କହୁ କହୁ ନିଜ ଦେଶର ଗୁମର ଖୋଲିଦେଲେ ପାକିସ୍ତାନ ମନ୍ତ୍ରୀ : ମାନିଲେ ଆତଙ୍କୀ ଅଜମଲ୍ କସାବର ପାକିସ୍ତାନୀ ଲିଙ୍କ୍

୨୦୦୮ ମୁମ୍ବାଇ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ଆତଙ୍କବାଦୀ ଅଜମଲ କସାବର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଛି । ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କୁ ଟାର୍ଗେଟ୍ କରୁକରୁ କସାବ ଗୁମର ଖୋଲିଦେଇଛନ୍ତି ।

ଆତଙ୍କବାଦୀ ଅଜମଲ କସାବର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଛି

କଥାରେ ଅଛି ସତ କେବେ ଲୁଚି ରହେନା । ମୁମ୍ବାଇ ଆକ୍ରରମଣର ଅନ୍ୟତମ ଆତଙ୍କୀ ଅଜମଲ୍ କସାବର ପାକିସ୍ତାନ ଲିଙ୍କ୍ ଅଭିଯୋଗ ପ୍ରସଙ୍ଗରେ ବି ସେୟା ହୋଇଛି । ଇମ୍ରାନଙ୍କ ଗୁଣଗାନ ଓ ବିରୋଧୀଙ୍କ ସମାଲୋଚନା କରୁକରୁ ସତ ଉଗାଳିଛନ୍ତି ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ୍ । ସେ ସ୍ପଷ୍ଟ କରିଦେଇଛନ୍ତି ଯେ, କସାବ୍ ଜଣେ ପାକିସ୍ତାନ ନାଗରିକ ଥିଲା । ଏହାପରେ ଭାରତ ତୁରନ୍ତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଓ ବିଶ୍ୱସ୍ତରରେ ଏହି ପ୍ରସଙ୍ଗ ଉଠାଇବା ଦରକାର ବୋଲି ଜୋର୍ ଦେଇଛନ୍ତି ବିଶେଷଜ୍ଞ । 

୨୦୦୮ ମୁମ୍ବାଇ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ଆତଙ୍କବାଦୀ ଅଜମଲ କସାବର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଛି । ପାକିସ୍ତାନ ଗୃହମନ୍ତ୍ରୀ ଶେଖ୍ ରଶିଦ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍ ଶରିଫଙ୍କୁ ଟାର୍ଗେଟ୍ କରୁକରୁ କସାବ ଗୁମର ଖୋଲିଦେଇଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପସ୍ଥିତିରେ କହିଛନ୍ତି, ଅଜମଲ କସାବର ଠିକଣା ଭାରତକୁ ନିଜେ ନଓ୍ୱାଜ ଶରିଫ ଦେଇଥିଲେ । ନଓ୍ୱାଜ ଶରିଫ ହିଁ ଭାରତକୁ କସାବର ଫରିଦକୋଟ୍ ଠିକଣା ଲିକ୍ କରିଥିଲେ । ଏକଥା ମିଛ ପ୍ରମାଣିତ ହେଲେ ଚୋରକୁ ଯାହା ଦଣ୍ଡ ମିଳେ, ମୋତେ ସେହି ଦଣ୍ଡ ମିଳୁ । ଏଥିସହ ନଓ୍ୱାଜ ଶରିଫ୍ ସଦ୍ଦାମ ହୁସେନ୍, ମୁଆମାର୍ ଗଦ୍ଦାଫି ଓ ଓସାମା ବିନ୍ ଲାଡେନଙ୍କୁ ଟଙ୍କା ପାଇଥିବା ସେ ଅଭିଯୋଗ କରିଛନ୍ତି ।

୨୦୦୮ ନଭେମ୍ବର ୨୬ ତାରିଖରେ ଥରିଉଠିଥିଲା ମାୟାନଗରୀ । ମୁମ୍ବାଇ ଲସ୍କର-ଏ-ତଇବା ଦ୍ୱାରା ତାଲିମପ୍ରାପ୍ତ ୧୦ ଆତଙ୍କୀ ସମୁଦ୍ରପଥରେ ମୁମ୍ବାଇରେ ପହଞ୍ଚିଥିଲେ, ଆଉ ରଚିଥିଲେ ଆତଙ୍କର ବିଭୀଷିକା । ହୋଟେଲ୍ ତାଜ୍, ଓବରଏ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମନ ହାଉସ ଭଳି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆଖିବୁଜା ଗୁଳିମାଡ଼ କରିବା ସହ ବିସ୍ଫୋରଣ ଘଟାଇଥିଲେ । ଏଥିରେ ୧୭୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୩ଶହରୁ ଅଧିକ ଆହତ ହୋଇଥିଲେ । ଆକ୍ରମଣ ସ୍ଥଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଜବାବି କାର୍ଯ୍ୟାନୁଷ୍ଠାନରେ ସବୁ ଆତଙ୍କୀ ପ୍ରାଣ ହରାଇଥିବା ବେଳେ, ଏକମାତ୍ର ଅଜମଲ କସାବ ଜୀବନ୍ତ ଅବସ୍ଥାରେ ଧରାପଡ଼ିଥିଲା ।

ସେବେଠୁ ଉପଯୁକ୍ତ ତଦନ୍ତ ପରେ କସାବ ପାକିସ୍ତାନ ନାଗରିକ ବୋଲି ଦାବି କରିଆସୁଥିବା ଭାରତ ବିଭିନ୍ନ ସମୟରେ ଏକାଧିକ ପ୍ରମାଣ ମଧ୍ୟ ଦେଖାଇଥିଲା । ତେବେ ପାକିସ୍ତାନ ଏହାକୁ ସବୁବେଳେ ଖଣ୍ଡନ କରିଆସୁଥିଲା । ଆଉ ଏବେ ନିଜେ ପାକିସ୍ତାନର ଗୃହମନ୍ତ୍ରୀ କସାବର ଘର ଫରିଦକୋଟ ବୋଲି ସ୍ୱୀକାର କରିବା ପରେ, ପଡ଼ୋଶୀରର ମୁଖା ଖୋଲିଯାଇଛି । ୨୦୧୨ ନଭେମ୍ବର ୨୧ରେ ଅଜମଲ କସାବ ନିଜ କୃତକର୍ମ ପାଇଁ ଫାଶି ଖୁଣ୍ଟରେ ଝୁଲିଥିଲା ।