Mahabharat Story: ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

କାହିଁକି ଭୃଗୁ ପତ୍ନୀ ପୋଲୋମାଙ୍କୁ ଅପହରଣ କଲା ପୁଲମାନ ଦାନଵ? କାହିଁକି ଭୃଗୁ ଅଭିଶାପ ଦେଲେ ଅଗ୍ନି ଦେବଙ୍କୁ ସର୍ବଗ୍ରାସୀ ହେବାକୁ ଓ ଅସମୟରେ କାହିଁକି ହଠାତ ମା ଗର୍ଭରୁ ଜନ୍ମ ନେଲେ ଚ୍ୟବନ?

ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

ମହର୍ଷି ଭୃଗୁଙ୍କର ପତ୍ନୀ ହେଲେ ପୁଲୋମା। ପୁଲୋମା ଅତ୍ୟନ୍ତ ସୁନ୍ଦରୀ ଥିଲେ । ଭୃଗୁ ତାଙ୍କ ପତ୍ନୀଙ୍କୁ ଖୁବ ଭଲପାଉଥିଲେ ଓ ପୁଲୋମା ତାଙ୍କ ସ୍ୱାମୀଙ୍କୁ । ପୁଲୋମା ଜଣେ ପତିବ୍ରତା ଧର୍ମପରାୟଣା ମହିଳା ଥିଲେ । ଅରଣ୍ୟରେ ଏକ ଆଶ୍ରମ କରି ପତି ପତ୍ନୀ ଦୁହେଁ କାଳ ଅତିବାହିତ କରୁଥା'ନ୍ତି । ଭୃଗୁ ଯଜ୍ଞ ଆଦି କର୍ମ ନିୟମିତ କରୁଥା'ନ୍ତି ଓ ତାଙ୍କୁ ପୁଲୋମା ସାହାଯ୍ୟ ସହଯୋଗ କରୁଥା'ନ୍ତି । ସମୟ କ୍ରମେ ଭୃଗୁଙ୍କ ଔରସରୁ ପୁଲୋମା ଦିନେ ଗର୍ଭବତୀ ହେଲେ । ପୁଲୋମା ମା ହେବାକୁ ଯାଉଛନ୍ତି ଜାଣି ପତି ପତ୍ନୀ ଦୁହେଁ ବଡ ଖୁସି । ସେତିକି ବେଳେ ଥରେ ମହର୍ଷି ଭୃଗୁଙ୍କୁ ଆଶ୍ରମ ବାହାରକୁ ଯିବାକୁ ହେଲା । ଏପଟେ ପୁଲୋମା ଗର୍ଭବତୀ। ତାଙ୍କୁ ଏକୁଟିଆ ନିରୋଳା ଆଶ୍ରମରେ କେମିତି ଛାଡିଯିବେ ବୋଲି ଭୃଗୁ ବଡ଼ ସମସ୍ୟାରେ ପଡିଗଲେ । ପାଖରେ କେହି ନଥା'ନ୍ତି । କିଛି ସମୟ ଚିନ୍ତା କଲାପରେ ଭୃଗୁଙ୍କ ମନରେ ବୁଦ୍ଧି ଗୋଟେ ଜୁଟିଲା । ପାଖରେ କେହି ନଥିଲେ ବି ତାଙ୍କ ଆଶ୍ରମର ଯଜ୍ଞ କୁଣ୍ଡରେ ଅଗ୍ନି ଦେବ ଅବସ୍ଥାନ କରୁଥା'ନ୍ତି । ତେଣୁ ଭୃଗୁ ନିଜର ଗର୍ଭବତୀ ପତ୍ନୀଙ୍କୁ ଅଗ୍ନିଙ୍କର ଦାୟିତ୍ୱରେ ଦେଇ ନିଜ କାମରେ ବାହାରିଗଲେ ।

ପୁଲୋମା ଆଶ୍ରମରେ ଏକା ଥାଆନ୍ତି । ଏକା ଏକା ଘରବାରିର କାମ କରୁଥାଆନ୍ତି । ସେତକିବେଳେ ପୁଲୋମାନ ନାମକ ଏକ ରାକ୍ଷସ ଭୃଗୁଙ୍କ ଆଶ୍ରମରେ ଆକସ୍ମିକ ଭାବରେ ଆସି ପହଞ୍ଚିଲା । ଏକଦା ରାକ୍ଷସ ପୁଲୋମାନ, ସୁନ୍ଦରୀ ପୁଲୋମାଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲା । ତାହା ପୁରୁଣା ଦିନର କଥା । କିନ୍ତୁ ଘଟଣାକ୍ରମଟି ତା' ଇଚ୍ଛା ଅନୁସାରେ ସେତେବେଳେ ଘଟିନଥିଲା । ବିବାହ ସମ୍ଭବ ହେଇନଥିଲା । ସେଦିନ ପୁଲୋମାନ ରାକ୍ଷସ ପୁଲୋମାଙ୍କୁ ଆଶ୍ରମରେ ଏକୁଟିଆ ଦେଖି ତା'ର ପୁରୁଣା ବାସନାକୁ ଚରିତାର୍ଥ କରିବାକୁ ମନ ବଳାଇଲା । ସେପଟେ କିନ୍ତୁ ଆଶ୍ରମକୁ ଅତିଥି ଆସିଛନ୍ତି ବୋଲି ପୁଲୋମା ବ୍ୟସ୍ତ । ନିଜର ଅସଜ ଶରୀରରେ ବି ପୁଲୋମା ଜଙ୍ଗଲର ଫଳ ମୂଳ ଓ ଜଳ ଆଣି ଅତିଥିଙ୍କ ସତ୍କାର ପାଇଁ ପୁଲୋମାନର ଆଗରେ ରଖିଲେ । ସେ ବା କେମିତି ଜାଣିଥାନ୍ତେ ଯେ, ସେ ଯେଉଁ ଅତିଥିଙ୍କ ସତ୍କାର କରିବାରେ ଏତେ ବ୍ୟସ୍ତ, ତା' ମନ ଭିତରେ କ'ଣ ଚାଲିଛି ।

ପୁଲୋମାନ ବୁଝିପାରୁନଥିଲା ପୁଲୋମା ବିବାହ କରିଛନ୍ତି ନା ଏବେବି ଅବିବାହିତ ଅଛନ୍ତି । ତେଣୁ ସତ୍ୟାସତ୍ୟ ଜାଣିବାକୁ କାହାକୁ ବି ଜଣକୁ ପଚାରିବାକୁ ମନସ୍ଥ କରି କାହାକୁ ବି ପାଇଲାନି। କାହାକୁ ଆଖ ପାଖରେ ନପାଇବାରୁ ସେ ସେଠାରେ ପ୍ରଜ୍ୱଳିତ ହୋଇ ଜଳୁଥିବା ଅଗ୍ନିଦେବଙ୍କୁ ଦେଖି ପଚାରିଲା - ହେ ଅଗ୍ନି ଦେବ! ମୋତେ ସତ କରି କୁହ, ପୁଲୋମା ଏବେ ପ୍ରକୃତରେ କାହାର ପତ୍ନୀ ? ମୁଁ ସତ କଥାଟି ଜାଣିବାକୁ ଚାହୁଁଚି । କାରଣ ଏହି ସୁନ୍ଦରୀ ପୁଲୋମା ସହ ମୋର ବିବାହ ଏକଦା ଠିକ୍ ହୋଇସାରିଥିଲା । କିନ୍ତୁ ପରେ ଶୁଣିଲି ତା'ର ବାପା କୁଆଡେ ମୋତେ ଲୁଚେଇ ତାକୁ ଭୃଗୁ ହାତରେ ସମର୍ପି ଦେଲା ଓ ମୁଁ ପଚାରିଲାରୁ ମୋତେ ମିଛ କହିଲା । ମୋତେ ଏବେ ଆପଣ ସିଧା କୁହନ୍ତୁ ତା'ର ତ ମୋ ସହ ବିବାହ ସ୍ଥିର ହେଇଥିଲା । ପୁଣି ଏବେ ସେ ଭୃଗୁର ପତ୍ନୀ କେମିତି ହେଲା? ମୁଁ ତାକୁ ଅନେକ ଦିନ ହେଲା ଖୋଜି ଖୋଜି ଆଜି ଏଇଠି ପାଇଛି । ମୁଁ ଠିକ କରିସାରିଛି ତାକୁ ଏବେ ମୁଁ ମୋ ସାଙ୍ଗରେ ନେଇକରି ହିଁ ଯିବି । ହେ ଅଗ୍ନି ଦେବ! ମୋ ପ୍ରଶ୍ନର ତୁରନ୍ତ ଉତ୍ତର ଦିଅ । ତମେ ତ ପ୍ରାଣୀର ଭଲ କର୍ମ ଓ ଖରାପ କର୍ମର ସାକ୍ଷୀ ଭାବରେ ସବୁବେଳେ ଉପସ୍ଥିତ ରୁହ । ତୁମେ ମୋତେ ମିଛ କହିବନି ବୋଲି ମୋର ବିଶ୍ୱାସ । ସତକଥା ହେଲା, ନ୍ୟାୟ ଭାବରେ ବିଚାର କଲେ ମୋ ସ୍ତ୍ରୀକୁ ଭୃଗୁ ଅପହରଣ କରିଛି । ମୁଁ ଏବେ ସତକଥା ଜାଣିବାକୁ ଚାହୁଁଛି । ତାପରେ ମୁଁ ଭଲପାଉଥିବା ଓ ପସନ୍ଦ କରିଥିବା ସୁନ୍ଦରୀ ନାରୀ ଜଣକ ଭୃଗୁ ପାଖରେ ଏମିତି ରହିବାକୁ ମୁଁ ସହ୍ୟ କରିପାରୁନି । ମୁଁ ତମ ପାଖରୁ ଏ ଭୃଗୁର ପତ୍ନୀ କି ନାହିଁ ଜାଣିସାରିଲା ପରେ, ତାକୁ ଦୂରକୁ ନେଇ ପଳେଇବି । ଭୃଗୁ ଆସି ଖୋଜିଲେ ବି ଆମକୁ ଆଉ ପାଇବନି ।

ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

ପୁଲୋମାନର ପ୍ରଶ୍ନ ଶୁଣି ଅଗ୍ନି ଦେବ ବଡ଼ ଅସୁବିଧାରେ ପଡିଗଲେ । ଗୋଟେ ପଟେ ସେ ମିଛ କହିବାକୁ ଚାହୁଁନଥିଲେ ଓ ସେପଟେ ଭୃଗୁଙ୍କର କ୍ରୋଧ କଥା ସେ ଜାଣନ୍ତି । ବଡ଼ ଦ୍ୱନ୍ଦାତ୍ମକ ପରିସ୍ଥିତି । ସେ ଏବେ କୋଉପଟର ହେବେ? ସେଥିରେ ପୁଣି ପୁଲୋମାଙ୍କ ସୁରକ୍ଷାର ସବୁ ଦାୟିତ୍ୱ ତାଙ୍କ ହାତରେ ହିଁ ଭୃଗୁ ସମର୍ପି ଯାଇଛନ୍ତି । ଚିନ୍ତାକରି ଓ ଶେଷରେ ଆପଣା ଦ୍ୱିଧାରୁ ବାହାରି ଅଗ୍ନିଦେବ ସତ କଥାଟି କହିଲେ । କହିଲେ ଯେ ପୁଲୋମା ଏବେ ମହର୍ଷି ଭୃଗୁଙ୍କର ପତ୍ନୀ ।

ଅଗ୍ନିଙ୍କ ଠାରୁ ଉତ୍ତର ପାଇଲା ପରେ ପୁଲୋମାନ ରାକ୍ଷସ ହଠାତ୍ ଏକ ଘୁଷୁରୀର ରୂପ ଧାରଣ କଲା ଓ ବିଜୁଳୀ ବେଗରେ ପୁଲୋମାଙ୍କୁ ହରଣ କରି ସେ ଜାଗାରୁ ବାହାରିଗଲା । ଅଗ୍ନିଦେବ କିଛି ବୁଝିବା ଆଗରୁ ପୁଲୋମାନ ଓ ପୁଲୋମା ତାଙ୍କ ସାମ୍ନାରୁ ଅର୍ନ୍ତଦ୍ଧାନ ହେଇସାରିଥିଲେ । ଏ ସମସ୍ତ ଘଟଣା କିନ୍ତୁ ପୁଲୋମାଙ୍କ ଗର୍ଭରେ ଥିବା ସନ୍ତାନଟି ଜାଣୁଥିଲା । ତା'ର ଜନ୍ମ ନେବାର ଉପଯୁକ୍ତ ସମୟ ହେଇନଥାଏ । କିନ୍ତୁ ଆପଣା ମାଆକୁ ଏକ ରାକ୍ଷସ ବଳପୂର୍ବକ ଏମିତି ଅପହରଣ କରିବାକୁ ସେ ଆଦୌ ପସନ୍ଦ କରୁନଥିଲା । ତେଣୁ ସେ ଅତ୍ୟନ୍ତ ଭୟଙ୍କର ଭାବରେ କ୍ରୋଧିତ ହୋଇ ମାଆର ଗର୍ଭରୁ ବାହାରକୁ ବାହାରି ଆସିଲା । ସୂର୍ଯ୍ୟ ପରି ତେଜିୟାନ ବାଳକକୁ ହଠାତ୍ ଏମିତି ଆକସ୍ମିକ ଭାବରେ ଜନ୍ମ ହେବା ଦେଖି ରାକ୍ଷସ ଆଶ୍ଚର୍ଯ୍ୟ ଓ ଭୟପାଇ ପୁଲୋମାଙ୍କୁ ଛାଡିଦେଲା । କିନ୍ତୁ ପୁଲୋମାଙ୍କୁ ଛାଡିଦେଲା ପରେବି ତା'ର ରକ୍ଷା ନଥିଲା । ସଦ୍ୟ ଜନ୍ମିତ ବାଳକର ତେଜରେ ରାକ୍ଷସ ସିଧା ସିଧା କେଇମୁଠା ପାଉଁଷ ହେଇ ସେଇଠି ଝଡିଗଲା । ଅସମୟରେ ଗର୍ଭରୁ ଚ୍ୟୁତ ହେଲେ ବୋଲି ପିଲାଟିର ନାମ ରଖାଗଲା ଚ୍ୟବନ । ପରେ ସେ ଚ୍ୟବନ ମହର୍ଷି ଭାବରେ ପ୍ରସିଦ୍ଧ ହେଲେ ।

ଏମିତି ସବୁ ଘଟଣା ଦେଖି ପୁଲୋମା ଆଉ ହୋସରେ ନଥା'ନ୍ତି । ହୋସରେ ନଥିଲେ ବି ସେ ନିଜ ବାଳୁତ ସନ୍ତାନକୁ ହାତରେ ଉଠେଇଧରି ଭଲରେ ଆଖି ପୁରେଇ ଆଗ ଟିକେ ଦେଖିଲେ ଓ ସେଠୁ ଧିରେ ଧିରେ ବାହାରିଲେ । ସେତବେଳକୁ ପୁଲୋମାଙ୍କ ମାନସିକ ଅବସ୍ଥା ନକହିଲେ ଭଲ । ଦୁଃଖ, କ୍ରୋଧ, ଅସହାୟତା ଓ ଆନନ୍ଦରେ ତାଙ୍କ ଆଖିରୁ ଅନବରତ ଲୁହ ଝରୁଥାଏ । ପୁଲୋମାଙ୍କ ଆଖିର ଲୁହ ଦେଖି ସୃଷ୍ଟିକର୍ତ୍ତା ପିତାମହ ବ୍ରହ୍ମା ଅତ୍ୟନ୍ତ ବିଚଳିତ ହେଇପଡିଲେ । ପିତାମହ ପୁଲୋମାଙ୍କ ଆଖିର ଲୁହକୁ ନଷ୍ଟ ହେବାକୁ ଦେଲେନି । ଅନବରତ ବହିଚାଲିଥିବା ଆଖିର ଲୁହରେ ଏକ ନଦୀ ସୃଷ୍ଟି କଲେ । ତାପରେ ନଦୀଟି ପୁଲୋମାଙ୍କୁ ଅନୁସରଣ କରି ବହିବାକୁ ଲାଗିଲା । ପିତାମହ ବ୍ରହ୍ମା ସେ ନଦୀର ନାମ ଦେଲେ ବଧୁସାର ।

ଏହାପରେ ଭୃଗୁ ଯେତେବେଳେ ତାଙ୍କ ଆଶ୍ରମରେ ପହଞ୍ଚିଲେ ସେ ବାଳକ ଚ୍ୟବନଙ୍କୁ ଦେଖିଲେ ଓ ସବୁକଥା ଶୁଣିଲେ । ସବୁଶୁଣି ଭୃଗୁ ଅତ୍ୟନ୍ତ କ୍ରୋଧସହ ପୁଲୋମାଙ୍କୁ ପଚାରିଲେ ଯେ, ସେ ରାକ୍ଷସକୁ କିଏ କହିଲା ତମେ ମୋର ପତ୍ନୀ ବୋଲି? କେହି ଜଣେ ତ ନିଶ୍ଚୟ ତାକୁ ଅବଗତ କରାଇଥିବ । ନହେଲେ ସେ ବା କେମିତି ଜାଣିଥା'ନ୍ତା?

ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

ପୁଲୋମା ଏଥର ସିଧା ସିଧା ତାଙ୍କ ସ୍ୱାମୀ ଭୃଗୁଙ୍କୁ ଚାହିଁଲେ ଓ କହିଲେ - ଆପଣ ଯାହାକୁ ମୋର ସୁରକ୍ଷା ଦାୟିତ୍ୱ ଦେଇ ଯାଇଥିଲେ, ସେଇ ସ୍ୱୟଂ ଅଗ୍ନି ହିଁ ରାକ୍ଷସକୁ ସବୁ କହିଛନ୍ତି । ରକ୍ଷା ହେଇଛି ଆମ ପୁଅ ଚ୍ୟବନ ଗର୍ଭରୁ ବାହାରି ମୋତେ ରକ୍ଷା କରିଛି । ନହେଇଥିଲେ ଆପଣ ଆମକୁ ଆଉ ପାଇନଥା'ନ୍ତେ । ଏତିକି କଥା ପୁଲୋମାଙ୍କ ପାଖରୁ ଶୁଣିଲା ପରେ ଭୃଗୁ ଆହୁରି ଅଧିକ ଭାବରେ ରାଗିଗଲେ ଓ ଅଗ୍ନିଦେବଙ୍କୁ ତୁରନ୍ତ ଅଭିଶାପ ଦେଇ କହିଲେ ଯେ, ହେ ଅଗ୍ନି! ତମେ ସର୍ବଗ୍ରାସି ହେବ । ଏଣିକି ଭଲ ମନ୍ଦ ସବୁ କିଛି ତୁମକୁ ବିନା ବାଛ ବିଚାରରେ ଭକ୍ଷଣ କରିବାକୁ ହେବ ।

ଭୃଗୁଙ୍କ ଏପରି ଅଭିଶାପ ପରେ ଅଗ୍ନିଦେବ ମଧ୍ୟ ରାଗି ଗଲେ । ସେ ମଧ୍ୟ କ୍ରୋଧରେ କହିଲେ, ହେ ମହର୍ଷି ! କେବଳ ଆପଣ କ'ଣ ଅଭିଶାପ ଦେଇପାରିବେ? ମୁଁ ମଧ୍ୟ ଚାହିଁଲେ ଆପଣଙ୍କୁ ଅଭିଶାପ ଦେଇପାରିବି । କିନ୍ତୁ ଜଣେ ବ୍ରାହ୍ମଣକୁ ମୁଁ ଅଭିଶାପ ଦେବାକୁ ଚାହୁଁନି । ଆପଣ ବିନା କାରଣରେ ମୋତେ ଅଭିଶାପ ଦେଉଛନ୍ତି । ତାପରେ ମୋ ଜାଣିବାରେ ମୁଁ କିଛି ବି ଭୁଲ କରିନି । ଯାହା ସତ୍ୟ କେବଳ ସେତିକି ହିଁ ପ୍ରକାଶ କରିଛି । ଜଣେ ଯେତେବେଳେ ସତ କ'ଣ ଜାଣିବାକୁ ମୋତେ ପଚାରିଲା, ସେତବେଳେ ମୁଁ ମିଛ କେମିତି ବା କହିଥା'ନ୍ତି? ମୋତେ ସର୍ବଭୁକ୍ ହେବାକୁ ଆପଣ ଅଭିଶାପ ଦେଲାବେଳେ ହୁଏତ ଭୁଲିଯାଇଛନ୍ତି ଯେ, ଯଜ୍ଞ ଆଦି ବୈଦିକ କର୍ମରେ ଅଗ୍ନିରେ ଯେଉଁ ଘିଅ ପୋଡାଯାଏ ତାହା ଦେବତା ଓ ପୂର୍ବପୁରୁଷମାନେ ଖାଦ୍ୟ ଭାବରେ ଗ୍ରହଣ କରନ୍ତି । ସେଥିପାଇଁ ମୋତେ ତେତିଶ କୋଟି ଦେବତା ଓ ପୂର୍ବପୁରୁଷଙ୍କର ପାଟି ବୋଲି କୁହାଯାଏ । ଅମାବାସ୍ୟ ଦିନ ପିତୃପୁରୁଷ ଓ ପୂର୍ଣ୍ଣମୀ ଦିନ ଦେବତାମାନେ ମୋତେ ଅର୍ପଣ କରାଯାଇଥିବା ଘିଅକୁ ସେବନ କରନ୍ତି । ହେ ବେଦଜ୍ଞ ଭୃଗୁ! ମୁଁ ଏବେ ସର୍ବଭକ୍ଷୀ କେମିତି ହେଇପାରିବି କୁହନ୍ତୁ? ତାହା ଆମ ଦେବକୁଳ ଓ ପୂର୍ବ ପୁରୁଷଙ୍କ ପାଇଁ ଠିକ୍ ହେବ କି?

ଅଗ୍ନିଦେବଙ୍କୁ ଭୃଗୁ ମୁନିଙ୍କ ଅଭିଶାପ ଓ ଶାପ ମୋଚନର କଥା

ଏତିକି କହି ଅଗ୍ନି ଚୁପ୍ ରହିଲେ ଓ ନିଜକୁ ସବୁ କିଛି କର୍ମରୁ ଅବ୍ୟାହତ ନେଇ ଚାଲିଗଲେ । ଅଗ୍ନିଙ୍କ ବିନା ସହଯୋଗରେ ତିନିଲୋକରେ ଆଉ ଯଜ୍ଞ ଆଦି କର୍ମ ସମ୍ପନ୍ନ ହୋଇପାରିଲାନି । କୌଣସି କର୍ମ କାଣ୍ଡ ହୋଇପାରିଲାନି । ଋଷିମାନେ ଅନ୍ୟ ଉପାୟ ନପାଇ ଶେଷରେ ଦେବତାମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଅସହାୟତା କଥା କହିଲେ । ଦେବତାମାନେ ବି ବିନା ଯଜ୍ଞ ଓ ବିନା ଅଗ୍ନିରେ ଖାଦ୍ୟ ପାଇପାରୁନଥିଲେ । ଦେବତାମାନେ ଋଷିମାନଙ୍କ ସହ ମିଶି ତାପରେ ସମସ୍ୟାର ସମାଧାନ ପାଇଁ ପିତାମାହ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ । ଦେବତା ଓ ଋଷିମାନଙ୍କ ପାଖରୁ ସବୁକିଛି ଶୁଣି ବ୍ରହ୍ମା ଅଗ୍ନିଙ୍କୁ ପାଖକୁ ଡାକିଲେ ଓ କହିଲେ, ହେ ଅଗ୍ନି ଦେବ! ଆପଣ ଏ ସଂସାରର ଅନ୍ୟତମ ରକ୍ଷା କର୍ତ୍ତା । ଆପଣ କେମତି ଏମିତି ଭ୍ରମରେ ପଡିଗଲେ? ଆପଣତ ସବୁବେଳେ ଶୁଦ୍ଧ ଓ ପବିତ୍ର । ଆପଣ ସମ୍ପୂର୍ଣ୍ଣ ଭାବରେ ସର୍ବଗ୍ରାସୀ ହୋଇପାରିବେନି । କାରଣ ଆପଣଙ୍କୁ ଯାହା ଅର୍ପଣ କରାଯିବ ତାକୁ ପ୍ରଥମେ ଆପଣଙ୍କ ଶିଖା ଗ୍ରହଣ କରିବ । ଶେଷରେ ଯାହା ବି ଆପଣଙ୍କ ଉଦରସ୍ଥ ହେବ ତାହା ଆପେ ଶୁଦ୍ଧ ହେଇଯିବ । ଆପଣ ଆପଣଙ୍କ ଚମତ୍କାରୀ ଶକ୍ତିରେ ଭୃଗୁଙ୍କ ଅଭିଶାପକୁ ସତ କରିପାରିବେ । ଏବେ ଦେବତା ଓ ପିତୃପରୁଷଙ୍କ ପାଇଁ ଉଦ୍ଦିଷ୍ଟ ଆହାର ଆପଣ ଦୟାକରି ବିନା ଦ୍ୱିଧାରେ ସ୍ୱୀକାର କରନ୍ତୁ ।

ବ୍ରହ୍ମାଙ୍କ କଥା ପରେ ସମସ୍ତେ ଯିଏ ଯେଉଁ ରାସ୍ତରେ ଆସିଥିଲେ ସେ ରାସ୍ତାରେ ସେଠାରୁ ବାହାରିଲେ । ଋଷିମାନେ ଖୁସି ମନରେ ସେମାନଙ୍କର ଯଜ୍ଞ ଆଦି କର୍ମ ଆରମ୍ଭ କଲେ । ସମସ୍ୟାର ସମାଧାନ ପରେ ଏବେ ଦେବତାମାନେ ଖୁସି ଓ ଅଗ୍ନି ବି ଏଥର ଖୁସି ।

ଭୃଗୁଙ୍କର ପୁଅ ହେଉଛନ୍ତି ଚ୍ୟବନ । ଚ୍ୟବନଙ୍କର ପୁଅ ହେଲେ ପ୍ରମତି । ପ୍ରମତିଙ୍କର ପୁଅ ହେଉଛନ୍ତି ରୁରୁ । ରୁରୁ ଓ ତାଙ୍କ ପତ୍ନୀ ପ୍ରମଦବରାଙ୍କର ପୁଅଙ୍କର ନାମ ହେଲା ସୁନକ ।

ଆଗକୁ ରୁରୁଙ୍କ ବିଷୟରେ ଜାଣିବା. ....

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)