ଦେବ ଗୁରୁ ବୃହସ୍ପତିଙ୍କ ପତ୍ନୀ ତାରାଙ୍କ ସହ ଚନ୍ଦ୍ର ଦେବଙ୍କ ଗୋପନ ପ୍ରଣୟର କାହାଣୀ

ଏଥର ଜାଣିବା ତାରା ଓ ଚନ୍ଦ୍ରଙ୍କ ପିଲା ବୁଧଙ୍କୁ କାହିଁକି ଅଭିଶାପ ଦେଲେ ବୃହସ୍ପତି । କାହିଁକି ପ୍ରେମିକ ପାଇଁ ଘର ଛାଡି ଥିବା ତାରାଙ୍କୁ ପୁଣିଥରେ ଫେରିବାକୁ ହେଲା ସ୍ୱାମୀଙ୍କ ପାଖକୁ ।

ଦେବ ଗୁରୁ ବୃହଷ୍ପତିଙ୍କ ପତ୍ନୀ ତାରାଙ୍କ ସହ ଚନ୍ଦ୍ର ଦେବଙ୍କ ଗୋପନ ପ୍ରଣୟର କାହାଣୀ

ଦେବତାମାନଙ୍କର ଗୁରୁ ହେଲେ ବୃହସ୍ପତି । ବୃହସ୍ପତି ଆମ ସୌରଜଗତର ଗ୍ରହ ବ୍ୟବସ୍ଥାରେ ପଞ୍ଚମ ଗ୍ରହ । ସେ ଦେବ ପୁରୋହିତ ମଧ୍ୟ । ଦେବତାମାନଙ୍କ ମଙ୍ଗଳ ପାଇଁ ସେ ସବୁବେଳେ ଯାଗ ଯଜ୍ଞର ଆୟୋଜନ କରନ୍ତି । ବିଶ୍ୱର ମଙ୍ଗଳ ପାଇଁ ଓ ଅସୁରମାନଙ୍କ ସହ ଲଢେଇ କରିବା ପାଇଁ ଆବଶ୍ୟକୀୟ ବଳ ଓ ଶୌର୍ଯ୍ୟର ବୃଦ୍ଧି ପାଇଁ ଦେବତାମାନଙ୍କର ଏପରି ଯାଗ-ଯଜ୍ଞର ସବୁବେଳେ ଆବଶ୍ୟକତା ଥାଏ । ଦେବତାମାନଙ୍କ ଗୁରୁ ବୋଲି ସପ୍ତାହର ବୃହସ୍ପତି ବାରକୁ ଗୁରୁବାର କୁହାଯାଏ ।

ଦେବ ଗୁରୁ ବୃହସ୍ପତିଙ୍କର ପତ୍ନୀ ହେଲେ ତାରା । ବୈଦିକ ଯୁଗ ସମୟରେ ନାରୀ ଓ ପରୁଷ ଉଭୟେ ଯଜ୍ଞ କର୍ମ ସମ୍ପାଦନ କରୁଥିଲେ । ତାରା ମଧ୍ୟ ସ୍ୱାମୀ ବୃହସ୍ପତିଙ୍କ ସହ ମିଶି ଯଜ୍ଞରେ ଅଂଶଗ୍ରହଣ କରନ୍ତି । ତେଣୁ ତାଙ୍କୁ ବୃହସ୍ପତିଙ୍କ ସମୀପରେ ଯଜ୍ଞକର୍ମ ସମୟରେ ବସିବାକୁ ହେଉଥିଲା। ବେଦ ମନ୍ତ୍ର ଉଚ୍ଚାରଣ କରିବାକୁ ପଡୁଥିଲା । ଅଗ୍ନିରେ ଘିଅର ଆହୁତି ଦେବାକୁ ହେଉଥିଲା । ସବୁପରେ ବି ତାରାଙ୍କ ମନରେ କିନ୍ତୁ ସରାଗ ନଥାଏ । ବିବାହର ଅନେକ ବର୍ଷ ପରେ ବି କୋଳକୁ ପିଲାଟିଏ ଆସିନଥାଏ ତାଙ୍କର । ବୃହସ୍ପତିଙ୍କର ଏତେ ବ୍ୟସ୍ତତା ଯେ, ସେ କେବଳ ଯାଗ - ଯଜ୍ଞର ଆୟୋଜନ ଛଡା ଅନ୍ୟ କୌଣସି କାମରେ ଆଗ୍ରହ ରଖନ୍ତିନି । ତାରାଙ୍କ ମନ କ'ଣ ଚାହୁଁଛି, ସେକଥା ବୃହସ୍ପତି କେବେ ବି ବୁଝିପାରନ୍ତିନି । ବହୁତ ଏକା ଏକା ଲାଗେ ତାଙ୍କୁ । ଲାଗେ ସେ ଯେମିତି କେବଳ ସ୍ୱାମୀଙ୍କ ଯଜ୍ଞ କର୍ମ ସମ୍ପାଦନରେ ଦରକାର ବିଭିନ୍ନ ଆବଶ୍ୟକୀୟ ଦ୍ରବ୍ୟମାନଙ୍କ ପରି ଅନ୍ୟ ଏକ ଦ୍ରବ୍ୟ ମାତ୍ର ।

ଏମିତି ଏକ ଉଦାସ ସନ୍ଧ୍ୟାରେ ଦିନେ ଆକାଶକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଥିବା ବେଳେ ଚନ୍ଦ୍ରଙ୍କ ସହ ତାରାଙ୍କର ଭେଟ ହୁଏ । ତାରା ଚନ୍ଦ୍ରଙ୍କୁ ଜାଣନ୍ତି ବୃହସ୍ପତିଙ୍କ ପାଖରେ ତାଙ୍କ ପାଠପଢା ସମୟରୁ । ଚନ୍ଦ୍ରଙ୍କର ବି ଗୁରୁପତ୍ନୀ ରୂପବତୀ ତାରାଙ୍କ ପ୍ରତି ପୂର୍ବରୁ ଆକର୍ଷଣ ଥାଏ । କିଛିଦିନ ପରେ ପାରସ୍ପରିକ ଆକର୍ଷଣ ତାରା ଓ ଚନ୍ଦ୍ରଦେବଙ୍କ ଭିତରେ ପ୍ରେମକୁ ବଦଳି ଯାଏ । ଚନ୍ଦ୍ରଦେବଙ୍କ ଶୀତଳ ସୌନ୍ଦର୍ଯ୍ୟ ଓ ପ୍ରେମପୂର୍ଣ୍ଣ ବ୍ୟବହାରରେ ତାରା ମୁଗ୍ଧ ହୋଇଯାଆନ୍ତି । ବୃହସ୍ପତି ଦେବତାମାନଙ୍କର ଗୁରୁ । ତେଣୁ ସେ ଚନ୍ଦ୍ରଙ୍କର ମଧ୍ୟ ଗୁରୁ । ହିସାବରେ ତାରା ହେଉଛନ୍ତି ଚନ୍ଦ୍ରଙ୍କର ଗୁରୁପତ୍ନୀ । ଗୁରୁପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ପାପ । ସବୁ ଜାଣି ମଧ୍ୟ ଚନ୍ଦ୍ର ଓ ତାରା ପ୍ରେମରେ ପଡିଲେ ।

ଚନ୍ଦ୍ରଙ୍କ ସହ ତାରାଙ୍କର ଭେଟ

ଲୁଚା ଛପାରେ ସମ୍ପର୍କ ରହିବାର କିଛିଦିନ ପରେ ତାରା ବୃହସ୍ପତିଙ୍କୁ ପରିତ୍ୟାଗ କରି ଚନ୍ଦ୍ରଙ୍କ ସହ ରହିବା ଆରମ୍ଭ କଲେ । ଧିରେ ଧିରେ ଦୁହିଁଙ୍କ ପ୍ରେମ ଆଉ ଗୋପନ ହେଇ ରହିଲାନି । କଥାଟିକୁ ଦେବଲୋକରେ ସମସ୍ତେ ଜାଣିଲେ । ଏମିତି ଏକ ଖବର ପାଇ ବୃହସ୍ପତି ବି ପ୍ରଥମେ ଭୀଷଣ ବିରକ୍ତ ହେଲେ । ତାଙ୍କ ପାଇଁ ତାରା ଓ ଚନ୍ଦ୍ରଙ୍କ ପ୍ରେମ ଅପେକ୍ଷା ତାରାଙ୍କ ଅନୁପସ୍ଥିତି ପ୍ରକୃତରେ ଅଧିକ ଗୁରୁତ୍ୱ ରଖୁଥିଲା । କାରଣ ପତ୍ନୀଙ୍କ ବିନା ଉପସ୍ଥିତରେ ସେ ବୈଦିକ ଯଜ୍ଞ କର୍ମ ସମ୍ପାଦନ କରିପାରିବେନି । ତାପରେ ବୃହସ୍ପତି ଦିନେ ଚନ୍ଦ୍ରଙ୍କ ପାଖରେ ପହଞ୍ଚି କହିଲେ ତାରାକୁ ଶୀଘ୍ର ଫେରାଇ ଦିଅ । ଚନ୍ଦ୍ର କାହିଁକି ବା ବୃହସ୍ପତିଙ୍କ କଥା ଶୁଣିବେ? ତାଙ୍କର ଯୁକ୍ତି ହେଲା, ସେ ତ କାହାକୁ ହରଣ କରି ଆଣିନାହାଁନ୍ତି ଯେ ଫେରାଇଦେବେ । ତାରା ତାଙ୍କ ସ୍ୱଇଚ୍ଛାରେ ଆସିଛନ୍ତି । ତାରା ଯଦି ଇଚ୍ଛା କରନ୍ତି ଫେରିଯାଇ ପାରନ୍ତି । ତାରାଙ୍କୁ ତାଙ୍କ ମତାମତ ପଚରାଯାଉ । ବୃହସ୍ପତିଙ୍କୁ ତାରା ତ ମୁହଁ ଉପରେ ମନା କରିଦେଲେ । ଚନ୍ଦ୍ର ଆହୁରି ମରମଭେଦା କଥାଟି ସେତିକିବେଳେ କହିଲେ ଯେ, ଜଣେ ବୁଢା ଲୋକ ପାଖରେ ଏତେ ସୁନ୍ଦରୀ ଯୁବତୀ ସ୍ତ୍ରୀର କି ବା ପ୍ରୟୋଜନ? ଏମିତି କଥା ଶୁଣି ବୃହସ୍ପତି ଆହୁରି ଚିଡିଗଲେ ।

ଦେବତାମାନଙ୍କର ରାଜା ହେଲେ ବଜ୍ରଧାରୀ ଇନ୍ଦ୍ରଦେବ । ବୃହସ୍ପତି ଦେବସଭାରେ ପହଞ୍ଚି ଇନ୍ଦ୍ରଦେବଙ୍କ ପାଖରେ ଫେରାଦ ହେଲେ ଯେ, ଏଣିକି ଦେବତାମାନଙ୍କ ପାଇଁ ସେ ଆଉ ଯାଗ ଯଜ୍ଞ କରିପାରିବେନି । କାରଣ ପତ୍ନୀ ତାଙ୍କର ଏବେ ତାଙ୍କୁ ଛାଡି ଚନ୍ଦ୍ରଦେବଙ୍କ ଘରେ ରହୁଛନ୍ତି । ଚନ୍ଦ୍ରଦେବ ଏବେ ତାରାଙ୍କୁ ଫେରାଇଦେବାକୁ ନାରାଜ । ପତ୍ନୀଙ୍କ ବିନା ଉପସ୍ଥିତି ଓ ସହଯୋଗରେ ବୈଦିକ ଯଜ୍ଞ ସମ୍ପାଦନ କରିବା ଅସମ୍ଭବ । ଏଥିପାଇଁ ଦେବରାଜ ତୁରନ୍ତ ବିହିତ ପଦକ୍ଷପ ଗ୍ରହଣ କରି ଯଥାସମ୍ଭବ ତାରାଙ୍କୁ ତାଙ୍କ ପାଖକୁ ଫେରାଇ ଆଣନ୍ତୁ ।

ପତ୍ନୀଙ୍କ ବିନା ଉପସ୍ଥିତି ଓ ସହଯୋଗରେ ବୈଦିକ ଯଜ୍ଞ ସମ୍ପାଦନ କରିବା ଅସମ୍ଭବ

ଦେବ ସଭାରେ ଏମତି ପରିସ୍ଥିତି ଆଗରୁ କେବେ ବି ଆସିନଥିଲା । ସମସ୍ତଙ୍କ ମୁଣ୍ଡରେ ଭାଳେଣି, କ'ଣ କରାଯିବ ଏବେ? କିଏ ତାରାଙ୍କ ସପକ୍ଷରେ ବାହାରିଲେ ତ କିଏ ବୃହସ୍ପତିଙ୍କ ପକ୍ଷରେ । କଥା ହେଲା, କେବଳ ବୈଦିକ ଯଜ୍ଞର ଆବଶ୍ୟକତା ପାଇଁ ନିଜର ପତ୍ନୀଙ୍କୁ ବ୍ୟବହାର କରୁଥିବା ବୃହସ୍ପତିଙ୍କ ପାଖକୁ ତାରାଙ୍କୁ ଫେରି ଆସିବାକୁ ହେବ, ନା ତାଙ୍କୁ ଭଲପାଉଥିବା ପ୍ରେମିକ ଚନ୍ଦ୍ରଦେବଙ୍କ ପାଖରେ ତାରାଙ୍କୁ ରହିବାକୁ ଦିଆଯିବ? କିଏ ଗୁରୁତ୍ୱପୂର୍ଣ୍ଣ, ପ୍ରେମ ନା କର୍ତ୍ତବ୍ୟ? ଉଦାସୀନ ବୁଢା ସ୍ୱାମୀ ନା ମନ ବୁଝୁଥିବା ପ୍ରେମିକ ଯୁବକ?

ଦେବତାମାନଙ୍କ ପାଇଁ ବୈଦିକ ଯଜ୍ଞର ଆବଶ୍ୟକତା ଥିଲା ସବୁଠୁ ଆଗରେ । ସେତକ ବନ୍ଦ ହେଇଗଲେ ଅନର୍ଥ ହେଇଯିବ । ଅକାଳ ମହାମାରୀରେ ଜୀବ ଜଗତ ନାଶ ଯିବେ । ବର୍ଷା ହେବନି । ଅକାଳ ମାଡି ଆସିବ । ଅସୁରମାନେ ବଳଶାଳୀ ହେଇଯିବେ । ଇନ୍ଦ୍ରଙ୍କ ଇନ୍ଦ୍ରପଦ ଟଳ ମଳ ହେବ । ଦେବସଭାରେ ଅନେକ ତର୍କ ବିତର୍କ ଓ ତର୍ଜମା ପରେ ଶେଷକୁ କଥା ଛିଡିଲା, ଯାହା ହେଉଛି ହେଉ ତାରାଙ୍କୁ କିନ୍ତୁ ତାଙ୍କ ସ୍ୱାମୀ ବୃହସ୍ପତିଙ୍କ ପାଖକୁ ଫେରିଆସିବାକୁ ହେବ । ତାରାଙ୍କୁ ବୁଝେଇ ସୁଝେଇ ଘରକୁ ଫେରାଇ ଆଣିବାକୁ ଚନ୍ଦ୍ରଙ୍କ ଘରେ ଯାଇଁ ଇନ୍ଦ୍ରଦେବ ପହଞ୍ଚିଲେ । ତାରା କିନ୍ତୁ ସିଧା ସଳଖ ଇନ୍ଦ୍ରଦେବଙ୍କୁ ମନା କରିଦେଲେ ଓ କହିଲେ ସେ ବୃହସ୍ପତିଙ୍କ ପାଖକୁ ଆଉ କେବେ ବି ଫେରିବେନି । ତାଙ୍କୁ ପ୍ରେମ କରୁନଥିବା ଓ ତାଙ୍କ ପାଇଁ ଆଦୌ ସମୟ କାଢୁନଥିବା ଏବଂ ସବୁବେଳେ ଯାଗ ଯଜ୍ଞରେ ବ୍ୟସ୍ତ ରହୁଥିବା ସ୍ୱାମୀ ପାଖକୁ ସେ ଫେରିଯିବାକୁ ଚାହାନ୍ତିନି । ଇନ୍ଦ୍ରଦେବ କିନ୍ତୁ ତାରାଙ୍କୁ ଭଲରେ ବୁଝାଇ କହିଲେ - ଦେଖ ତାରା, ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ମଙ୍ଗଳପାଇଁ ବୈଦିକ ଯଜ୍ଞର ଆବଶ୍ୟକତା ରହିଛି । ତୁମ ବିନା ସହଯୋଗରେ ଯଜ୍ଞ ଅସମ୍ଭବ । ତୁମେ ନରହିଲେ ବୃହସ୍ପତି ଯଜ୍ଞ ସମ୍ପନ୍ନ କରିପାରିବେନି । ତୁମକୁ ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ନିଜର ବ୍ୟକ୍ତିଗତ ପ୍ରେମ ଓ ଭଲପାଇବାକୁ ଜଳାଞ୍ଜଳି ଦେବାକୁ ହେବ ଓ ସ୍ୱାମୀ ବୃହସ୍ପତିଙ୍କ ପାଖକୁ ଫେରି ଆସିବାକୁ ହେବ । ଏ ନିଷ୍ପତ୍ତି ଦେବସଭାର । ତୁମକୁ ମାନିବାକୁ ହେବ ।

ତାରା ଶେଷରେ ବାଧ୍ୟ ହେଇ ବୃହସ୍ପତିଙ୍କ ପାଖକୁ ଫେରିଆସିଲେ । ତାରା ବୃହସ୍ପତିଙ୍କ ଘରକୁ ଫେରିଆସିଲା ବେଳକୁ ଜଣାପଡିଲା ସେ ଗର୍ଭବତୀ । କିନ୍ତୁ କିଏ ଜାଣେ ତାରାଙ୍କ ପେଟରେ ବଢୁଥିବା ପିଲାଟିର ବାପା କିଏ? ବୃହସ୍ପତି କହିଲେ ସେ ତାରାଙ୍କ ସ୍ୱମୀ । ତେଣୁ ସେ ହିଁ ବାପା । ଚନ୍ଦ୍ରଦେବ କହିଲେ ତାରା ତାଙ୍କ ପାଖରେ ଥିଲେ । ତେଣୁ ସେ ହିଁ ତାରାଙ୍କ ପେଟରେ ବଢୁଥିବା ପିଲାଟିର ବାପା । ଏଥର କଥାଟିକୁ ଅନ୍ୟମାନେ ଜାଣିଲେ । ଅନ୍ୟମାନେ ବି ପଚାରିଲେ ତାରା କୁହ, କିଏ ଏଇ ପିଲାର ପ୍ରକୃତ ବାପା? ତାରା କିନ୍ତୁ ନୀରବ । ସେ ପ୍ରକାଶ କରିବାକୁ ଚାହୁଁନଥିଲେ ତାଙ୍କ ପିଲାଟି ଅସଲରେ କାହା ଔରସରୁ ଆସିଛି । ପିଲାଟି କ’ଣ ବାପାର ନାମ ଛାଡି କେବଳ ତା' ମାଆର ପରିଚୟ ନେଇ ସଂସାରରେ ରହିପାରିବନି?

ତାରା ବୃହସ୍ପତିଙ୍କ ଘରକୁ ଫେରିଆସିଲା ବେଳକୁ ଜଣାପଡିଲା ସେ ଗର୍ଭବତୀ

ତାରାଙ୍କ ନୀରବତା କିନ୍ତୁ ବେଶି ସମୟ ରହିପାରିଲାନି । କାରଣ ତାଙ୍କ ଗର୍ଭରେ ବଢୁଥିବା ଶିଶୁଟି ମଧ୍ୟ ଏବେ ତାରାଙ୍କୁ ପ୍ରଶ୍ନ କରି ପଚାରିଲା କୁହ ମା, କିଏ ମୋର ବାପା? ମୁଁ ମୋ ବାପାଙ୍କ ପରିଚୟ ଏବେ ଏଇ ମୁହୂର୍ତ୍ତରେ ହିଁ ଜାଣିବାକୁ ଚାହେଁ । ପ୍ରକୃତ ସତ୍ୟକୁ ଜାଣିବାକୁ ଚାହେଁ ।

ଗର୍ଭ ଭିତରେ ଥିବା ପିଲାଟିର ସତ୍ୟ ଜାଣିବାର ଆଗ୍ରହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଉପସ୍ଥିତ ଦେବତାମାନେ ପିଲାଟିର ସତ୍ୟ ଜାଣିବାର ଆଗ୍ରହକୁ ସମ୍ମାନ ଦେଇ କହିଲେ, ଏ ପିଲାଟି ବୁଦ୍ଧିର ଦେବତା ହେବ । ଯିଏକି ସତ୍ୟ ଓ ମିଥ୍ୟା ଭିତରେ ଥିବା ପାର୍ଥକ୍ୟକୁ ଜଣାଇଦେବ । ଜ୍ଞାନ ଓ ବୁଦ୍ଧିର ଦେବତା ଭାବରେ ପିଲାଟିର ନାମ ରହିବ ବୁଧ ।

ଅନ୍ୟମାନଙ୍କ ପ୍ରଶ୍ନ ଶୁଣି ସିନା ତାରା ଚୁପ୍ ରହିଯାଇଥିଲେ, କିନ୍ତୁ ନିଜ ଗର୍ଭସ୍ଥ ସନ୍ତାନର ପ୍ରଶ୍ନକୁ କେମିତି ବା ଏଡାଇ ଯାଇଥା'ନ୍ତେ? ତାରା ଆଉ ଚୁପ୍ ରହିପାରିଲେନି । ନିଜ ପେଟ ଉପରେ ହାତ ରଖିଲେ, ଆଖି ବନ୍ଦ କଲେ ଓ ଧିର ସ୍ୱରରେ କହିଲେ- ଧନରେ ତୋ ପ୍ରକୃତ ବାପା ହେଲେ ଚନ୍ଦ୍ରଦେବ ।

ଏତିକି ଶୁଣି ଅନ୍ୟ କେହି କିଛି କହିବା ଆଗରୁ ବୃହସ୍ପତି କିନ୍ତୁ ଅସମ୍ଭବ ଭାବରେ ରାଗିଗଲେ । ଅତ୍ୟନ୍ତ କ୍ରୋଧରେ ଅଭିଶାପ ଦେଇ କହିଲେ, ଶୁଣ ତାରା ତମ ପେଟରେ ଥିବା ପିଲାଟି ପୁଅ ହେବନି କି ଝିଅ ହେବନି । ମନେରଖ ମୋ ଅଭିଶାପ ଅନ୍ୟଥା ଯିବନି । ତୁମେ କରିଥିବା ପାପର ଫଳ ତୁମ ପୁଅ ଭୋଗ କରିବ ।

ବୃହସ୍ପତିଙ୍କ କ୍ରୋଧ ଓ ଅଭିଶାପ ଶୁଣି ଉପସ୍ଥିତ ଦେବତାମାନେ ବ୍ୟସ୍ତ ହେଇପଡିଲେ । ଦେବରାଜ ଇନ୍ଦ୍ରଦେବ ବୃହଷ୍ପପତିଙ୍କ କ୍ରୋଧକୁ ପ୍ରଶମିତ କରିବାକୁ କହିଲେ; ହେ ଦେବ ଗୁରୁଦେବ! ଆପଣ ଏ କ'ଣ କଲେ? ଆପଣଙ୍କ ପରି ଜ୍ଞାନୀ ପଣ୍ଡିତଙ୍କର ଅତ୍ୟନ୍ତ କ୍ରୋଧ ଯୋଗୁଁ ବୁଦ୍ଧି ନାଶଗଲା । ଆପଣ କ'ଣ ଜାଣନ୍ତିନି ତାରା ହେଲେ ଆପଣଙ୍କ ବିବାହିତ ପତ୍ନୀ ? ନିୟମତଃ ବିବାହିତ ପତ୍ନୀର ଔରସରୁ ଜନ୍ମିତ ସମସ୍ତ ସନ୍ତାନର ପିତା ଆପଣ ହିଁ ହେବେ । ତେଣୁ ବୁଧ ଆପଣଙ୍କ ପୁତ୍ର ଭାବରେ ହିଁ ଜଗତ ଆଗରେ ପରିଚିତ ହେବ । ଚନ୍ଦ୍ରଦେବଙ୍କ ପୁତ୍ର ଭାବରେ କଦାପି ନୁହେଁ ।

ଯଥା ସମୟରେ ତାରାଙ୍କ ଗର୍ଭରୁ ବୁଧ ଜନ୍ମ ନେଲେ । କିନ୍ତୁ ବୃହସ୍ପତିଙ୍କ ଅଭିଶାପ ଯୋଗୁଁ ସେ ନା ପୁଅ ହେଲେ ନା ଝିଅ । ଧୀରେ ଧୀରେ ବଡ ହେଲେ ବୁଧ । ଦିନେ ବୁଧ ତାଙ୍କ ମା ତାରାଙ୍କୁ ପ୍ରଶ୍ନ କଲେ । କହିଲେ ସେ ଏବେ କ’ଣ କରିବେ? ଜଣେ ପୁରୁଷ ଭାବରେ ନା ଜଣେ ନାରୀ ଭାବରେ ଜୀବନ ଧାରଣ କରିବେ? କୋଉ ଧର୍ମ ପାଳନ କରିବେ ସେ ଏବେ ? ନାରୀ ଧର୍ମ ନା ପୁରୁଷ ଧର୍ମ? ବଡ ହେଲେ ବିବାହ କରିବେ ନା ନାହିଁ? ବିବାହ କଲେ କାହାକୁ ବିବାହ କରିବେ ? ଜଣେ ପୁରୁଷକୁ ନା ଜଣେ ନାରୀକୁ ବିବାହ କରିବେ?

ବୁଧଙ୍କ ମନରେ ଅନେକ ପ୍ରଶ୍ନ । ଅନେକ ଦ୍ୱନ୍ଦ । ଦ୍ୱନ୍ଦ ସ୍ୱାଭାବିକ । ସେ ଜାଣନ୍ତି ସେ ଅନ୍ୟମାନଙ୍କ ପରି ନୁହଁନ୍ତି । ଅନ୍ୟମାନଙ୍କ ଠାରୁ ଢେର ଅଲଗା ।

ବୁଧଙ୍କ ପାଖରୁ ଏମିତି ପ୍ରଶ୍ନ ଶୁଣି ତାରାଙ୍କର ଆଖି ଛଳ ଛଳ । ସେ ବୁଧଙ୍କୁ କହିଲେ, ଧନରେ ବ୍ୟସ୍ତ ହଅନି । ଏ ଜୀବନ ଯେତିକି ବିଚିତ୍ର, ସେତିକି ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ । ସଂସାରରେ କେହି କାହା ପରି ନୁହଁନ୍ତି । ଏକା ପରି ଦୃଶ୍ୟ ହେଉଥିଲେ ବି ସମସ୍ତେ ସ୍ୱତନ୍ତ୍ର, ସମସ୍ତେ ଭିନ୍ନ । ସଂସାରରେ ସମସ୍ତେ ଅଛନ୍ତି । ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି । ତୋ ପାଇଁ ବି ଅଛିରେ ବାପ । ପ୍ରଥମେ ଜୀବନ ବଞ୍ଚିବା ଶିଖିନେ । ଅନ୍ୟ ସବୁକିଛି ଠିକଣା ସମୟରେ ଠିକଣା ଜାଗାରେ ତା' ବାଟରେ ଘଟିବ । ତୁ କେବଳ ଅପେକ୍ଷା କରେ ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)