ବିକିବାକୁ ଆଣିଥିବା ଜିନିଷର ନାଁ କହି ପାରନ୍ତିନି, ଠରାଠରିରେ ପରିବା ବିକି ରୋଜଗାର କରୁଛନ୍ତି ଦିବ୍ୟାଙ୍ଗ ଟୁକୁନା

ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ତଥା ସାଧାରଣ ଲୋକଙ୍କ ପାଇଁ ଟୁକୁନା ଏକ ପ୍ରେରଣା.. ମୋଟା ଅଙ୍କର ବ୍ୟାଙ୍କ୍ ବାଲାନ୍ସ, ଦାମୀ ଗାଡ଼ି, ଆଲିଶାନ କୋଠାଘରକୁ ଯଦି ସଫଳତାର ମାନଦଣ୍ଡରୁ ବାଦ୍ ଦିଆଯାଏ ତେବେ ଦିବ୍ୟାଙ୍ଗ ଟୁକୁନା ବି ଜଣେ ସଫଳ ବ୍ୟବସାୟୀ

ଠରାଠରିରେ ବେପାର

ସେ ନିଜେ କଥା କହିପାରନ୍ତି ନାହିଁ । ଯାହା ପନିପରିବା ଆଣିଛନ୍ତି, ତା ନାଁ ବି କହିପାରନ୍ତି ନାହିଁ । କିନ୍ତୁ ହାତ ଠାର ଆଉ ଆ.. .. ଆ.. .. .. ଶବ୍ଦ କରି ମୋଟର ସାଇକେଲରେ ଗାଁ କୁ ଗାଁ ବୁଲି ବିଭିନ୍ନ ପରିବା ବିକ୍ରି କରିବାରେ ପାରଙ୍ଗମ । କୌଣସି ସୁସ୍ଥସବଳ ସକ୍ଷମ ଲୋକଠାରୁ କମ୍ ନୁହଁନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତ ସାଏନ୍ତା ଗାଁ ର ଦିବ୍ୟାଙ୍ଗ ଟୁକୁନା ସାହୁ ।

ଜନ୍ମରୁ ଟୁକୁନା କଥା କହିପାରନ୍ତି ନାହିଁ । କିନ୍ତୁ ନିଜକୁ କେବେ ହାର ମାନି ନାହାନ୍ତି । ପ୍ରତିଦିନ ନିଜ ମୋଟର ସାଇକେଲରେ ବିଭିନ୍ନ ପ୍ରକାର ପନିପରିବା ସାଙ୍ଗକୁ ଓଜନ କଂଟା ଧରି ବାହାରି ପଡ଼ନ୍ତି । ଆଉ ଗାଁ ଗାଁ ରେ ପହଂଚି ପନିପିବା ବିକ୍ରି କରନ୍ତି । କଥା କହିପାରୁନଥିଲେ ବି ଟୁକୁନା ହାତରେ ପରିବାର ଦାମ୍ ହାତ ଠାରି କହିଦିଅନ୍ତି । ଓଜନ କରି ଦେଇ ଦିଅନ୍ତି । ଲୋକଙ୍କ ଠାରୁ ଠିକ୍ ଠିକ୍ ପଇସା ଗଣି ନିଅନ୍ତି ଓ ଦିଅନ୍ତି ।

ନିଜେ ଦିବ୍ୟାଙ୍ଗ ହେଲେ ବି କେବେ ମନଉଣା କରନ୍ତିନି । ନିଜ ଗାଁ ଠାରୁ ଦୂର ୨୦/୩୦ କିଲୋମିଟର ଦୂର ପର୍ଯ୍ୟନ୍ତ ପଳାଶପୁର, ମତୋ, ଘଂଟେଶ୍ୱରୁ, ରାଜକନିକା ଆଦି ଅଂଚଳରେ ପରିବା ବେପାରୀ ହିସାବରେ ବେଶ୍ ନାମ ରହିଛି ଟୁକୁନାଙ୍କର । ଯଦି କେହି କେବେ ତାଙ୍କ ନାଁ ପଚାରନ୍ତି ଆଉ ଗାଁ ପଚାରନ୍ତି, ଦିବ୍ୟାଙ୍ଗ ଆଇ-କାର୍ଡ଼ ଦେଖାଇବା ସହିତ ମୋଟରସାଇକେଲ ଆଗରେ ଲେଖା ଯାଇଥିବା ନିଜ ଗାଁର ମନ୍ଦିରକୁ ଦର୍ଶାଇ ଦିଅନ୍ତି ।

କଠିନ ପରିଶ୍ରମ କରି ବେଶ୍ ଦି ପଇସା ରୋଜଗାର କରୁଛନ୍ତି ଟୁକୁନା । ନିଜକୁ ଅସହାୟ ଭାବୁଥିବା ପ୍ରତିଟି ଦିବ୍ୟାଙ୍ଗ ଓ ସାଧାରଣ ଲୋକଙ୍କ ପାଇଁ ଟୁକୁନା ଯେ ସୁନିଶ୍ଚିତ ପ୍ରେରଣା ଓ ଉଦାହରଣ ଦାୟକ କହିବା ଅତ୍ୟୁକ୍ତି ହେବ ନାହିଁ ।

ଚାନ୍ଦବାଲି, ବାସୁଦେବ ଦାସ,