ମୁମ୍ବାଇ କ୍ରାଇମ୍ କଣ୍ଟ୍ରୋଲର, ଏବେ ଓଡ଼ିଶାରେ ! ସମ୍ଭାଳି ପାରିବେ ତ ନିର୍ବାଚନ ?

ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ତାଳଚେର ଏସ୍‌ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍‌ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍‌ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି ।

DGP Bansal

ଭୁବନେଶ୍ୱର, (ରିପୋର୍ଟ-ଆଲୋକ ମହାନ୍ତି): ରାଜ୍ୟରେ ମୁଣ୍ଡ ଉପରେ ପଂଚାୟତ ନିର୍ବାଚନ ଥିବା ବେଳେ ଓଡିଶା ପୋଲିସର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ । ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସ୍ଥାନ ନେବେ ୧୯୮୭ ବ୍ୟାଚ୍‌ର ଏହି ଆଇପିଏସ୍ । ସେ ବର୍ତ୍ତମାନ ମୁମ୍ବାଇରେ ଗୁଇନ୍ଦା ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ୩୧ ତାରିଖରେ ଡିଜିପି ଅଭୟ ଅବସର ନେବେ । ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ସୁନୀଲ ବଂଶଲଙ୍କୁ ନିଯୁକ୍ତି ମିଳିଛି । ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିବା ପରେ ଓଟିଭିକୁ ସୁନୀଲ ବଂଶଲ କହିଛନ୍ତି, ସେ ଓଡ଼ିଶା ଫେରିଲେ ଖୁସି ହେବେ ଏବଂ ଭଲ ଭାବେ ରାଜ୍ୟର ସେବା କରିବାକୁ ଚେଷ୍ଟା କରିବେ । 

ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ତାଳଚେର ଏସ୍‌ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍‌ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍‌ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି । ୧୯୯୪ ପରେ ସେ କେନ୍ଦ୍ରୀୟ ଡେପୁଟେସନକୁ ଚାଲିଯାଇଥିଲେ । ଦୀର୍ଘ ୨୭ ବର୍ଷ ପରେ ସେ ଓଡ଼ିଶା ଫେରିବେ ୨୦୨୨ ଜୁନ୍ ୩୦ରେ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବ । ତେବେ ଦୀର୍ଘଦିନ ଧରି ଗୁଇନ୍ଦା ବିଭାଗରେ କାମ କରିଥିବାରୁ ଓଡିଶାକୁ ତାର ଫାଇଦା ମିଳିବ ବୋଲି କୁହାଯାଉଛି ।

ଏପଟେ ନୂଆ ଡିଜିଙ୍କ ପାଇଁ ରହିବ ଅନେକ ନୂଆ ଚ୍ୟାଲେଂଜ୍ । କାରଣ ଆଗକୁ ରାଜ୍ୟ ପଂଚାୟତ ନିର୍ବାଚନ । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରାଇବା ତାଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ ହେବାକୁ ଯାଉଛି । ମହିଳା ଓ ଶିଶୁ ବିରୋଧୀ ହିଂସା, ସାଇବର ଓ ଅର୍ଥନୈତିକ ଅପରାଧ, କୋଭିଡ ମହାମାରୀ ପରବର୍ତ୍ତୀ ଛିନତାଇ ଓ ଲୁଟପାଟ୍ ଭଳି ଘଟଣା ବଢିଥିବା ବେଳେ ରାଜ୍ୟ ଆଇନଶୃୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଆସୁଛି । ତା’ସାଙ୍ଗକୁ ରାଜ୍ୟ ନକ୍ସଲ ସମସ୍ୟାର ମୁକାବିଲା ବି ବଡ଼ ଚ୍ୟାଲେଂଜ୍ । ଏପଟେ ଅପରାଧ ମାମଲାରେ ରାଜ୍ୟର ଅନେକ ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ତେଣୁ ପୋଲିସ ଉପରେ ଜନତାଙ୍କ ଆସ୍ଥା ଫେରାଇ ଆଣିବା ଲାଗି ନୂଆ ଡିଜି କି ପଦକ୍ଷେପ ନେବେ ତାଉପରେ ନଜର ରହିବ ।

ବରିଷ୍ଠ ଆଇପିଏସ୍ ମନୋଜ ଛାବ୍ରା, ପ୍ରଦୀପ କପୁର ଓ ସୁନୀଲ ବଂଶଲଙ୍କ ନାଁ UPSCରୁ ସର୍ଟଲିଷ୍ଟ ହୋଇ ଆସିଥିଲା । ତେବେ ବଂଶଲଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର ।