Advertisment

ଦିବ୍ୟାଙ୍ଗ ହେଲେବି ପାରଙ୍ଗମ: ଜୀବନ ଯୁଦ୍ଧରେ ଜିତିଛନ୍ତି ଦୁଇ ଦୁର୍ଜୟ ବୀର

ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏହି ଦୁର୍ଜୟ ବୀରଙ୍କ ଅମଳିନ ଆତ୍ମବିଶ୍ୱାସକୁ ଆମର ଶତ ଶତ ସଲାମ୍।

Tale of 2 divyangs of Odisha who are no less than normal humans

Tale of 2 divyangs of Odisha who are no less than normal humans

Advertisment

ସାମର୍ଥ୍ୟ କହିଲେ ସାହସ, ମୂଳଧନ କହିଲେ ମନୋବଳ... ଏତକକୁ ପୁଞ୍ଜି କରି ଜୀବନ ବାଟରେ ଆଗେଇ ଚାଲିଛନ୍ତି ପାରଙ୍ଗମ ପ୍ରଭାତ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଖଟମଣା ଗାଁର ୨୬ ବର୍ଷୀୟ ପ୍ରଭାତ ଜେନା। ଦୁନିଆ ତାଙ୍କୁ ଦିବ୍ୟାଙ୍ଗ କହେ ସିନା, ହେଲେ ଏହି ଯୁବକ ନିଜକୁ ନା କେବେ ଦୁର୍ବଳ ଭାବିଛନ୍ତି, ନା କେବେ ମୁଣ୍ଡ ନୁଆଁଇଛନ୍ତି ପରିସ୍ଥିତି ଆଗରେ ଜନ୍ମରୁ ହିଁ ତାଙ୍କର ଗୋଟିଏ ଗୋଡ଼ ନାହିଁ। ହେଲେ ବିଲରେ ଖଟୁଛନ୍ତି ନିଜ ବାପା ମାଆଙ୍କ ସହ। ମାଟ୍ରିକ୍ ପରେ ଆଇଟିଆଇ ଓ କଂମ୍ପ୍ୟୁଟର ଶିକ୍ଷା। ଏବେ ଚାକିରି ଖୋଜୁଛନ୍ତି ପ୍ରଭାତ। ହେଲେ ସୁନାପୁଅ ଭଳି ବାପା ମାଆଙ୍କ ଶ୍ରମ ଲାଘବ ପାଇଁ ନିଜେ ଧାନ କାଟୁଛନ୍ତି, ମୁଣ୍ଡରେ ଘରକୁ ବି ବୋହୁଛନ୍ତି ଚାଷକାମ ନଥିଲେ ରଙ୍ଗ କାମ ଓ କାଠ କାମ କରି ମଧ୍ୟ କିଛି କିଛି ରୋଜଗାର କରିଥାନ୍ତି ବର୍ଷର ଅନ୍ୟ ସମୟରେ।

Advertisment

ସେମିତି ଆଉ ଜଣେ ସାହସୀ ଦିବ୍ୟାଙ୍ଗ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ମେରାପଲ୍ଲୀ ଗାଁର ବାସୁଦେବ ସାହୁ। ବୟସ ୫୦ ଉପରେ। ଲୋକେ ଡାକନ୍ତି ବାସୁ ମଉସା, ହେଲେ ୟାଙ୍କ ସଙ୍ଘର୍ଷର କାହାଣୀ ଶୁଣିଲେ ଆପଣ ବି କହିବେ ଇଏ ବାହାଦୂର ବାସୁଦେବ। ପିଲାଟି ଦିନରୁ ଗୋଡ଼ ଦୁଇଟି ଅଚଳ, ତା ଉପରେ ଦାରିଦ୍ର୍ୟର ତାଡ଼ନା। ବାସୁଦେବଙ୍କୁ ପିଲାଟି ବେଳୁ ଘାରିଥିଲା ନିଜ ସହ ନିଜ ପରିବାରର ପେଟ ପୋଷିବା ଚିନ୍ତା। ତେଣୁ ମାଟ୍ରିକ୍ ପରେ ପରେ ବାପାଙ୍କଠୁ ମାତ୍ର ଶହେ ଟଙ୍କା ଆଣି, ଛୋଟିଆ ଜଳଖିଆ ଦୋକାନଟିଏ ଆରମ୍ଭ କରିଥିଲେ ବାସୁଦେବ। ସେଇଠୁ ପ୍ରାୟ ୩୦ ବର୍ଷ ହେଲା ଏ ଚୁଲି ଲିଭିନି କି ଏ ତେଲ କଡ଼େଇ ଥଣ୍ଡା ହୋଇନି, ଠିକ୍ ତାଙ୍କ ଆତ୍ମବିଶ୍ୱାସ ଭଳି। ଚା ଜଳଖିଆ ଦୋକାନ କରି ସେ ପରିବାର ଚଳାଉଛନ୍ତି, ଗୋଟିଏ ପୁଅକୁ ବାହା କରାଇଛନ୍ତି, ଆଉ ୨ଟି ପୁଅ ପାଠ ପଢ଼ୁଛନ୍ତି।

କେବଳ ପାରଙ୍ଗମ ପ୍ରଭାତ କି ବାହାଦୂର ବାସୁଦେବ ନୁହଁନ୍ତି, ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ଶାରିରୀକ ଭିନ୍ନତାକୁ ଭ୍ରୁକ୍ଷେପ ନକରି ଅତି ନିର୍ଭିକତାର ସହ ଲଢ଼େଇ ଜାରି ରଖିଛନ୍ତି ଜୀବନର ଯୁଦ୍ଧଭୂମିରେ। ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏହି ଦୁର୍ଜୟ ବୀରଙ୍କ ଅମଳିନ ଆତ୍ମବିଶ୍ୱାସକୁ ଆମର ଶତ ଶତ ସଲାମ୍।

Advertisment

(ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ ଓ ଗଜପତି ମୋହନାରୁ ମିହିର ଜତିଙ୍କ ରିପୋର୍ଟ) 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ