ବଜେଟ୍‌କୁ ଚାହିଁ ରହିଛନ୍ତି କୋଭିଡ୍‌ରେ ହାରି ଯାଇଥିବା ମଣିଷ

ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡ଼ାଇ ନେଇଛି। ସବୁଠାରୁ ଅଧିକ ସମସ୍ୟାରେ ଅଛନ୍ତି ମଧ୍ୟବିତ୍ତ। ଆର୍ଥିକ ସୁଧାର ଓ ନିଯୁକ୍ତିକୁ ଗୁରୁତ୍ୱ ଦେବା ସହ ମହାମାରୀ ଯୋଗୁଁ ଚାପରେ ଥିବା ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ନେଇପାରନ୍ତି ପଦକ୍ଷେପ।

ବଜେଟ୍‌କୁ ଚାହିଁ ରହିଛନ୍ତି କୋଭିଡ୍‌ରେ ହାରି ଯାଇଥିବା ମଣିଷ

ଆସନ୍ତା ଫେବ୍ରୁଆରୀ ୧ରେ ଆଗତ ହେବ ସାଧାରଣ ବଜେଟ୍। ଏଥିଲାଗି ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ୫ଟି ରାଜ୍ୟରେ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବଜେଟ୍‌ରେ ଜନତା ଅନୁକୂଳ ଛବି ବଜାୟ ରଖିବାକୁ ଚେଷ୍ଟା କରିବେ କେନ୍ଦ୍ର ସରକାର। ଆର୍ଥିକ ସୁଧାର ଓ ନିଯୁକ୍ତିକୁ ଗୁରୁତ୍ୱ ଦେବା ସହ ମହାମାରୀ ଯୋଗୁଁ ଚାପରେ ଥିବା ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ନେଇପାରନ୍ତି ପଦକ୍ଷେପ। ତେବେ ଏବର୍ଷ ବଜେଟ୍‌ରୁ କ’ଣ ଆଶା ରଖିଛନ୍ତି ମଧ୍ୟବିତ୍ତ ଓ ସାଧାରଣ ବର୍ଗ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ।

ଟିକସ ସ୍ଲାବ୍‌ରେ ପରିବର୍ତ୍ତନ। ନିଜ କଷ୍ଟ ଅର୍ଜିତ ଧନ ସଞ୍ଚୟ ଲାଗି ଅଧିକ ବିକଳ୍ପ। ଦରଦାମ ହ୍ରାସ ଓ ଅଧିକ ନିଯୁକ୍ତି ସୁଯୋଗ। କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ୍‌ରୁ ପ୍ରତିବର୍ଷ ଏମିତି କିଛି ଆଶା ରରନ୍ତି ମଧ୍ୟବିତ୍ତ ଶ୍ରେଣୀ। ଆୟକରର ବଡ଼ ଅଂଶୀଦାର ଥିବା ଏ ବର୍ଗଙ୍କ ଏଭଳି ଆଶା ରଖିବା ବି ସ୍ୱାଭାବିକ। ସେଥି ପାଇଁ କେନ୍ଦ୍ର ବଜେଟ୍‌ରୁ ମଧ୍ୟବିତ୍ତ ଆଶା ରଖିଥିବା ଏ ବର୍ଷର ୱିସ୍ ଲିଷ୍ଟ୍‌ ବି ହୋଇସାରିଛି ପ୍ରସ୍ତୁତ।

ବର୍ତ୍ତମାନର ଦରଦାମ୍ ବୃଦ୍ଧି ନିଶ୍ଚିତ ଭାବେ ସମସ୍ତଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପଡ଼ିଛି ରୋଷେଇ ଶାଳରେ। ଗୋଟିଏ ପଟେ କୋଭିଡ୍ ଯୋଗୁଁ ପାରିବାରିକ ରୋଜଗାର କମିଥିବା ବେଳେ ଅନ୍ୟପଟେ ଢେର୍ ବଢ଼ିଯାଇଛି ଖାଦ୍ୟ ସାମଗ୍ରୀ ଦରଦାମ। ଏନେଇ ପ୍ରତ୍ୟେକ ଗୃହିଣୀ ଚାହୁହନ୍ତି ଏସବୁ ଜିନିଷର ତୁରନ୍ତ ଦର ହ୍ରାସ।

ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ଛଡ଼ାଇ ନେଇଥିବା ବେଳେ ଅନେକଙ୍କ ଆୟକୁ ସଙ୍କୁଚିତ କରିଦେଇଛି। ଏମିତି ଅନେକ ପରିବାର ଥିବା ବେଳେ ଗୋଟିଏ ହେଲା ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ରଜନୀକାନ୍ତ ମିଶ୍ରଙ୍କ ପରିବାର। ଗଲା ୩ ମାସ ହେଲା ପରିବାରର ମୁଖିଆ ରୋଗଶଯ୍ୟାରେ ପଡିଛନ୍ତି। ଔଷଧ ପିଛା ଢେର୍ ଖର୍ଚ୍ଚ ହେଉଛି। ଏହାସାଙ୍ଗକୁ କୋଭିଡ୍ ଯୋଗୁଁ ତାଙ୍କର ବ୍ୟୟସାୟିକ ଆୟ କମିଥିବାରୁ ପିଲାଙ୍କ ପାଠପଢ଼ା ସହ ଘରର ନିତିଦିନିଆ ଖର୍ଚ୍ଚରେ ମଧ୍ୟ ଢେର୍ ବାଧୁଛି ରଜନୀକାନ୍ତଙ୍କୁ। ଏଣୁ ବଜେଟ୍‌ରେ ସାଧାରଣ ଲୋକଙ୍କୁ ସୁହାଇଲା ଭଳି ଘୋଷଣାର ଅପେକ୍ଷାରେ ଅଛନ୍ତି ରଜନୀକାନ୍ତ।