ମହାପ୍ରଭୁଙ୍କ ସୁନା ବେଶରେ ସବୁ ସୁନା, ହେଲେ ଗୋଟିଏ ରୂପା

ରଥଉପରେ ତିନି ଠାକୁରଙ୍କ ସୁନବେଶ ଭାରି ସୁନ୍ଦର, ଆକର୍ଷଣୀୟ । ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..

ରଥ ଉପରେ ଠାକୁରଙ୍କ ସୁନାବେଶ

News Summary

ବାମନ ଜନ୍ମ, ରାଧାଦାମୋଦର ବେଶ, ଚାଚେରୀ ବେଶରେ ଠାକୁରଙ୍କୁ ସୁନାଲାଗି କରାଯାଇଥାଏ

ଅନେକ ସୁନାବେଶରେ ଶ୍ରୀଜିଉଙ୍କୁ ମହଣ ମହଣ ସୁନାରେ ସଜା ଯାଇଥାଏ ଯାହାକୁ କୁହାଯାଇଥାଏ ରାଜବେଶ

ସବୁ ରାଜବେଶ ସୁନାବେଶ କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ।

ପୁରୀ: ଜଗତର ନାଥ ସେ ଜଗନ୍ନଥ । ଯିଏ ଭକ୍ତର ବନ୍ଧୁ, ଅସହାୟର ସହାୟ, ଅନାଥର ନାଥ। ବଡ ଦେଉଳରେ ବସି ଯେମିତି ଭକ୍ତଙ୍କର ସବୁ ଦୁଃଖ ଦେଖି ପାରୁଛନ୍ତି, ଶୁଣି ପାରୁଛନ୍ତି। ପୁଣି କେତେବେଳେ ସବୁ ଶୁଣି ଦାରୁଭୂତ ମୁରାରୀ ବସି ରହୁଛନ୍ତି। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ। ତା’ ପାଇଁ ବଡ଼ ଦେଉଳରେ ବାରମାସରେ ତେର ପର୍ବ । କେତେ ରୂପରେ, କେତେ ବେଶରେ ସଜେଇ ହୁଅନ୍ତି ଠାକୁର। ସବୁ ସେଇ ଭକ୍ତଙ୍କ ପାଇଁ। 

ସେଇ କାଳିଆ ଠାକୁରଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଆଉ ସେଇ ରଥଯାତ୍ରା ପରେ ରଥଉପରେ ତିନି ଠାକୁରଙ୍କ ସୁନବେଶ ଆହୁରି ଆକର୍ଷଣୀୟ । ଏହି ଦିନ ମହଣ ମହଣ ସୁନାରେ ବିମଣ୍ଡିତ ହୋଇ ଠାକୁର ଦିଶିବେ ରାଜା ପରି। ଭକ୍ତ କହିବେ ସେ ପରା ଆମ କାଳିଆ ରାଜା..

ଜଗନ୍ନାଥଙ୍କର ଅନେକ ବେଶ। ତା ମଧ୍ୟରୁ ସୁନାବେଶ ଗୋଟିଏ। ଦୈନନ୍ଦିନ ପର୍ବପର୍ବାଣିରେ ଠାକୁର ପିନ୍ଧନ୍ତି ସୂତାବସ୍ତ୍ର, ପାଟବସ୍ତ୍ର, ଫୁଲ, ଫୁଲର ଅଳଙ୍କାର, ସୁନାର ଅଳଙ୍କାର, ରତ୍ନ ପଥର, ସୋଲ, ଜରି, ଚନ୍ଦନ, କର୍ପୂର, ତୁଳସୀ, କସ୍ତୁରୀ..ଇତ୍ୟାଦି। ତା ଛଡ଼ା ବର୍ଷ ତମାମ୍‌ କିଛି ନା କିଛି ସୁନାର ଅଳଙ୍କାର ଠାକୁରଙ୍କୁ ଲାଗି କରାଯାଏ। ତେବେ ଅନବସର ସମୟରେ ଠାକୁର ସୁନା ପିନ୍ଧି ନ ଥାନ୍ତି।

ବାମନ ଜନ୍ମ, ରାଧାଦାମୋଦର ବେଶ, ଚାଚେରୀ ବେଶ ଇତ୍ୟାଦିରେ ସୁନାଲାଗି କରାଯାଇଥାଏ। ଏଇ ବେଶକୁ କହନ୍ତି ସୁନାବେଶ। ତେବେ ଅନେକ ସୁନାବେଶରେ ଶ୍ରୀଜିଉଙ୍କୁ ମହଣ ମହଣ ସୁନାରେ ସଜା ଯାଇଥାଏ। ଏହି ବେଶକୁ କୁହାଯାଇଥାଏ ରାଜବେଶ।

ସବୁ ରାଜବେଶ ସୁନାବେଶ କିନ୍ତୁ ସବୁ ସୁନାବେଶ ରାଜବେଶ ନୁହେଁ। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ରାଜବେଶ ବର୍ଷକୁ ୫ ଥର ହୁଏ। ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏବଂ ରଥ ଉପରେ ବଡ଼ ଏକାଦଶୀ।

ଆଜି ସେଇ ବଡ଼ ଏକାଦଶୀ ତିଥି। ଶ୍ରୀଜିଉ ରଥ ଉପରେ ରାଜବେଶରେ ସଜ୍ଜିତ ହେବେ। ଏଇ ରାଜବେଶର ନାମ ବଡ ତଡ଼ାଉ ବେଶ। ତଡ଼ାଉର ଅର୍ଥ ସୁନା।

ଆସନ୍ତୁ ଜାଣିବା, କେଉଁ କେଉଁ ଅଳଙ୍କାରରେ ବିମଣ୍ଡିତ ହେବେ ଆଜି ଠାକୁର।

ରଥ ଉପରେ ରାଜବେଶର ତାଲିକା

ଶ୍ରୀ ପୟର-୪ (ଦେବୀ ସୁଭଦ୍ରାଙ୍କର ନାହିଁ)

ଶ୍ରୀଭୁଜ-୪ (ଦେବୀ ସୁଭଦ୍ରାଙ୍କର ନାହିଁ)

କୀରିଟ-୩ (ପ୍ରତ୍ୟେକ-୧)

କାନ-୬ (ପ୍ରତ୍ୟେକ-୨)

ବାହାଡ଼ାମାଳି-୨(ଶ୍ରୀବଳଭଦ୍ର-୧, ଶ୍ରୀ ଜଗନ୍ନାଥ-୧)

ତାବିଜ ମାଳି-୧(ଶ୍ରୀ ଜଗନ୍ନାଥ-୧)

ହରିଡ଼ାକଦମ୍ବ ମାଳି-୧(ଶ୍ରୀ ଜଗନ୍ନାଥ-୧)

ବାଘନଖି ମାଳି-୧(ଶ୍ରୀ ଜଗନ୍ନାଥ-୧)
କଦମ୍ବ ମାଳି-୪(ଶ୍ରୀ ବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୧, ଦେବୀ-୧)

ସେବତୀ ମାଳି-୩(ପ୍ରତ୍ୟେକ-୧)

ହଳ ଓ ମୂଷଳ- (ଶ୍ରୀ ବଳଭଦ୍ର)

ଚକ୍ର-୧(ଶ୍ରୀଜଗନ୍ନାଥ)

ତିଳକ-୨(ଶ୍ରୀବଳଭଦ୍ର-୧ ଶ୍ରୀଜଗନ୍ନାଥ-୧)

ଆଡ଼କାନି-୪(ଶ୍ରୀବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୨)

ଚନ୍ଦ୍ରସୂର୍ଯ୍ୟ-୬(ପ୍ରତ୍ୟେକ-୨)

ଅଳକା-୩(ପ୍ରତ୍ୟେକ-୧)

ଓଡ଼ିଆଣୀ-୩(ପ୍ରତ୍ୟେକ-୧)

ଚନ୍ଦ୍ରିକା-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)

ତଡ଼କୀ-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)

ଶଙ୍ଖ(ରୂପା)-୧(ଶ୍ରୀ ଜଗନ୍ନାଥ)

ଏହି ବେଶରେ କେବଳ ଶଙ୍ଖଟି ହିଁ ରୂପା ।

ସବୁ ରାଜବେଶ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ଉପରେ ହୁଏ। ବର୍ଷକେ ଥରେ ଆଷାଢ ଶୁକ୍ଳ ଏକାଦଶୀରେ ତିନି ରଥ ଉପରେ ତିନି ଦିଅଁଙ୍କର ହୁଏ ରାଜବେଶ। ଏହି ବେଶର ଏକ ସ୍ୱତନ୍ତ୍ରତା ରହିଛି। ଏହି ରାଜବେଶରେ ପ୍ରଭୁ ଦୁଇଟି ଅଳଙ୍କାର ପିନ୍ଧି ନ ଥାନ୍ତି ଯାହା ଅନ୍ୟ ବେଶରେ ପିନ୍ଧିଥାନ୍ତି। ତାହା ହେଉଛି ରତ୍ନ ଚିତା ଏବଂ ରାହୁରେଖା। ରଥ ଉପରେ ଯାହା ପିନ୍ଧନ୍ତି ତାହା ହେଉଛି ସୋଲ ଚିତା। ଏହି ସୋଲ ଚିତା ଉପରେ ଅଳ୍ପ ସୁନାର ଆବରଣ ଦିଆଯାଇଥାଏ।