ସ୍ୱାଭିମାନୀ ମୁରଲୀ, ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ

ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।

Divyang

ଦିବ୍ୟାଙ୍ଗ ସିନା... ହେଲେ ଏ ମଣିଷଟା ଭାରି ସ୍ୱାଭିମାନୀ । ପେଟ ପୋଷିବା ପାଇଁ ଶାରୀରିକ ଅକ୍ଷମତା କେବେ ବି ମୁରଲୀଙ୍କ ପାଖରେ ବାଧକ ହୋଇ ଛିଡ଼ା ହୋଇନି । ନିଜର ଖର୍ଚ୍ଚ ବହନ କରିବା ପାଇଁ ପେଟ ପୋଷିବାକୁ ସେ ରାତି ୧୦ଟା ପରେ ଘରୁ ବାହାରିଯା’ନ୍ତି । ଆଉ ନିଜ କାମରେ ଲାଗିପଡ଼ନ୍ତି ।

ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ । ଏଣେତେଣେ ପଡ଼ିଥିବା ଜରି, ପାଲ ଆଦି ଗୋଟାନ୍ତି । ସକାଳ ହେଲେ ସେହି ଜରିପାଲକୁ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ଔଷଧ ଖର୍ଚ୍ଚଟା ଉଠିଯାଏ । ଘର ଲୋକ ମୁରଲୀଙ୍କର ଭଲ ଯତ୍ନ ନିଅନ୍ତି ଓ ଖାଇବା ପିଇବା କଥା ଭଲରେ ବୁଝନ୍ତି ବୋଲି କହିଛନ୍ତି ମୁରଲୀ । ହେଲେ, ଔଷଧ ଖାଇବା ପାଇଁ ସେ ଘର ଲୋକଙ୍କ ଉପରେ ଅଧିକ ଚାପ ଦେବାକୁ ଚାହାଁନ୍ତି ନାହିଁ । ତେଣୁ, ଦୁଇ ପଇସା ରୋଜଗାର କରିବା ପାଇଁ ଏମିତି ପରିଶ୍ରମ କରନ୍ତି ।

ଟ୍ରାଏ ସାଇକେଲ ବିନା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଅସମ୍ଭବ ମୁରଲୀଙ୍କ ପକ୍ଷେ । ତଥାପି ରାତି ହେବା ମାତ୍ରେ ନିଜ ସାଇକେଲ ଯୋଗେ ବାହାରି ପଡନ୍ତି ସେ । ଘରଠାରୁ ପ୍ରାୟ ୫ କିଲୋମିଟରରୁ ୧୦ କିଲୋମିଟର ଦୂର ସ୍ଥାନ ଭିତରେ ଏଣେତେଣେ ପଡିଥିବା ଜରିପାଲକୁ ଗୋଟାଇ ଏକାଠି କରିବାରେ ଲାଗିପଡନ୍ତି । ମୁରଲୀଙ୍କର ଏହି ପରିଶ୍ରମୀ ମନୋଭାବ ଓ ସାହସ ପାଇଁ ତାଙ୍କୁ ସ୍ଥାନୀୟ ଲୋକେ ଖୁବ୍ ପ୍ରଶଂସା କରନ୍ତି । ମୁରଲୀଙ୍କୁ ବିନା କାରଣରେ କେହି ଟଙ୍କା ପଇସା ଯାଚିଲେ ସେ ନିଅନ୍ତି ନାହିଁ । ବରଂ ମୁଁ ନିଜେ ଖଟିକି ଖାଇବି ବୋଲି ସ୍ୱାଭିମାନର ସହ କୁହନ୍ତି । ଦିବ୍ୟାଙ୍ଗ ହେଲେ କ’ଣ ହେଲା ଆଜିର ଯୁବପିଢୀଙ୍କ ପାଇଁ ମୁରଲୀ ଜଣେ ଅନନ୍ୟ ଉଦାହରଣ ନିଶ୍ଚୟ ।