ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର, ନେତୃତ୍ବ ନେବେ ନୋବେଲ୍ ବିଜେତା

ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ ।

Muhammad Yunus

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହେଲା ଅନ୍ତରୀଣ ସରକାର । ଆଉ ଏହାର ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ । ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନିତ କରାଯାଇଛି । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ମହମ୍ମଦ ୟୁନୁସ୍‌ ଘୋଷଣା କରିଥିଲେ କି ଯଦି ତାଙ୍କୁ ଏହି ଦାୟିତ୍ବ ଦିଆଯାଏ ତେବେ ସେ ଏହାକୁ ତୁଲାଇବେ । ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ ।

ଅଧିକ ପଢନ୍ତୁ : ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

୧୯୪୦ ମସିହାରେ ଚିତ୍ତଗଙ୍ଗରେ ଜନ୍ମଗ୍ରହଣ କରିଥିବା ମହମ୍ମଦ ୟୁନୁସ୍ ଅର୍ଥନୀତି ପଢ଼ିବା ପାଇଁ ଆମେରିକା ଯିବା ପୂର୍ବରୁ ଢାକା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପିଏଚ୍‌ଡି ଶେଷ କରିବା ପରେ ସେ ବାଂଲାଦେଶ ଫେରିବା ପୂର୍ବରୁ ମିଡ୍‌ ଲ ଟେନେସି ଷ୍ଟେଟ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ ୨୦୦୬ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ପ୍ରତିଷ୍ଠା କରିଥିବା ମାଇକ୍ରୋଫାଇନାନ୍ସ ଋଣଦାତା ଗ୍ରାମୀଣ ବ୍ୟାଙ୍କ ବାଂଲାଦେଶର ଗ୍ରାମୀଣ ଗରିବମାନଙ୍କୁ କ୍ଷୁଦ୍ର ଋଣ ଦେଇ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିଲା ।

ହସିନାଙ୍କ ସହ କିଛିବର୍ଷ ହେଲା ତିକ୍ତ ସମ୍ପର୍କ ସୃଷ୍ଟି ହୋଇଥିଲା ୟୁନୁସଙ୍କର । ୨୦୧୧ ମସିହାରେ ହସିନାଙ୍କ ନେତୃତ୍ବାଧୀନ ସରକାର ତାଙ୍କୁ ୬୦ ବର୍ଷରୁ ଅଧିକ ବୟସ ହୋଇଥିବା ଦର୍ଶାଇ ଗ୍ରାମୀଣ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦରୁ ଅବସର ନେବାକୁ ବାଧ୍ୟ କରିଥିଲେ । ୟୁନୁସଙ୍କ ବିରୋଧରେ ହସିନା ସରକାର ୧୯୦ରୁ ଅଧିକ ମାମଲା ଦାଏର କରିଛନ୍ତି ।

ଚଳିତ ବର୍ଷ ପ୍ରାରମ୍ଭରେ ଦେଶର ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ୟୁନୁସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦେଶର ସର୍ବବୃହତ୍ ମୋବାଇଲ୍ ଫୋନ୍ କମ୍ପାନି ଗ୍ରାମୀଣ ଫୋନର ଅଂଶଧନ ଥିବା ଗ୍ରାମୀଣ ଟେଲିକମର ଶ୍ରମିକ କଲ୍ୟାଣ ପାଣ୍ଠିରୁ ୨ ନିୟୁତ ଡଲାର ହଡ଼ପ ଅଭିଯୋଗରେ ବାଂଲାଦେଶର ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଧିକ ପଢନ୍ତୁ : କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ