ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତିବର୍ଷ ୩ ରଥ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ର ପଦ୍ଧତିରେ ନିର୍ମାଣ କରାଯାଏ। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ପାର୍ଶ୍ୱ ମୂର୍ତ୍ତିଗୁଡିକୁ ରଙ୍ଗ କରିଥାନ୍ତି। ଆବଶ୍ୟକ ପଡିଲେ ରୂପକାର ସେବକମାନଙ୍କ ଦ୍ୱାରା ଏହାର ମରାମତି କାମ ମଧ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ୯ଟି ମୂର୍ତ୍ତିଙ୍କୁ ପାର୍ଶ୍ୱଦେବତା ଭାବରେ ଅଧିଷ୍ଠିତ କରାଯାଇଥାଏ। ବଡ ଠାକୁର ବଳଭଦ୍ରଙ୍କ ରଥକୁ ତାଳଧ୍ୱଜ ରଥ କୁହାଯାଏ। ଏହାର ଅନ୍ୟନାମ ଲଙ୍ଗଳ ଧ୍ୱଜ। ଏହି ରଥରେ ଶ୍ରୀବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରିଥାନ୍ତି। ଆସନ୍ତୁ ଜାଣିବା ତାଳଧ୍ୱଜ ରଥର ଅନ୍ୟାନ୍ୟ ରୋଚକ କଥା।
- ମୋଟ ବ୍ୟବହାର କାଠ : ୭୩୧
- ମୋଟ ଚକ ସଂଖ୍ୟା : ୧୪
- ପ୍ରତି ଚକର ବ୍ୟାସ : ୬'୦୬"
- ରଥର ଉଚ୍ଚତା : ୪୫'
- ରଥର ଦୈର୍ଘ୍ୟ ଓ ପ୍ରସ୍ଥ : ୩୩' x ୩୩'
- ରଥ ରକ୍ଷକ : ବାସୁଦେବ
- ଦ୍ୱାରପାଳ : ନନ୍ଦ ଓ ସୁନନ୍ଦ
- ସାରଥୀ : ମାତଳୀ
- ଦଧିନଉତି : ଭୁବନ କୋଷ
- ରଥର ଅସ୍ତ୍ର : ହଳ ଓ ମୁଶଳ
- ରଥର ଘୋଡ଼ା ସଂଖ୍ୟା : ୪
- ଘୋଡ଼ାମାନଙ୍କ ନାମ : ଶଙ୍ଖ, ସୁଚ଼ିତ୍ର, ଅଙ୍ଗଦ ଓ ମେଘନାଦ
- ଘୋଡ଼ାର ରଙ୍ଗ : କଳା
- ରଥ ଦଉଡି : ବାସୁକୀ
- ରଥର ଶକ୍ତି : ବ୍ରହ୍ମା ଓ ଶିବ
- ରଥରେ ବ୍ୟବହୃତ କପଡାର ରଙ୍ଗ : ନାଲି ଓ ସବୁଜ ରଙ୍ଗ
- ଧ୍ୱଜ ମୂର୍ତ୍ତି : ଲକ୍ଷ୍ମୀନୃସିଂହ
- ପତାକା ନାମ : ଉନ୍ନନି
- ପାର୍ଶ୍ୱ ଦେବଦେବୀ : ଗଣେଶ, କାର୍ତ୍ତୀକେୟ, ସର୍ବମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷଦେବ
- ୠଷି ସମୂହ : ଅଞ୍ଜିରା, ପୁଳାହ, ପୌଳସ୍ତ୍ୟ, କୃଷ୍ଣ, ମୁଦ୍ଗଳ, ଆତ୍ରେୟ, କାଶ୍ୟପ ଓ ଆସଷ୍ଠି
ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ତାଳଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।