Advertisment

ଢୁ ଢୁ ବର୍ଷାରେ ଆଉଟସୋର୍ସିଂ କର୍ମଚାରୀଙ୍କ ରଣହୁଙ୍କାର, କମ୍ପିଲା ମହାତ୍ମା ଗାନ୍ଧି ମାର୍ଗ

ଆନ୍ଦୋଳନ କରି ହକ୍ ମାଗିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦଫା ଦାବିରେ ଆନ୍ଦୋଳନ, ଶିକ୍ଷକ ଓ ଅଧ୍ୟାପକ ବି ଦାବି ନେଇ ଗର୍ଜିଲେ ।

Outsourcing employees

Outsourcing employees

Advertisment

ହଜାର ହଜାର କର୍ମଚାରୀଙ୍କ ରଣ ହୁଙ୍କାରରେ କମ୍ପିଛି ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ବ୍ୟାରିକେଡ୍ ପର୍ଯ୍ୟନ୍ତ, ହଜାର ହଜାର କର୍ମଚାରୀ ଆଜି ନିଜ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ୨୩ ବର୍ଷର ନବୀନ ସରକାର ତାଙ୍କୁ ଧୋକା ଦେଇଛି। ବର୍ଷ ବର୍ଷ ଧରି ସେମାନେ ଖଟୁଛନ୍ତି, କିନ୍ତୁ ସୁବିଧା ସୁଯୋଗ କହିଲେ କିଛି ନାହିଁ। ନା ଭଲ ଦରମା ମିଳୁଛି ନା ଅନ୍ୟ କୌଣସି ସୁବିଧା ସିଯୋଗ। ସତେ ଯେମିତି ସରକାର ସବୁ କାମକୁ ଆଉଟସୋର୍ସିଂ ହାତରେ ଟେକି ଦେଇ ନିଦା ବିଷ୍ଣୁ ପାଲଟି ଯାଇଛନ୍ତି।

Advertisment

ଆଉଟସୋର୍ସିଂ କର୍ମଚାରୀମାନେ ଗଲା ୧୨ ଦିନ ଧରି ନିଜ ହକ ପାଇଁ ପଡ଼ି ରହିଛନ୍ତି । ଢୁ ଢୁ ବର୍ଷା ମାଡ ଖାଇ ବି ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଠୁ ଉଠିବେ ନାହିଁ ବୋଲି ପଣ କରିଛନ୍ତି। ଏମାନେ କୌଣସି ଗୋଟିଏ ସଂସ୍ଥାର ନୁହଁନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି ଏମାନେ। ଏମିତି କି ଖାକି ପୋଷାକ ପିନ୍ଧି ବନ ବିଭାଗରେ କାର୍ଯ୍ୟ କରୁଥିବା ଏ ସୁରକ୍ଷା କର୍ମଚାରୀମାନେ ମଧ୍ୟ ଅସ୍ଥାୟୀ, ଆଉଟ୍ ସୋର୍ସଡ୍। ଗତ ବର୍ଷ ଅକ୍ଟୋବର ୧୫ ତାରିଖରେ ରାଜ୍ୟ ସରକାର ରାଜ୍ୟରୁ ସମସ୍ତ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଘୋଷଣା କରି ବାହାବାହା ନେଇଥିବା ବେଳେ ଏମାନେ ସେଥିରୁ ବଞ୍ଚିତ ହୋଇଛନ୍ତି। ଆଉ ଏବେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ନାଁରେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଖାଲି ଆଉଟ୍ ସୋର୍ସିଂ କର୍ମଚାରୀ ନୁହଁନ୍ତି, ରାଜ୍ୟ ପ୍ରାଥମିକ ଶିକ୍ଷ ଏକ୍ସ-କ୍ୟାଡର୍ ମହାସଂଘ ବି ଏ ବିଶାଳ ଅନ୍ଦୋଳନରେ ସାମିଲ୍ ହୋଇଛି। ୫ ଦଫା ଦାବି ନେଇ ଆଜି ପ୍ରାଥମିକ ଶିକ୍ଷକ ମହାସଙ୍ଘର ପ୍ରାୟ ୨୦ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଅସନ୍ତୋଷ ଝାଡିଛନ୍ତି। ଅଭିଯୋଗ ଅନୁସାରେ ସରକାରଙ୍କ ସମସ୍ତ ସର୍ତ୍ତ ପୂରଣ କରୁଥିଲେ ବି ଓଟିଇଟି ଆଳରେ ୨୦୨୦ ମସିହାରୁ ଏମାନଙ୍କ ଇନକ୍ରିମେଣ୍ଟ ବନ୍ଦ କରିଦିଆଯାଇଛି। ସେହିଭଳି ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ମଧ୍ୟ ରହିଛି।

Advertisment

୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ କଲେଜ୍ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କର ବି ସମାନ ଅବସ୍ଥା। ଏମାନେ ଦୀର୍ଘ ୧୫ ବର୍ଷ ଧରି ନିରବଚ୍ଛନ୍ନ ସେବା ଯୋଗାଇ ଆସୁଥିଲେ ବି ସରକାରୀ ଅନୁଦାନରୁ ବଞ୍ଚିତ ଥିବା ସେମାନଙ୍କ ଅଭିଯୋଗ । ତେବେ ଏସବୁ ଆନ୍ଦୋଳନ ଓ କର୍ମଚାରୀଙ୍କ ଦାବି ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରି

ନାହିଁ।...

Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ