ଚିଠି ! ସମ୍ପର୍କର ଏକ ସେତୁ । କାଗଜ ଉପରେ ଗୁନ୍ଥା ହୋଇଥିବା ମନ ଗହନ କଥା । ପୁଞ୍ଜା ପୁଞ୍ଜା ଶବ୍ଦର ସମାହାରରେ ପ୍ରେମର ବାର୍ତ୍ତା । ଶୀତୁଆ ରାତିର ଝିଲମିଲ୍ ଜ୍ୟୋତ୍ସାରେ ଚିଠି ଲେଖିବାର ମଜା ସତରେ ଖୁବ୍ ନିଆରା । ହେଲେ କେବେ ସଭିଙ୍କ ପ୍ରିୟ ଥିବା ଡାକସେବା ଆଜି ସମସ୍ତଙ୍କ ପାଇଁ ଅଲୋଡ଼ା । ବିରହୀ ପ୍ରେମିକ ସାଜି ଚିଠି ଯେପରି ଆଜି କାନ୍ଦୁଛି । ପଥହରା ପଥିକ ସାଜି ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରାଉଛି । ଅତୀତରେ ଗାଁର ଗଳି ରାସ୍ତାରୁ ବାହାରି ବଡ଼ ସହର ଯାଏ ମଣିଷ ମନର ଭାଷା ପହଂଚିବାର ଏକମାତ୍ର ମାଧ୍ୟମ ସାଜିଥିବା ଡାକ ସେବା ଆଜି ସ୍ମୃତି । କେବଳ କିଛି ନିର୍ଦ୍ଦଷ୍ଟ ସରକାରୀ ଚିଠି ପହଞ୍ଚାଇବାରେ ସୀମିତ ହୋଇଯାଇଛି ଡାକ ପିଅନଙ୍କ ଚିଠି ବଣ୍ଟା କାମ । ନାହିଁ ଆଉ ସେ ଭାବପ୍ରବଣ ଲେଖାର ମହକ ,କି ଶୁଭୁନି ସେ ସାଇକେଲ ଘଣ୍ଟି ।
ହେଲେ ସେ ଯୁଗର ଚିଠି ସବୁକୁ ମନ ଫରୁଆରେ ସାଇତି ରଖିଛନ୍ତି ବାଲେଶ୍ଵର ଜିଲ୍ଲାର ପଦାଗାଁ ଡାକ ଅଫିସର ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଅନିରୁଦ୍ଧ ବେହେରା । ବିଗତ ଦିନ କଥାକୁ ସ୍ମରଣ କରି ଆଜି ସେ ନିଜର ଦୁଃଖ ବଖାଣିଛନ୍ତି । ସେ କହିଛନ୍ତି, ଚିଠି ମୋ ଜୀବନ । ମୋ ହୃଦୟ କହିଲେ ଚଳେ । ଦିନ ଥିଲା ଡାକ ପିଅନର ସାଇକେଲର ଟ୍ରିଙ୍ଗ୍ ଟ୍ରିଙ୍ଗ ଶବ୍ଦ ଶୁଣି ଯମ ବି ଫେରି ଯାଉଥିଲା । ଲୋକେ ଅପଲକ ନୟନରେ ଚିଠି ପାଇଁ ଚାହିଁ ରହୁଥିଲେ । ଆଉ ଆଜି ବି ସେଇ ସଜଳ ଆଖିର କଜର ଚିଠି ସାଇତି ରଖିଥିବା ସେ କହିଛନ୍ତି ।
Also Read
ସେ କହିଛନ୍ତି, ଚିଠିକୁ ଦେଖିଲେ ପୂର୍ବ ସ୍ମୃତି ଫେରିଆସେ । ଅତୀତର ମଧୁର ମୁହୂର୍ତ୍ତ ସବୁ ଏବେ ବି କାଗଜରେ ବନ୍ଧା ପଡ଼ିଛନ୍ତି । ୧୯୭୦ ମସିହାର ଚିଠି ମଧ୍ୟ ମୋ ପାଖରେ ରହିଛି । ଚିଠି ଦେଖିଲେ ମୋ ପିଲାଦିନ କଥା ମନେ ପଡ଼େ । ଡାକସେବା ପାଇଁ ଆମେ ଚାତକ ପକ୍ଷୀ ପରି ଚାହିଁ ରହୁଥିଲୁ । ହୁଏତ ଚିଠି ଲେଖିଥିବା ଲୋକ ଏବେ ନାହାନ୍ତି, କିନ୍ତୁ ତାଙ୍କର ଲେଖା ଏବେ ବି ମୋ ପାଖରେ ସାଇତା ହୋଇ ରହିଛି ।
ହ୍ୱାଟସଆପ୍ ଚାର୍ଟ ହେଉ କି ମେସେଞ୍ଜର ମେସେଜରେ କ’ଣ ଚିଠିର ମହକ ମିଳିବ । ଚିରସ୍ଥାୟୀ ନୁହେଁ ଏବେର ବାର୍ତ୍ତା । ଘଡ଼ିକରେ ଡିଲିଟ୍ ହୋଇଯାଉଛି ମେସେଜ । ଚିଠି ହିଁ ଚିରସ୍ଥାୟୀ, ମରିବା ପର୍ଯ୍ୟନ୍ତ ରହିବ । ଘରୁ ଖଣ୍ଡିଏ ଚିଠି ଆସିଲେ ଆନନ୍ଦରେ ପେଠ ପୂରି ଉଠେ । ଯିଏ ଅଙ୍ଗେ ଲିଭେଇଛି ସେ ଜାଣିଛି ତାର ମହତ୍ତ୍ୱ । ମୁଁ ମରିଗଲା ପରେ ମୋ ପୁଅ ସେ ଚିଠି ଦେଖିବ । ଏବେ ବି ସେ ଚିଠି ପଢ଼ିଲେ ଆଖିରୁ ଧାର ଧାର ହୋଇ ଲୁହ ବହିପଡ଼େ । ଅତୀତର ସମ୍ପର୍କ, ଭାବ ଆଉ ପ୍ରେମ ଆଜିକାଲି ଆଉ ନାହିଁ । ମୋ ଜୀବନରେ ଅନେକ ଚିଠି ସାଇତି ରଖିଛି ।
ବର୍ତ୍ତମାନ ଭିଡିଓ, ଟିଭି ଓ ମୋବାଇଲ ପାଇଁ ଡାକସେବା ଅଲୋଡ଼ା ହୋଇଯାଇଛି । ଗୋଟିଏ କ୍ଲିକରେ ସବୁ ସେବା ମିଳି ଯାଉଥିବା ବେଳେ ଚିଠି ଘର କୋଣରେ ପଡ଼ି କାନ୍ଦୁଛି । ସତରେ କ’ଣ ଆଗାମୀ ପିଢ଼ି ଆଉ ଚିଠି ଦେଖିପାରିବେ ନାହିଁ ? ହୁଏତ ତାଙ୍କ ପାଇଁ ଏହା ଏକ ସ୍ମୃତି ହୋଇ ରହିଯିବ।