Advertisment

କାହା ପାଇଁ ସରକାରଙ୍କ ଏହି ଯୋଜନା ? ଟାଙ୍କି ଅଛି ହେଲେ ପାଣି ନାହିଁ, ଡହଳ ବିକଳ ଲୋକେ

ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କ ଭରସା।

 Irregularities In Drinking Water Supply

Irregularities In Drinking Water Supply

Advertisment

ଖରା ଆରମ୍ଭରୁ ଜଳ ଯନ୍ତ୍ରଣା। ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କ ଭରସା। ଏଭଳି ଭାବେ ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ହେଲେ ଏଥିପ୍ରତି ନା ବିଭାଗ ନା ପ୍ରଶାସନ, କାହାରି ନଜର ପଡୁନାହିଁ। ଭଦ୍ରକ ଜିଲ୍ଲା ବାସୁଦେବପୁର ଓ କୋରାପୁଟରୁ ପାଣି ପାଇଁ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। 

Advertisment

ଘରେ ଘରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ବିରାଟ ପ୍ରକଳ୍ପ କରିଛନ୍ତି। ହେଲେ ପାଣିର ନାଁ ଗନ୍ଧ ନାହିଁ। ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ବେଳେ ଗେଟରେ ତାଲା ଝୁଲୁଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବାଭାବେ ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ଏହି ପ୍ରକଳ୍ପ କରାଯାଇଥିବା ବେଳେ ଏଥିପାଇଁ ୮୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। 

୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ସହ ଗାଁ ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ପାଣି ଟାଙ୍କି କରାଯାଇ ଟ୍ୟାପ୍ ବ୍ୟବସ୍ଥା କରାଯାଇଥିଲା। ଆରମ୍ଭରୁ କିଛି ମାସ ଠିକ୍‌ଠାକ୍ ଚାଲିଲା। ହେଲେ ୫ ମାସ ହେବ ଅଚଳ ହୋଇ ପଡ଼ି ରହିଛି ଏହି ପ୍ରକଳ୍ପ।  ଏବେ ଗାଁରେ ଥିବା ନଳକୂପ ହିଁ ଲୋକଙ୍କ ପାଇଁ ସାହାରା ସାଜିଛି। ପାଣି ଟିକିଏ ପାଇଁ ଏଠାରେ ନିଇତି କସରତ ଚାଲିଛି।  ପାଣି ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଅସୁବିଧା ସମ୍ପର୍କରେ ବାରମ୍ବାର ଜଣା ଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ଏନେଇ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିବେ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।  

Advertisment

ସେହିପରି କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାର ନିକଟ ବଡକେରେଙ୍ଗା ପଞ୍ଚାୟତ ସଲମନଗୁଡା ଗାଁରେ ମଧ୍ୟ ପାଣି ସମସ୍ୟା ଦେଖିବାକୁ ମିଳିଛି। ଚୁଆରୁ ପାଣି ଛାଣି ଲୋକେ ଏହାକୁ ପିଉଛନ୍ତି। ବର୍ଷ ବର୍ଷ ଧରି ପାଣି ପାଇଁ ଏମିତି ଡହଳବିକଳ ହେଉଛନ୍ତି ଲୋକେ।  ଗାଁରେ ୬ଟି ନଳକୂପ ଥିଲେ ମଧ୍ୟ ଖରାଦିନେ ଏହା ଶୁଖି ଯାଉଛି। ଗାଁ ଭିତରେ ଥିବା ଗୋଟିଏ କୂଅ ସମୁଦ୍ରକୁ ଶଙ୍ଖେ ଭଳି। ସରକାରଙ୍କ ପକ୍ଷରୁ ସୋଲାର ଦ୍ୱାରା ଜଳ ଯୋଗାଣ ପାଇଁ ଟାଙ୍କି ରହିଥିଲେ ମଧ୍ୟ ୫ ବର୍ଷ ହେଲା ସେଥିରେ ପାଣି ଆସୁନି। ତେଣୁ ଗାଁଠୁ ୨କିଲୋମିଟର ଦୂରରେ ଥିବା ଏହି ଚୁଆରୁ ପିଇବା ପାଣି ଛାଣିକି ଆଣିଥାନ୍ତି ଲୋକେ। କେବଳ ଏତିକି ନୁହେଁ ଗାଁର ପରିତ୍ୟକ୍ତ ପୋଖରୀରେ ଲୋକଙ୍କୁ ଗଧୋଇବାକୁ ପଡୁଛି। ତେବେ ଖୁବ୍‌ଶୀଘ୍ର ଟ୍ୟାଙ୍କର ଯୋଗେ ପାଣି ବ୍ୟବସ୍ଥା କରାଯିବ ବୋଲି ବିଡିଓ କହିଛନ୍ତି। 

ଭଦ୍ରକ ଜିଲ୍ଲା ବାସୁଦେବପୁରର ଅଚଳ ପ୍ରକଳ୍ପ କେବେ ସଚଳ ହେଉଛି ଏବଂ କୋରାପୁଟ କୋଲାବ ଅଞ୍ଚଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଜଳ ଯନ୍ତ୍ରଣାରୁ ଲୋକଙ୍କୁ କେବେ ମୁକ୍ତି ମିଳୁଛି। ତାକୁ ଅପେକ୍ଷା।   

Advertisment

(ବାସୁଦେବପୁରରୁ କିରୀଟି ଦାସ ଓ କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ)

Water Supply Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ