୨ ହଜାର ୮୫୧ ଜଣ ଓ ୨୦୨୦ରେ ୩ ହଜାର ୫୪୮ ଜଣ ଜୀବନ ହାରିଛନ୍ତି।
ସେହିଭଳି ଦେବାଳିଆପଣ ବା ଋଣ ଚାପରେ ୨୦୧୮ରେ ୪ ହଜାର ୯୭୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ୫ ହଜାର ୯୦୮ ଜଣ, ୨୦୨୦ରେ ୫ ହଜାର ୨୧୩ ଜଣ ଜୀବନ ହାରିଛନ୍ତି। ମାନସିକ ରୋଗ ବିଶେଷଜ୍ଞଙ୍କ କହିବା କଥା, ଜୀବିକା ହରାଇବା ପରେ ଲୋକଙ୍କ ମାନସିକ ଚାପ ବଢ଼ିଯାଏ, ଯାହାକି ସେମାନଙ୍କୁ ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ କରୁଛି। ଅର୍ଥନୀତି ବିଶାରଦଙ୍କ ମତରେ ଆଗକୁ ବେରୋଜଗାର ସ୍ଥିତିରେ ସୁଧାର ଆଣିବା ସହ ଅଧିକ କର୍ମନିଯୁକ୍ତି ସୃଷ୍ଟି କରାଗଲେ ଏଭଳି ଦୁଃସ୍ଥିତିକୁ ଏଡ଼ାଯାଇପାରିବ।
କମିଶନରେଟ୍ ପୁଲିସର ତଥ୍ୟ କହୁଛି, ରାଜଧାନୀରେ ବିଭିନ୍ନ କାରଣରୁ କେବଳ ୨୦୨୧ରେ ୨୭୭ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ଭିତରୁ ୧୯୦ ଜଣ ପୁରୁଷ, ୮୭ ଜଣ ମହିଳା।
ରିପୋର୍ଟ: ଜିତେନ୍ଦ୍ର ବେଉରା, କାର୍ତ୍ତିକ ମଲ୍ଲିକ ଓ ଅଜିତ ଦାସ