Advertisment

ବାତ୍ୟା ଜୱାଦରେ ରାଜ୍ୟର ୧୩୧ ବ୍ଲକ ପ୍ରଭାବିତ

ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ।

ଅଦ୍ୟତନ ହୋଇଛି
Cyclone affected Areas

Cyclone affected Areas

Advertisment

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ ପ୍ରଭାବରେ ରାଜ୍ୟର ଉପକୂଳ ୬ଟି ଜିଲ୍ଲାରେ ହୋଇଥିବା ବ୍ୟାପକ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରି ଦିଲ୍ଲୀ ଫେରିଯାଇଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କେନ୍ଦ୍ରୀୟ ଟିମ୍ ଗତକାଲି ଓ ଆଜି ଲଗାତର ୨ ଦୁଇ ଦିନ ଧରି ଏହି ଟିମ୍ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତିକୁ ଆଖିରେ ଦେଖିବା ସହ ଚାଷୀଙ୍କ ବେଦନାକୁ ଅନୁଭବ କରିଛି। ବାତ୍ୟା ଯିବାର ୬ ଦିନ ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତିରେ ସାମାନ୍ୟ ସୁଧାର ବି ଆସିନଥିବା କେନ୍ଦ୍ରୀୟ ଟିମ ଦେଖିବାକୁ ପାଇଛି।ପରେ ଭୁବନେଶ୍ୱର ଫେରି ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଯାଇଛି କେନ୍ଦ୍ରୀୟ ଟିମ୍।

Advertisment

ଯାଜପୁର, ଜଗତସିହଂପୁର, କେନ୍ଦ୍ରାପଡ଼ା, ଗଞ୍ଜାମ। ଉପକୂଳ ଓଡ଼ିଶାର ଯୁଆଡ଼େ ଦେଖିବ, ସେଆଡ଼େ ବାତ୍ୟା ଜୱାଦ ପ୍ରଭାବରେ ନଷ୍ଟଭ୍ରଷ୍ଟର ପୁଳା ପୁଳା ପାଦଚିହ୍ନ। ଜଓ୍ୱାଦ ଯିବାର ୬ ଦିନ ପରେ ବି ସୁଧୁରିନି କ୍ଷେତର ସ୍ଥିତି କି ସୁଖିନି ଚାଷୀର କ୍ଷତ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଆଣ୍ଠୁଏ ପାଣିରେ ସଢ଼ି ପଚି ସମ୍ପୂର୍ଣ୍ଣ ନଷ୍ଟ ହେଲାଣି ଏକର ଏକର ଧାନ ଫସଲ। ଯାହା ଖାଲି ଚାଷୀଙ୍କୁ ନୁହେଁ, ବରଂ ବାତ୍ୟା ଜଓ୍ୱାଦ କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳକୁ ବି ଚମକାଇ ଦେଇଛି। ଅନୁରୁପ ସ୍ଥିତି ଯାଜପୁର ଜିଲ୍ଲାର। ଆଜି ଓ ଗତକାଲି ଦୁଇ ଦିନ ଧରି ବିଂଝାରପୁର, ଦଶରଥପୁର, ଧର୍ମଶାଳା ଓ ବଡ଼ଚଣା ବ୍ଲକ ବୁଲି କେନ୍ଦ୍ରୀୟ ଟିମ୍ ଫସଲ କ୍ଷତିର ଅନୁଧ୍ୟାନ କରିବା ବେଳେ ଚାଷୀ ଦେଖାଇଥିଲେ କ୍ଷୟକ୍ଷତିର ଜୀବନ୍ତ ଚିତ୍ର।

ସେହିଭଳି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ଏରସମା, କୁଜଙ୍ଗ ବ୍ଲକରେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ବେଳେ କେନ୍ଦ୍ରୀୟ ଟିମକୁ ସହାୟତାର ଅନୁରୋଧ କରିଥିଲେ ଶହ ଶହ ଚାଷୀ। ଏଠି ବି ପାଣିରେ ବୁଡ଼ିରହିଥିବା ଧାନ ଫସଲର ପୁଳା ପୁଳା ଉଜୁଡ଼ା ସ୍ଥିତି ଦେଖିବାକୁ ପାଇଥିଲେ କେନ୍ଦ୍ରୀୟ ଟିମ୍। ଏପଟେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଛତ୍ରପୁର ଓ ଖଲ୍ଲିକୋଟର ପ୍ରଭାବିତ ଅଞ୍ଚଳ ବୁଲି ଜଓ୍ୱାଦ ଦ୍ୱାରା ପ୍ରଭାବିତ ଫସଲ କ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୟୀ ଟିମ୍ ସଦସ୍ୟ। ଏହି ଅବସରରେ ତୁରନ୍ତ ସହାୟତା, କୃଷି ଋଣ ଛାଡ଼ ଓ କିଛି ସ୍ଥାୟୀ ପ୍ରତିକାର ପ୍ରସଙ୍ଗ ନେଇ ଦାବି ରଖିଥିଲେ ଚାଷୀ।

Advertisment

ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଆଜି ଅପରାହ୍ଣରେ ଭୁବନେଶ୍ୱର ଫେରି ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ  ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ, କୃଷି ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ। ବୈଠକରେ ଜଳନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର, ଭାଗଚାଷୀଙ୍କୁ କ୍ଷତିପୂରଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ଟିମ୍ ଆଜି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଗୃହ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ହସ୍ତାନ୍ତର କରିବ।

ବାତ୍ୟା ଜଓ୍ବାଦରେ ରାଜ୍ୟର ୧୩୧ଟି ବ୍ଲକ ପ୍ରଭାବିତ ହୋଇଛି। ବାତ୍ୟା ଜୱାଦ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାର ୧୩୧ଟି ବ୍ଲକ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ଜଗତସିଂହପୁର, ନୟାଗଡ଼, ଯାଜପୁର, ମୟୂରଭଞ୍ଜ ସଂପୃକ୍ତ ୧୨ ଜିଲ୍ଲାର ୫.୭୮ ଲକ୍ଷ ହେର ଜମି କ୍ଷତିଗ୍ରସ୍ତ ହୋଇଛି। ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ହେବ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧତ୍କାରୀଙ୍କ ସହ କେନ୍ଦ୍ରୀୟ ଟିମ୍‌ ଆଲୋଚନା ହୋଇଛି।

Advertisment
Bhubaneswar Cyclone Jawad Affected Areas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ