Advertisment

Odia Classic Short Story: ବ୍ୟାସକବି ଫକୀର ମୋହନ ସେନାପତିଙ୍କ 'ରାଣ୍ଡିପୁଅ ଅନନ୍ତା' (ଭାଗ-୧)

ପଢ଼ନ୍ତୁ ଓଡ଼ିଆ ସାହିତ୍ୟର କାଳଜୟୀ କାହାଣୀ 'ରାଣ୍ଡିପୁଅ ଅନନ୍ତା'। ବ୍ୟାସକବି ଫକୀର ମୋହନଙ୍କର ଏହି ବହୁପଠିତ ଓ ବହୁ ଚର୍ଚ୍ଚିତ କାହାଣୀକୁ ନେଇ ଆଗରୁ ଟେଲିଫିଲ୍ମ ହୋଇଛି। ଏବେ ମଧ୍ୟ ଏହାକୁ ନେଇ ଏକ ସଂପୂର୍ଣ୍ଣ ଚଳଚ୍ଚିତ୍ର ଆସିବାକୁ ଯାଉଛି। ତେବେ ଏହା ପୂର୍ବରୁ ଏହି ନାଁଟିକୁ ନେଇ ବାଦବିବାଦ ଉଠିଥିଲା। ଅନେକ ଲୋକ ହୁଏତ ପ୍ରଖ୍ୟାତ ସ୍ରଷ୍ଟା ଫକୀର ମୋହନଙ୍କର ଏହି କାଳଜୟୀ କାହାଣୀଟି ପଢ଼ିନଥିବେ। ଏଥିପାଇଁ ଆମେ ଧାରାବାହିକ ଭାବେ ପ୍ରକାଶ କରିବାକୁ ପ୍ରୟାସ କରୁଛୁ।

ଅଦ୍ୟତନ ହୋଇଛି
odia classic short sotyr Randi Pua Ananata by vyasakabi Fakir Mohan Senapati

odia classic short sotyr Randi Pua Ananata by vyasakabi Fakir Mohan Senapati

Advertisment

ସୁବଳା ମହାକୁଡ଼ ଓରଫେ ସୁବଳ ସିଂହର ବାପ ଅମଳରୁ ଗୋଟିଏ ମଇଁଷିପଲ ଥିଲା। ମହାକୁଡ଼ ହରିଷପୁର ବଣଭିତରେ ପଲରେ ସବୁବେଳେ ଥାଏ। ଘରକୁ ଆସେ ନାହିଁ। ଶୀତ, ବର୍ଷା, ଖରା ସବୁ ତା ପକ୍ଷରେ ସମାନ। ହେଲେ ବର୍ଷା ଦିନଟା ବଡ଼ ଆନନ୍ଦର ଦିନ। ଚରା ଢେର ମିଳେ, ମଇଁଷିଗୁଡ଼ାକ ବଡ଼ ଦୁଧୂଆଳୀ ହୁଅନ୍ତି। ଡାଳପତ୍ର ଟୋପରଟିଏ ମୁଣ୍ଡରେ ଦେଇ ଚିତେ ଉଞ୍ଚା ବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ଦିନଯାକ ମଇଁଷିଙ୍କ ପଛେ ପଛେ ଧାଇଁ ଥାଏ। କାହିଁ ଆଣ୍ଠୁଏ, କାହିଁ ଅଣ୍ଟେ ପାଣି, ଦେହଯାକ କାଦୁଅ ଲଟପଟ, ଏଟା ତାର ଭାରି ଆନନ୍ଦ। ମହାକୁଡ଼ର ଆଉ ଦିନେ ଘର ଦରକାର ନାହିଁ। ରନ୍ଧାବଢ଼ା ଲାଗି ବର୍ଷା ଦିନେ ଗୋଟିଏ ପଲା ଦରକାର। କେତେଟା ଡାଳ ପୋତି ତାହା ଉପରେ ବିଡ଼ାକାତେ ବେଣାଘାସ ପକାଇ ଦେଇ ଗୋଟିଏ ପଲା ତିଆରି କରେ।

Advertisment

ପଲାଟି ନିହାତି ନୁଆଁଣ। ବସି ବସି ଭିତରକୁ ଯାଏ। ବସି ବସି ଭାତ ରାନ୍ଧେ। ଠିଆହେଲେ ପଲା ମୁଣ୍ଡରେ ବାଜିବ। ପଲା ଚାରିପାଖେ ବାଡ଼ ନାହିଁ; କାରଣ ରାତିରେ ପଲା ଭିତରେ ଶୋଇଥିଲେ ବାହାରୁ ଯଦି କେନ୍ଦୁଆ ଆସି ମଇଁଷି ବାଛୁରୀ ଘେନିଯାଏ ଦିଶିବ ନାହିଁ। ରାତିରେ ପଲା ଭିତରେ ଡେମ୍ଫା ଉଞ୍ଚା କଠଉ ଯୋଡ଼ାକ ମୁଣ୍ଡତଳେ ଦେଇ ଟୋପରଟାରେ ମୁହଁ ଢାଙ୍କିଦିଏ। ମୁହଁଟାରେ ପାଣି ନପଡ଼ିଲେ ହେଲା । ତା’ ଚାରିପାଖେ ମଇଁଷି ଛୁଆଗୁଡ଼ିଙ୍କୁ ଗୋଡ଼ରେ ଦଉଡ଼ି ଲଗାଇ ଖଟାଇ ପକାଏ। ବର୍ଷା ହେଲେ ମଇଁଷି ଛୁଆର ମଇଳା ଓ ମୂତ ଧୋଇଆସି ପଲା ଭିତରେ ଲହଡ଼ି ଖେଳୁଥାଏ। ମହାକୁଡ଼ ତାହାରି ଉପରେ ଚେଙ୍ଗମାଛ ପରି ଲଟପଟ ହେଉଥାଏ। ମଇଁଷିଗୁଡ଼ା ବସାର ଚାରିପାଖେ ବଣ ଆଡ଼କୁ ମୁହଁ କରି ଶୋଇଥାନ୍ତି। ରାତି ତିନିପହର ସରିକି ମଇଁଷିଗୁଡ଼ାକ ଉଠି ବଣକୁ ଚରି ଯାଆନ୍ତି।

ସେତେବେଳୁ ମହାକୁଡ଼ ଜାଗ୍ରତ ଥାଏ। ଠେଙ୍ଗାଟି ତା ପାଖରେ ପଡ଼ିଥାଏ; କାରଣ ତେତିକିବେଳେ ନେଙ୍କଡ଼ିଆ ଆସି ବାଛୁରୀଟା ଘେନି ପଳାଇ ପାରେ। ବଣ ଭିତରେ ମଇଁଷି ଗୋଟାଏ ନାକସିଟକା ଦେଲେ ବାଘ ଆସିଚି ବୋଲି ମହାକୁଡ଼ ଜାଣିପାରେ। ଆରେ ରେ-ରେ-ରେ-ରେ– କୁହାଟଟା ମାରିଦେଲେ ଯେଡ଼େ ବାଘ ହଉ ଛାଡ଼ି ପଳାନ୍ତି। ବାଘଗୁଡ଼ାକ ମହାକୁଡ଼ ଡାକ ବାରି ପାରନ୍ତି। ବଣରେ ଯେମିତି କୁକୁଡ଼ାଗୁଡ଼ାକ କୁକ୍କୁ କୁକୁ କରିବେ ମଇଁଷିପଲ ବସାକୁ ନେଉଟି ଆସନ୍ତି। ତେତିକିବେଳେ ମହାକୁଡ଼ ଦୁହାଁଳୀ ମଇଁଷିଗୁଡ଼ାଙ୍କୁ ଛନ୍ଦି ଦୁହିଁ ପକାଏ। ଦିନ ଘଡ଼ିକ ସରିକି ମହାକୁଡ଼ାଣୀ ଦେବକୀ କାଣ୍ଡିଆକୁଣ୍ଡା ମିଶା ସେରେ ଚାଉଳର ଗୋଟିଏ ପୋଡ଼ପିଠା, ପାଞ୍ଚ ସେର ଅକାଣ୍ଡିଆ ବରଗଡ଼ା ଚାଉଳ ଆଉ ଧୂଆଁପତ୍ର ବିଡ଼େ ଧରି ଗୋଠରେ ହାଜର।

Advertisment

ମହାକୁଡ଼ଙ୍କର ତେତିକି ମାତ୍ର ଦୈନିକ ଖାଦ୍ୟ। ସକାଳୁ ପିଠାଟି ଖାଇ ଦେଇ ସେରେ ନିରୁତା ମଇଁଷି ଦୁଧ ପିଇଦିଅନ୍ତି। ଦିନ ଦୁଇ ପହର ସରିକି ଅଢ଼େଇସେର ଚାଉଳ ଟିକିଏ ଫୁଟାଫୁଟି କରିଦିଅନ୍ତି। ବଣରୁ ଯଦି କାଙ୍କଡ଼, ଡଙ୍କ, ମଟକା, ଫୁଟଗୁଡ଼ୀ ମିଳିଥାଏ ତାକୁ ସେଇ ଚାଉଳରେ ପକାଇ ଦେଇଥାଆନ୍ତି। ତରକାରି ପାଇଁ ଶୋଚନା ଥାଏ ନାହିଁ। ବଖତରେ ଅଢ଼େଇ ସେର ଚାଉଳ, ଦୁଇସେର ନିରୁତା ମଇଁଷି ଦୁଧ ମୂଳ ଖାଦ୍ୟ। ବୋଇଲା- ‘ମଇଁଷି ମୁଣେ ନୁହା ଚଖାଣିଆ, ଘୁଷରୀ ମୁଣେ ଧାଇଁ।’

ମହାକୁଡ଼ାଣୀ ଚାଉଳ ପିଠା ତେତିକି ଦେଇ, ଘରର ଦୁଃଖସୁଖ, ଗାଁର ହାଲଚାଲ, ବନ୍ଧୁବାନ୍ଧବ ଖବରାଖବର କହି ନିତି ଦୁଧ କଳସିଟି ମୁଣ୍ଡରେ ମୁଣ୍ଡେଇ ଘରକୁ ବାହୁଡ଼ି ଆସେ। ଗ୍ରୀଷ୍ମକାଳରେ ମହାକୁଡ଼କୁ କିଛି ହରବରରେ ପଡ଼ିବାକୁ ହୁଏ। ବଣରେ ନାହିଁ ପାଣି– ଏଣେ ମଇଁଷିଗୁଡ଼ାକ ଦୁଇପହର ଯାଏ ଜଳଜନ୍ତୁ ପରି କାଦୁଅ ପାଣିରେ ଡୁବିବେ, ନାକଟି ଖାଲି ଦିଶୁଥାଏ, କ’ଣ କରିବେ? ବଣରୁ ବାହାରି ପାଟକୂଳରେ ଆସି ପଡ଼ନ୍ତି। ସେଠାରେ ପାଣି ଆଉ ଚରାର ଅଭାବ ଥାଏ ନାହିଁ। ମହାକୁଡ଼େ ବଡ଼ ଗୋଟାଏ ତାଳପତ୍ର ଛତା, ପାଟକୂଳରେ ପୋତିଦେଇ ତାହାରି ଭିତରେ ରୋଷେଇବାସ କରନ୍ତି ଓ ରାତିରେ କଠଉ ଯୋଡ଼ାକ ମୁଣ୍ଡରେ ଦେଇ ତେଲଗୁଣି ପୋକ ପରି ମୋଡ଼ିମାଡ଼ି ଶୁଅନ୍ତି। ଶୋଇବା ପାଖରେ ଦୁଇ-ତିନି ଗାଦି ମଇଁଷି ଗୋବର ଘଷିରେ ଧୂଆଁ ଜଳୁଥାଏ। ତେବେ ସୁଦ୍ଧା ପାଟକୂଳରେ କାଳିଆ କାଳିଆ ଡେଙ୍ଗାଗୋଡ଼ିଆ ବଡ଼ ବଡ଼ଟାମାନେ– ଏତେ ମଶା ଯେ ସମ୍ଭାଳା ପଡ଼େନାହିଁ। ମହାକୁଡ଼େ କ’ଣ କରିଥାଆନ୍ତି କି ପାଟ ଭିତରୁ ହାଣ୍ଡିଏ ପଙ୍କ ଆଣି ଗୋଡ଼ ଆଙ୍ଗୁଠିଠାରୁ ଅଣ୍ଟାଯାଏ ଲେପିଦେଇ– ‘ଯା ଗିହାଳୁ ଭାଇଏ ମଶା’କହି ଶୋଇପଡ଼ନ୍ତି। ପିଠି ହାତ ପୋଡ଼ି ଉଠିଲେ, ଚାପଡ଼ା ଚାପଡ଼ାକେ ଦୁଇ-ତିନି ପୁଞ୍ଜା ମଶା ଦଳି ହୋଇଯାଏ। ଟିକିଏ ନିଦ ଭାଙ୍ଗିଗଲେ, ‘‘ଆଲୋ ମାଳତୀ ! ଆଲୋ ଶୁକ୍ରୀ ! ଆଲୋ କାଳୀ !’’ କୁହାଟି ଦିଅନ୍ତି। ମଇଁଷିଗୋଡ଼ାକ ମାକୁଡ଼ କଥା ବୁଝନ୍ତି, ଦୂରରେ ଥିଲେ ପାଖକୁ ଆସନ୍ତି। ଓଲିଆ ମଇଁଷି ବେକରେ କାଠଘଣ୍ଟି ବନ୍ଧା ଥାଏ, ଚାଷ ଫନ୍ଦା ଡାଳୁଅ ବିଲରେ ପଡ଼ିଲେ ଧାଇଁଯାଇ ବାଡ଼େଇ ଆଣନ୍ତି।

Advertisment

ବର୍ଷେ କ’ଣ ହେଲା କି ଅଚାନକ କାହୁଁ ଠାକୁରାଣୀ ଆସି ପଲରେ ପଶିଗଲା। ଦିନ ଆଠଟା ଭିତରେ ଅଢ଼େଇ ବୋଡ଼ିଆ ପଲଟା ଏକାବେଳକେ ପିଟାରୁଟ୍। ମହାକୁଡ଼ଙ୍କର ତ ଅଣ୍ଟା ବସି ଗଲାଣି। ଗାଲରେ ହାତ ଦେଇ ବସିଥାଆନ୍ତି। ମହାକୁଡ଼ାଣୀ ଆସି କହିଲେ- ‘‘କିରେ ମହାକୁଡ଼ ! ତୁ ଇମିତି ବସି ଭାବୁଚୁ କାଁ? ଅଣ୍ଟା ବସି ଗଲାଣି? ଓହୋ ! ଏ ଲାଗି ଗୋଟାଏ ଭାବନା? ଯା ହେବାର ହେଲା। ଆରେ ମୋ ଭାଇ ଗୋଠରୁ, ବୃନ୍ଦୀ ବାରିକ ଗୋଠରୁ ଦୁଧ କାଟ ଆଣି ଲଗାଇ ଦେବି ବେପାର। ବର୍ଷ ଦିଇଟା ଭିତରେ ଯେ ପଲକୁ ସେ ପଲ, ଗୋଟି ଗୋଟି ଗଣି ନେ।”

ମହାକୁଡ଼େ କ’ଣ କଲେ କି ଠାକୁରାଣୀ ଦାଢ଼ବାହୁଡ଼ା ପିଲାପିଚିକା ଯେ ଦୁଇ-ଚାରି ଖଣ୍ଡ ଲାଙ୍ଗୁଡ଼ ଥିଲା, ବିକି-ବାକି ପକାଇ ଜମିଦାରର ଚାରି ପଲରେ ସେଠ ହେଲେ। ଏଡ଼େ ବଡ଼ ଚାକରି ହେବାରୁ ମହାକୁଡ଼ାଣୀ ତ ବଡ଼ ଖୁସି। ଗାଁରେ ତାକୁ କେହି ସେଠାଣୀ ବୋଲି ନ କହିଲେ ଭାରି କଳି କରେ। ମାଇକିନିଆ ହେଉ ମିଣିପ ହେଉ ବାଡ଼େଇବାକୁ ଧାଏଁ।

ଶୀତ ଦିନିଆ। ପୁଲିସ୍ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ। ଫାଣ୍ଡି ପାଖ ତୋଟାରେ ଡେରା ପଡ଼ିଥାଏ। ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ। ସରାଳି, କାଜ, ମାଣିକଯୋଡ଼, ଜଳପିଁପିଁ, ପାଣିହଂସ, ଚକୁଆ, ଦା’ବେକିଆ ବଗ ଚଢ଼େଇ ଭର୍ତ୍ତି। ସାହେବଙ୍କ ନଜର ଯିମିତି ପଡ଼ିଗଲା, ବନ୍ଧୁକ କାନ୍ଧରେ ପକାଇ ଶିକାରକୁ ବାହାରିଲେ। ପଛରେ ଚାରି ଜଣ କନଷ୍ଟେବଳ, ଆଠ-ଦଶ ଜଣ ଚୌକୀଦାର; ମୁଣ୍ଡରେ ଲାଲ୍, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡ଼ାଇ ଚିତେ ଚିତେ ବାଉଁଶ ଢେଙ୍କା କାନ୍ଧରେ ପକାଇ ଧାଇଁଚନ୍ତି। ସାହେବ ପାଟକୂଳରେ ପହୁଞ୍ଚି ଯିମିତି ବନ୍ଧୁକଟା ଦୁମ୍‌କରି ଆଓ୍ୱାଜ କଲେ, ହଜାର ହଜାର ଚଢ଼େଇ ତ କେଁକଟର କରି ଆକାଶରେ ଉଡ଼ି ଚକ୍କର ଦେଇ ଘୂରିଲେ। ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିବେ, ‘‘କାଳେ ଦେଖା ନାହିଁ ଶୁଣା ନାହିଁ, ଆଜି ଏଟା କ’ଣ?’’ ସେମାନେ ଆପଣା ଆପଣା ଭିତରେ ଯେଉଁ କ‌ଥାଭାଷା ହେଉଥିଲେ ସେଇଟାକୁ କହୁଛୁ ‘କେଁକଟର’।

ଯୋଡ଼ାଏ କାଜ ଦେହରେ ଛିଟା ବାଜି, ଡେଣା ଓ ଗୋଡ଼ ଭାଙ୍ଗିଗଲା। ହେଲେ କ’ଣ ହେଲା, ଠା’ ନପଡ଼ି ଖଣ୍ଡିଉଡ଼ା ଦେଇ ଯାଇ ପାଟ ମଝିରେ ପଡ଼ିଲା। ଯାଉଛି କିଏ– ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଚନ୍ତି। ଜଣା ଅଛି ପାଟ ମଝିଟା ତଳେ ଗହୀର। ମଣିଷଖିଆ କୁମ୍ଭୀର ଯୋଡ଼ାଏ ଦ୍ୱାର ବି ଶୁଣାଅଛି। କନଷ୍ଟେବଳ ମାନଙ୍କର ତ ଦରେସ୍ ଭିଜି ଯିବ। ଚଉକିଆଗୁଡ଼ାକ ତ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ– ଅସଲ କଥା କାହାରି ମନକୁ ଭରସା ଖଟୁନାହିଁ ଯେ ଯିବ। ସାହେବ ନୋହିଲେ ଜରିମାନା କରିବ, ନୁହେ ଚାକରି ଛଡ଼େଇ ଦବ; ଜାଣିଶୁଣି ଗୋମୁହାଁ କିମ୍ଭୀର ମୁହଁକୁ କି ଯିବା?

ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି। ଗୋଡ଼ଠାରୁ ମୁଣ୍ଡଯାଏଁ ତିନିଥର ଅନେଇଲେ, ପଞ୍ଚହତା ମର୍ଦ– ବାହୁଯୋଡ଼ାକ ଗୋଲ ଗୋଲ ମୋଟା ମୋଟା, ଦୁଇ ହାତର ରେକା ପାଇବ ନାହିଁ – ମୁଠୁଣିଏ ଚଉଡ଼ା ଛାତି, ଚକା ମୁହଁ, ଚଉଡ଼ା ନାକ, ଜଙ୍ଘଗୁଡ଼ାକ ସଳଖ ମୋଟା ଶାଳଗଜା ପରି। ସାଇବ ଭାରି ଖୁସିହେଇ ପଚାରିଲେ, ‘‘ତୁମ୍ କୋନ୍ ହେ?’’

(କ୍ରମଶଃ)

Odisha Odia Language Odia Literature Fakir Mohan Senapati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ