Irregularities in paddy procurement in Bhadrak, farmers suffer
କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏଭଳି ମଣ୍ଡି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଫଳ ଶୂନ। ଶେଷରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ନେଇ ସତ ସାମ୍ନାକୁ ଆସିଛି।
ଭଦ୍ରକ ଜିଲ୍ଲାରେ ୧୨ ହଜାରରୁ ଅଧିକ ଚାଷୀଙ୍କ ଟୋକନ ଲାପସ୍ ହୋଇଥିଲା। ଫଳରେ ଅନେକ ଚାଷୀ ଧାନ ବିକ୍ରି କରିପାରି ନଥିଲେ। କିଛି ଅସାଧୁ ବ୍ୟବସାୟୀ ଧାନ ନଆଣି ବିକ୍ରି କରିଥିବା ବେଳେ ପ୍ରକୃତ ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି। ସରକାରୀ ରେକର୍ଡରେ ୩୮ ହଜାର କ୍ୱିଣ୍ଟାଲ ଧାନ କିଣା ହୋଇଥିବା କଥା ଉଲ୍ଲେଖ କରାଯାଇଛି। ତେବେ ଯାଞ୍ଚ ବେଳେ ମିଛ ଧରାପଡ଼ିଛି।
କିଣାଯାଇଥିବା ଧାନ ପରିମାଣରୁ ମିଲର ଉଠାଇଥିବା ଧାନ ପରିମାଣକୁ ବିୟୋଗ କଲେ ଅବଶିଷ୍ଟ ଧାନ ମଣ୍ଡିରେ ଗଚ୍ଛିତ ରହିବା କଥା। କିନ୍ତୁ ହଜାର ହଜାର କ୍ୱିଣ୍ଟାଲ ଧାନ ରେକର୍ଡରୁ ଗାଏବ ହୋଇଯାଇଛି। ଫଳରେ ୧୦ଟି ସମବାୟ ସମିତି ଓ ୫ ସ୍ୱୟଂ ସହାୟିକା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ରାଜ୍ୟ ଯୋଗାଣ ନିଗମ ସୁପାରିସ କରିଛି। ଚଳିତ ବର୍ଷ ୯୬ଟି ସମବାୟ ସମିତି ଓ ୫୮ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକିଣାରେ ନିୟୋଜିତ କରାଯାଇଥିଲା।
ଭଦ୍ରକ ଜିଲ୍ଲାରେ ମଣ୍ଡିରେ ଧାନ କିଣା ନ ଯାଇ କେବଳ କାଗଜପତ୍ର ପ୍ରସ୍ତୁତ କରାଯାଇ ମିଲର-ଦଲାଲଙ୍କୁ ଫାଇଦା ଦିଆଯାଉଥିବା ନେଇ ରାଜ୍ୟ ଯୋଗାଣ ନିଗମ ପାଖେ ଖବର ପହଞ୍ଚିଥିଲା। ପରେ ରାଜ୍ୟ ନିଗମର ଏକ ଟିମ୍ ଗତ ଫେବୃଆରୀ ୨୬ରେ ଭଦ୍ରକ ଜିଲା ଗସ୍ତରେ ଆସି ଯାଞ୍ଚ କରିଥିଲେ। ଏହି ଟିମ୍ ଧାନକିଣା କେନ୍ଦ୍ର, ମଣ୍ଡିକୁ ଯାଇ ତଦନ୍ତ କରିଥିଲେ। ଏହାପରେ ରାଜ୍ୟ ଯୋଗାଣ ନିଗମକୁ ଦୁର୍ନୀତି ବାବଦରେ ରିପୋର୍ଟ ଦେବା ପରେ ଏପ୍ରିଲ ୨୫ରେ ବିଭାଗୀୟ ଅତିରିକ୍ତ ସଚିବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଭଦ୍ରକ ଜିଲ୍ଲାପାଳ ଓ ସମବାୟ ସମିତିର ରାଜ୍ୟ ନିବନ୍ଧକଙ୍କୁ ଚିଠି କରିଥିଲେ। ଉଭୟ ସମବାୟ ଓ ସମାଜ ମଙ୍ଗଳ ବିଭାଗ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଏବେ କଡ଼ା କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କ ଅପେକ୍ଷା।
ଅନ୍ୟପକ୍ଷେ, ଘଟଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି। ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଯୋଗାଣ ନିଗମର ଯାଞ୍ଚ ଟିମ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେବା ସମିତିର କଳା କାରନାମା ସାମ୍ନାକୁ ଆସିଥିବା ବେଳେ ଏବେ ଅପେକ୍ଷା କାର୍ଯ୍ୟାନୁଷ୍ଠାନକୁ।
(ଭଦ୍ରକରୁ ପାର୍ଥସାରଥୀ ନାୟକଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653539407.jpg)