ନିଆରା ମଣିଷଙ୍କ ନିଆରା କାମ : ରାସ୍ତା କଡ଼ରେ ଭଜନ ଗାଇ ଦିବ୍ୟାଙ୍ଗଙ୍କ ସାହାରା ସାଜୁଛନ୍ତି ଦିବ୍ୟାଙ୍ଗ

ଭଜନ ସନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କରୁଛନ୍ତି, ନିଜର ଓ ଅନ୍ୟର ସାହାରା ସାଜିଛନ୍ତି ।

ନିଆରା ମଣିଷଙ୍କ ପ୍ରଶଂସନୀୟ କାମ

ଆଜିର ଦୁନିଆରେ ସମସ୍ତେ ସ୍ୱାର୍ଥପର । ପୁଅ ପାଇଁ ବାପା ଚିନ୍ତା କରୁନି କି ବାପା ପାଇଁ ପୁଅ ଚିନ୍ତା କରୁନି । ଆଧୁନିକ ଦୁନିଆର ତାଳେ ତାଳେ ଚାଲିବାକୁ ସମସ୍ତେ ଧାଉଁଛନ୍ତି, ଏକପ୍ରକାର ରେସ ଲାଗିଛି । ଏମିତି ମନସିକତା ଭିତରେ ଦିବ୍ୟାଙ୍ଗଙ୍କ କଥା କିଏ ପଚାରେ । ପେଟ ପାଟଣା ପାଇଁ ସେମାନେ ଭିକ ମାଗିବା ଏକ ସାଧାରଣ ଘଟଣା । ହେଲେ ନବରଙ୍ଗପୁର ଜିଲ୍ଲା ଗରୁଡ୍‌ଗୁଡାର ଏକ ଦୃଷ୍ଟିହୀନ ଅନୁଷ୍ଠାନରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ସେଠାରେ ଦିବ୍ୟାଙ୍ଗମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।  

ଗରୁଡ୍‌ଗୁଡାରେ ତିଆରି ହୋଇଛି ଏକ ଦୃଷ୍ଟିହୀନ ଅନୁଷ୍ଠାନ । ଯେଉଁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜୀବନ ଜିଇଁବାର କଳା ଶିଖୁଛନ୍ତି । କିଏ ଗୀତ ଗାଉଛି ତ କିଏ ଭଲ ପାଠ ପଢ଼ୁଛି, ପୁଣି ଆଉ କାହାର ବାଦ୍ୟଯନ୍ତ୍ରରେ ରହିଛି ରୁଚି । ସେଠାରେ ଦିବ୍ୟାଙ୍ଗ ପିଲାଙ୍କ ପାଠ ପଢା, ଖାଇବା ପିଇବା ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଆଉ ସେଠାରୁ ଶିକ୍ଷା ପାଇଁ ଦିବ୍ୟାଙ୍ଗମାନେ ଗାଁ ଗାଁ ବୁଲି ଭଜନ ସନ୍ଧ୍ୟା କରୁଛନ୍ତି । ଭଗବାନଙ୍କ ନାମ ଜପିବା ସହ ନିଜ ପାଇଁ ଓ ଅନ୍ୟ ପାଇଁ ଆହାର ଯୋଗାଡ଼ କରୁଛନ୍ତି । ଫଳରେ ସେମାନଙ୍କୁ ନା ପର ଉପରେ ନିର୍ଭର ହେବାକୁ ପଡ଼ୁଛି ନା ଭିକ ମାଗିବାକୁ ପଡ଼ୁଛି ।

କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଭଜନ ସଂନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କାର୍ଯ୍ୟକ୍ରମ କରୁଛନ୍ତି । ସେଥିରୁ ମିଳୁଥିବା ସହଯୋଗ ରାଶିରେ ନିଜେ ବଂଚିବା ସହ ଅନ୍ୟ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାର ଚେଷ୍ଟା କରୁଛନ୍ତି । ଗତକାଲି ସଂଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପହଂଚି ସେମାନେ ଭଜନ ପରିବେଷଣ କରିଥିଲେ । ଦିବ୍ୟାଙ୍ଗଙ୍କ ସୁମଧୁର କଣ୍ଠରୁ ଭଜନ ଶୁଣି ବେଶ ଖୁସି ହୋଇଥିଲେ ଦର୍ଶକ, ଆଉ ଜଣେ ପରେ ଜଣେ ଆସି ଦେଇଯାଉଥିଲେ ସହଯୋଗ ରାଶି । ସତରେ ଅନ୍ୟ ଦିବ୍ୟାଙ୍ଗଙ୍କ ବୋଝ ନିଜ ମୁଣ୍ଡରେ ମୁଣ୍ଡାଇଥିବା ଏହି ଦିବ୍ୟାଙ୍ଗଙ୍କ ଏଭଳି ମହତକାମକୁ ଶତଶତ ପ୍ରଣାମ। 

ରବୀନ୍ଦ୍ର ହୋତା, ସୁବର୍ଣ୍ଣପୁର