ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁମୂର୍ତ୍ତି ! କେହି ଗଢ଼ି ନାହାନ୍ତି, ଆପଣାଛାଏଁ ତିଆରି ହୋଇଛି !

ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?  

ଅନନ୍ତ ଶୟନରେ ସଂସାରର ପାଳନକର୍ତ୍ତା ଭଗବାନ୍ ବିଷ୍ଣୁ ।

କାମାକ୍ଷାନଗର(ବିଦ୍ୟାଧର ବରାଳ) : ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁ ମୂର୍ତ୍ତି । ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। ଅନନ୍ତ ଶୟନରେ ଅଛନ୍ତି ସଂସାରର ପାଳନକର୍ତ୍ତା ଭଗବାନ୍ ବିଷ୍ଣୁ । ହାତରେ ଧାରଣ କରିଛନ୍ତି ଶଙ୍ଖ ଚକ୍ର ଗଦା ପଦ୍ମ । ଆଉ ବ୍ରାହ୍ନଣୀ ନଦୀରେ ହଜାର ହଜାର ବର୍ଷ ଧରି ଏହିପରି ଅନନ୍ତ ଶୟନ କରିଛନ୍ତି । ଏହି ବିଷ୍ଣୁମୂର୍ତ୍ତି ୫୧ ଫୁଟ ଲମ୍ବ ଆଉ ୨୩ ଫୁଟ ଓସାରଯୁକ୍ତ । ମସ୍ତକକୁ ଅନନ୍ତ ଶେଷନାଗ ଘେରି ରହିଥିବା ବେଳେ ତୀକ୍ଷ୍ଣ ଥୋଡ଼ ବିଶିଷ୍ଟ ନାକ ଏବଂ ମୁଣ୍ଡରେ ମୁକୁଟ ରହିଛି ।

ନାଭିରୁ ବାହାରିଥିବା ପଦ୍ମଫୁଲରେ ବ୍ରହ୍ମା ଧ୍ୟାନରେ ବସିଛନ୍ତି। କୁହାଯାଉଛି ସାରା ବିଶ୍ୱରେ ଏମିତିକା ମୂର୍ତ୍ତି କେଉଁଠାରେ ବି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଲୋକକଥା ରହିଛି ଯେ ଏ ମୂର୍ତ୍ତି କୌଣସି ରାଜା ମହାରାଜା ତିଆରି କରି ନାହାନ୍ତି ବରଂ ଏହା ନଦୀ ବାଲିରେ ଆପଣା ଛାଏଁ ତିଆରି ହୋଇଛି। କିନ୍ତୁ ଏହାର ସତ୍ୟାସତ୍ୟ ସମ୍ପର୍କରେ କେହି ଅବଗତ ନୁହଁନ୍ତି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ ଗର୍ଭରେ ରହିଛି ବିଷ୍ଣୁଙ୍କର ଏହି ବିଶାଳ ମୂର୍ତ୍ତି । ଲୋକେ କହୁଛନ୍ତି ଏ ମୂର୍ତ୍ତିକୁ କେହି ତିଆରି କରିନାହାନ୍ତି । ନବମ ଶତାବ୍ଦୀରେ ଭୌମକର ବଂଶର ରାଜୁତି ସମୟରେ ଏହି ବିଶାଳକାୟ ବିଷ୍ଣୁ ମୂର୍ତ୍ତିଟି ଆପେ ଆପେ ନଦୀର ଜଳସ୍ରୋତ ଯୋଗୁଁ ସୃଷ୍ଟି ହୋଇଥିଲା । ଯାହା ବ୍ରାହ୍ମଣୀ ନଦୀର ଗର୍ଭରେ ବାଲି ଦ୍ୱାରା ପୋତି ହୋଇ ଯାଇଥିଲା । ଆଉ ଦ୍ୱାଦଶ ଶତାବ୍ଦୀରେ ପ୍ରଭୁ ଅନନ୍ତ ଶୟନଙ୍କ ମୂର୍ତ୍ତିଟି ଲୋକଲୋଚନକୁ ଆସିଥିଲା ।

କୁହାଯାଏ ୧୯୭୫-୭୬ ମସିହାରେ ଓଡ଼ିଶାର ରାଜ୍ୟପାଳ ଏଠାକୁ ଆସିଥିଲେ। ଏହି ସ୍ଥାନଟିକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ୭ ଏକର ୧୩ ଡେସିବିଲ ଜାଗାରେ ଥିବା ପ୍ରଭୁ ବିଷ୍ଣୁଙ୍କ ଅନନ୍ତ ଶୟନଙ୍କ ପୀଠକୁ ପ୍ରତ୍ନତାତ୍ତ୍ୱିକ ବିଭାଗ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା। ହେଲେ ଦୁର୍ଭାଗ କେବଳ ଲୁହାର ବାଡ଼ ଘେରେଇ ଦେଇ ବସିପଡ଼ିଲା ପ୍ରତ୍ନତତ୍ତ୍ୱ ବିଭାଗ । ଆଉ ଆଜି ଏହାର ପରିଣାମ ଜଣାପଡ଼ୁଛି ।

ତାର ବାଡ଼ ବଙ୍କା ହୋଇ ଭାଙ୍ଗି ରୁଜି ଗଲାଣି । ରକ୍ଷଣାବେକ୍ଷଣ ଓ ଦାୟିତ୍ୱ ହୀନତା ଯୋଗୁଁ ଧୀରେ ଧୀରେ ବିଶ୍ୱ ଐତିହ୍ୟ ସମ୍ପନ୍ନ ବିଶାଳକାୟ ବିଷ୍ଣୁ ମୂର୍ତ୍ତି ବ୍ରାହ୍ମଣୀ ନଦୀର ଗର୍ଭରେ ଲୀନ ହେବାକୁ ଯାଉଛି । ଉଭୟ ସରକାର ଓ ପ୍ରତ୍ନତାତ୍ତ୍ୱିକ ବିଭାଗର ଅପାରଗତା ଯୋଗୁଁ ଲୁହାର ବାଡ଼ ଗୁଡିକ ଭାଙ୍ଗି ଗଲାଣି । ଓଡିଶା ପର୍ଯ୍ୟଟନର ଯେଉଁ ବୋର୍ଡ ଲାଗିଥିଲା ତାହା କେବଳ ଷ୍ଟିଲର ଖୁଣ୍ଟ ଗୁଡିକ ଅଛି ଫଳକ କେଉଁଆଡ଼େ ଉଡି ଗଲାଣି । ରକ୍ଷଣାବେକ୍ଷଣ ଓ ଦାୟିତ୍ୱହୀନତା ଯୋଗୁଁ ଅନନ୍ତ ଶୟନ ପୀଠଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।

ଏହି ପୀଠ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରୁ ୬୭ କିଲୋମିଟର, ପରଜଙ୍ଗ ଠାରୁ ୧୦ କିଲୋମିଟର, ଅନୁଗୁଳରୁ ୨୩ କିଲୋମିଟର, ତାଳଚେରରୁ ୯ କିଲୋମିଟର ଏବଂ ୧୪୯ ନଂ ଜାତୀୟ ରାଜପଥର ସରାଙ୍ଗ ଗେଟ ନିକଟରୁ ମାତ୍ର ୧୨ ଶହ ମିଟର ଦୂରରେ ଅବସ୍ଥିତ ।

ଢେଙ୍କାନାଳ ଜିଲ୍ଲାରେ ଏକାଧିକ ଐତିହ ଭରା ପର୍ଯ୍ୟଟନ କ୍ଷେତ୍ର ରହିଛି। ହେଲେ ସରକାରୀ ଉଦାସୀନତା କାରଣରୁ ଏ ସ୍ଥାନଗୁଡ଼ିକ ବିକଶିତ ହୋଇ ପାରୁନାହିଁ । ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲେ ମଧ୍ୟ ସୁବିଧା ସୁଯୋଗ ନ ଥିବାରୁ ପର୍ଯ୍ୟଟକ ଆସିଲେ ବି ହଇରାଣ ହରକତ ହେଉଛନ୍ତି ।