ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି । ଏ କଥା ଅକ୍ଷରେ ଅକ୍ଷରେ ସତ । ସଂସାରରେ ଭଲ କାମ କରିଥିବା କିଛି ଲୋକ ସବୁଦିନ ପାଇଁ ଅମର ହୋଇଯାଆନ୍ତି । ମଲା ପରେ ବି ତାଙ୍କୁ ସମସ୍ତେ ଝୁରି ହୁଅନ୍ତି । ଏମିତି ଜଣେ ମହିୟସୀ ମହିଳା ଥିଲେ ଛାୟା ମାଆ । ତାଙ୍କ ମୃତ୍ୟୁ ପରେ ବି ଲୋକେ ତାଙ୍କୁ ମନେ ରଖିବେ । ନିଜର କେହି ନଥିବା ବେଳେ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ ସ୍ଥାନୀୟ ଲୋକେ । ସମସ୍ତେ ଏକାଠି ହୋଇ ତାଙ୍କର ଅନ୍ତିମ ସଂସ୍କାର କରାଇଥିଲେ । ବ୍ରାହ୍ମଣ ଭୋଜନ ସହ ଯଥାମାନ୍ୟ ଦକ୍ଷିଣା ମଧ୍ୟ ଦିଆଯାଇଥିଲା ।
ଛାୟାମାଆ କିଏ ?
ଛାୟାମାଆ କେଉଁଠି କାର କେହି ଜାଣିନାହାନ୍ତି । କିନ୍ତୁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସେ ନିଶ୍ଚିନ୍ତକୋଇଲି ହାଟ ପାଖରେ ରହୁଥିଲେ । ଭିକ୍ଷା କରି ଚଳୁଥିଲେ । ସେଇଥିରୁ ଯାହା ବଳେ ମନ୍ଦିରକୁ ଦାନ କରୁଥିଲେ । ଅନେକ ମନ୍ଦିର ମଧ୍ୟ ସେ ପ୍ରତିଷ୍ଠା କରିଛନ୍ତି । ତାଙ୍କ ପରିବାର କହିଲେ, ସେ ଜଣେ ହିଁ ଥିଲେ । କିନ୍ତୁ ସମସ୍ତଙ୍କୁ ନିଜ ପୁଅ ଝିଅ ଭଳି ଭଲପାଉଥିଲେ । ଆଉ ସ୍ନେହ ଭରା ବ୍ୟବହାର କରୁଥିଲେ। କିଛି ଦିନ ପୂବରୁ ୮୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଗଲା । ତାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବାକୁ ବାହାରି ଆସିଲେ ଅଞ୍ଚଳର ଯୁବକମାନେ । ଯଥାରୀତି ସହ ଶବ ସତ୍କାର କରାଗଲା । ପରେ ସେହି ଛାୟା ମାଆଙ୍କର ଏକାଦଶାହରେ ହେଲା ଭିଡ଼।
ସେ ଥିଲେ ସମସ୍ତଙ୍କର ମାଆ
ବେଳେ ବେଳେ ଶବକୁ ଅତ୍ମୀୟମାନେ ପଚାରୁ ନଥିବା କଥା ସମସ୍ତଙ୍କୁ ଜଣା । ଆଉ ଏକାଦଶାହ କଥା ତ ଛାଡନ୍ତୁ । ହେଲେ ଛାୟା ମାଆଙ୍କର ଶହ ଶହ ପୁଅ । ରକ୍ତ ସଂପର୍କ ନଥିଲେ ବି ଏଠି ସମ୍ପର୍କ ହେଉଛି, କେବଳ ନିରୋଳା ସ୍ନେହ ଓ ଶ୍ରଦ୍ଧାର। ନା କିଛି ଦେବାର ନା କିଛି ପାଇବାର । ବାସ୍ କେବଳ ଭଲପାଇବା । ଛାୟାମାଆଙ୍କର ଭଲ ପାଇବା ଓ ବ୍ୟବହାର ଥିଲା ଅନନ୍ୟ । ସମସ୍ତେ ତାଙ୍କୁ ମାଆ ବୋଲି ଡାକୁଥିଲେ। ତାଙ୍କର କେହି ନିଜର ନହେଲେ ବି ତାଙ୍କର ଶେଷକୃତ୍ୟ ଠାରୁ ଏକାଦଶାହ ଯାଏ ସେଇଥି ପାଇଁ ଏ ଆୟୋଜନ।
ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ