ବଲିଉଡ୍ ପ୍ରେମରେ ଆଫ୍ରିକୀୟ ଭାଇ-ଭଉଣୀ; କରୁଛନ୍ତି ଧମାଲ

ବଲିଉଡ୍ ଗୀତରେ ପାଗଳ ହୋଇଛନ୍ତି ଆଫ୍ରିକାର ଏହି ଭାଇ-ଭଉଣୀ ଯୋଡି। ବଲିଉଡ ଗୀତରେ ଏମିତି ଅଭିନୟ କରୁଛନ୍ତି ଯେ ସବୁ ଭାରତୀୟ ଏବେ ସେମାନଙ୍କ ପ୍ରେମରେ।

ବଲିଉଡ୍ ପ୍ରେମରେ ଆଫ୍ରିକୀୟ ଭାଇ-ଭଉଣୀ; କରୁଛନ୍ତି ଧମାଲ

ଇଣ୍ଟରନେଟ୍ ଯୁଗରେ କିଛି ବି ଅସମ୍ଭବ ଲାଗୁନି। ଘରେ ବସି ଜଣେ ହୋଇଯାଉଛି ରାତାରାତି ଷ୍ଟାର୍। ଇଣ୍ଟରନେଟ୍ ମଧ୍ୟ ତିଆରି କରୁଛି ଅନେକ ତାରକା। ଇଣ୍ଟରନେଟ୍‌ରେ ଏପରି ଅନେକ ଆପ୍ ଅଛି, ଯେଉଁଠାରେ ଆପଣ କେବଳ ଗୀତରେ ଲିପସିଙ୍ଗ୍ କରି ହିରୋ କିମ୍ବା ହିରୋଇନ୍ ପରି ଅଭିନୟ ପ୍ରତିଭା ଦେଖେଓ ପାରିବେ। ଲୋକେ ଥରେ ଯଦି ଏହି ଭିଡିଓଗୁଡିକୁ ପସନ୍ଦ କରିଏଲେ ତେବେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଖୋଲିଗଲା। ଏହାପରେ ଖ୍ୟାତି ଆପଣଙ୍କ ଆଡକୁ ଟାଣି ହୋଇ ଆସିବ।

ବର୍ତ୍ତମାନ ଆଫ୍ରିକାର ଏକ ଭାଇ-ଭଉଣୀ ଯୋଡି ଆମ ଦେଶରେ ସେହିଭଳି ଖ୍ୟାତି ଅର୍ଜନ କରି ଚାଲିଛନ୍ତି। ସେମାନେ ବଲିଉଡ ଗୀତରେ ମସ୍ତି କରୁଥିବାର ଭିଡିଓ ଇଣ୍ଟର୍‌ନେଟ୍‌ରେ ଧୁଆଁଧାର ଭାଇରାଲ ହେବାରେ ଲାଗିଛି।

ସେମାନଙ୍କର ପ୍ରକୃତ ବାସସ୍ଥାନ ଜଣା ନ ଥିଲେ ମଧ୍ୟ ଭାଇରାଲ୍ ହେଉଥିବା ଭିଡିଓ ଆଫ୍ରିକାର କୌଣସି ଦେଶରୁ ଆସୁଥିବା ଜଣାଯାଏ। ଏହି ଭିଡିଓରେ ଭାଇ-ଭଉଣୀ ଯୋଡି ଗୋଟିଏ ସ୍ଥାନରେ ଠିଆ ହୋଇ କିଛି ବଲିଉଡ ଗୀତରେ ନିଜର ଅଭିନୟ କରୁଥିବା ଦେଖାଯାଏ। ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଓଠର ଗତିକୁ ଦେଖି ଲାଗୁନାହିଁ ଯେ ହିନ୍ଦୀ ସେମାନଙ୍କର ଭାଷା ହୋଇ ନ ଥିବ। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ୩ରୁ ୪ଟି ବଲିଉଡ୍ ଗୀତରେ ଲିପ୍‌ସିଙ୍କ୍ ଭିଡିଓ ଭାଇରାଲ୍ ହୋଇଛି।

ତେବେ ଏହି ଯୋଡିର ସର୍ବଶେଷ ଭାଇରାଲ ଭିଡିଓ ହେଉଛି ଇମ୍ରାନ ଖାନ୍‌ଙ୍କ ଉପରେ ସୁଟିଂ ହୋଇଥିବା ଜୁବିନ ନାଉଟିଆଲଙ୍କ ଗୀତର। ଏହି ଭାଇ-ଭଉଣୀ ଯୋଡି ମୁମ୍ବାଇ ସାଗାରେ ବ୍ୟବହୃତ 'ଆଙ୍ଖ ଉଠି' ଗୀତରେ ଅଭିନୟ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓର ଗୀତର ତାଳରେ କେବଳ ଯେ ଯୁବକର ଓଠ ଚାଲୁଛି ତାହା ନୁହେଁ, ତାଙ୍କ ହାବଭାବ ମଧ୍ୟ ପୂରା ତାଳେ ତାଳେ ଚାଲିଛି।

ଲୋକମାନେ ସେମାଙ୍କର ଏହି ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରୁଛନ୍ତି। ଅଧିକାଂଶ ଉପଭୋକ୍ତା, ଏଇ ଯୋଡି ଉପରେ ସେମାନଙ୍କ ପ୍ରେମ ବର୍ଷା କରୁଥିବା ବେଳେ କହିଛନ୍ତି ଯେ ଗୀତ ତ ଗୀତ, ଯୁବକଙ୍କ ହାବଭାବ ମଧ୍ୟ ଆଶ୍ଚର୍ଯ୍ୟଜନକ। ଇମ୍ରାନ ଖାନ ନିଜେ ତାଙ୍କ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରିଛନ୍ତି।

କିଛି ଦିନ ପୂର୍ବେ ଏହି ଭାଇ-ଭଉଣୀ ଯୋଡି ମଧ୍ୟ ‘ଶେର୍‌ଶାହ’ ଫିଲ୍ମର ସୁପର୍‌ହିଟ୍ ଗୀତ ‘ରାତାଁ ଲମ୍ବିଆ’ରେ ଅଭିନୟ କରିଥିଲେ। ଭାଇ ଓ ଭଉଣୀ ଯେଉଁଭଳି ଭାବରେ ଗୀତରେ ଲିପ୍ ସିଙ୍କ୍ କରିଥିଲେ ଏବଂ ସେମାନଙ୍କର ଷ୍ଟାଇଲ ଦେଖାଇଲେ, ଏହା ଲୋକଙ୍କ ପାଇଁ କୌଣସି ଏକ ଟ୍ରିଟ୍ ଠାରୁ ବି କମ୍ ନୁହେଁ।

ଭିନ୍ନ ଭିନ୍ନ ସ୍ଥାନରେ ଏହି ଭାଇଭଉଣୀ ଯୋଡି ଗୀତ ପରିବେଷଣ କରୁଥିବାର ଭିଡିଓ kili_paul ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓଗୁଡିକ ଲୋକେ ଖୁବ ପ୍ରଶଂସା କରୁଥିବା ଦେଖାଯାଏ।