‘ବାପ ମୋର କେହି ନାହାନ୍ତି । ମାଗିକି ଖାଉଛି । ମୋତେ ଖାଇବାକୁ ଦେବୁ ତ’। ଶୀତ କାକରରେ ପଡ଼ିଆ ମଝିରେ ପଡ଼ି ରହିଥିବା ଅସହାୟ ବୃଦ୍ଧ ହାତଯୋଡ଼ି ସାହାଯ୍ୟ କରିବାକୁ ନେହୁରା ହେଉଛନ୍ତି । ଦେଖିଲେ ଆଖିରୁ ଲୁହ ଝରିଆସିବ । କି କଷ୍ଟ କି ଯନ୍ତ୍ରଣା ସତରେ । ଛିଣ୍ଡା ସାର୍ଟ ଆଉ କୋତରା ଗାମୁଛାରେ କଟୁଛି ଜୀବନ। କେତେବେଳେ ଗୁରୁଣ୍ଡୁଛନ୍ତି ତ କେତେବେଳେ ଖରାରେ ଅସହାୟ ଅବସ୍ଥାରେ ପଡ଼ିଛନ୍ତି । ବୟସର ଅପରାହ୍ନରେ ବାର ଦୁଆର ହେଉଛନ୍ତି ।
ନିଜେ ଚାଲି ପାରୁ ନଥିବା ବେଳେ ହାଡ଼ଭଙ୍ଗା ଶୀତରେ ଜୀବନ ଧରି ବଞ୍ଚିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି । ସାଙ୍ଗରେ ଅଛନ୍ତି ଦୃଷ୍ଟିବାଧିତ ସ୍ତ୍ରୀ । ଏ ବୟସରେ ପିଲାବୋହୂ ନାତିନାତୁଣୀ ମେଳରେ ହସଖୁସିରେ ଜୀବନ ବିତାଇବା କଥା । କିନ୍ତୁ ସେମାନଙ୍କ ପାଇଁ ସେସବୁ ସାତସପନ । ବାଲେଶ୍ଵର ଜିଲ୍ଲା ଭୋଗରଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଏମିତି ଦୟନୀୟ ଜୀବନ ବିତାଉଛନ୍ତି ।
ଗରିବ ଦୁଃଖୀରଙ୍କୀଙ୍କ ପାଇଁ ସରକାର କରିଛନ୍ତି ମାଳ ମାଳ ଯୋଜନା । ହେଲେ ଯୋଜନା ଯେମିତି ଯୋଜନା ବାଟରେ ରହିଯାଇଛି । ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ନାହିଁ , କି ପେଟ ପୂରା ଖାଇବାକୁ ନାହିଁ । ରାତି ହେଲେ ଗ୍ରାମରେ ଥର ଥର ଶୀତରେ ଝରକା କବାଟ ନଥିବା ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରରେ ଆଶ୍ରୟ ନେଉଛନ୍ତି ।
ଭୋଗରାଇ ବ୍ଲକ ପଲସିଆ ଗ୍ରାମର ବୃଦ୍ଧ ଦମ୍ପତି ଅମୂଲ୍ୟ ଜେନା ଓ ସ୍ତ୍ରୀ ପାର୍ବତୀ ଜେନା । ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ ଓ ଭତ୍ତା । ଘର ଖଣ୍ଡିଏ ନଥିବାରୁ ୨୫ ବର୍ଷ ହେବ ରାସ୍ତା କଡ଼ରେ ଜୀବନ ବିତାଉଥିଲେ । ବାର୍ଦ୍ଧକ୍ୟ ଆସିବାରୁ ଗ୍ରାମବାସୀ ଏକ ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ଦେଇଛନ୍ତି । ଏ ବୟସରେ ଏମିତି ହନ୍ତସନ୍ତ ଜୀବନ । ସ୍ତ୍ରୀ ପାର୍ବତୀ ଜେନା ନିଜେ ଦୃଷ୍ଟିବାଧିତ ହୋଇ ମଧ୍ୟ ସ୍ୱାମୀର ଖାଇବା ପାଇଁ ଚୁଲିରେ ଭାତ ରାନ୍ଧି ଦେଉଛନ୍ତି । ଅତି କଷ୍ଟରେ ଚଳୁଛନ୍ତି । ଘର ଖଣ୍ଡିକ ପାଇଁ ନେହୁରା ହେଲେ ନା ସରପଞ୍ଚ ବୁଝୁଛନ୍ତି ନା ଅନ୍ୟ କେହି ଲୋକ ପ୍ରତିନିଧି । ଏ ବୟସରେ କାମ ତ କରି ପାରିବେ ନାହିଁ । ବାଧ୍ୟ ହୋଇ ବୃଦ୍ଧା ଜଣକ ମାଗି ଆଣିଲେ କିମ୍ବା ଭିକ ମାଗି ଆଣିଲେଏମିତି ଚୁଲି ଜାଳି ମୁଠେ ଫୁଟାଇ ଦିଅନ୍ତି ।
ବୃଦ୍ଧ ଦମ୍ପତିଙ୍କ ସନ୍ତାନ ନଥିବାରୁ ସେମାନେ ପର ଘରେ ଜୀବନ ବିତାଉଥିଲେ । ବୟସ ହୋଇଯିବାରୁ ଗ୍ରାମବାସୀ ମାନେ ରହିବା ପାଇଁ ଗ୍ରାମରେ ଥିବା ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ର ଘରଟିକୁ ବ୍ୟବହାର ପାଇଁ ଦେଇଛନ୍ତି । ଛାତି ଯନ୍ତ୍ରଣା ଥିବାରୁ ଲୋକେ ଚକିତ୍ସା ମଧ୍ୟ କରାଇଛନ୍ତି । ଏ ବୟସରେ ଆଗକୁ ପଛକୁ କେହି ନଥିବା ବେଳେ ସରକାରୀ ଯୋଜନା କାହା ପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
ବୃଦ୍ଧ ବୟସରେ କାନ୍ଦି କାନ୍ଦି ହାତ ଯୋଡି ସାହାଯ୍ୟ ପାଇଁ ଗୁହାରୀ କରୁଛନ୍ତି ବୃଦ୍ଧ ଦମ୍ପତି । ତେବେ ଏମାନଙ୍କ ଦୁଃଖ ଶୁଣିବା ପରେ ସରକାରଙ୍କ ନିଦ ଭାଙ୍ଗିବ କି ନାହିଁ, ତାହା ସମୟ କହିବ ।