Advertisment

ଘୋଷଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ବଢ଼ିଲା ଆଶା

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଆଜିକାଲି ଭିତରେ ନିଷ୍ପତ୍ତି । ଆସନ୍ତା ୫ରୁ ପୁରୀ ଆସୁଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ପଶାୟତ୍ତ ।

undefined

Ratnabhandar

Advertisment

କେବେ ଖୋଲା ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? କେଉଁ ସମୟ, କେଉଁ ତାରିଖ ? ବିଧିବଦ୍ଧ ଭାବେ ଏଇ ଘୋଷଣା ଉପରେ ଏବେ ସାରା ଜଗନ୍ନାଥପ୍ରେମୀଙ୍କ ନଜର। କାରଣ ଆସନ୍ତା ୭ ତାରିଖରୁ ଘୋଷଯାତ୍ରାରେ ବାହାରି ବଡ଼ ଦେଉଳ ଛାଡ଼ିବେ ଶ୍ରୀଜୀଉ। ଏଇ ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଟ ସମୟ ହୋଇଥିବାରୁ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

Advertisment

ଅପରପକ୍ଷେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଆସନ୍ତାକାଲିଠାରୁ ଓଡିଶା ଆସି 5ରୁ 27 ତାରିଖ ପର୍ଯ୍ୟନ୍ତ ପୁରୀରେ ରହୁଥିବା ସୂଚନା ମିଳିଛି। ୫ ତାରିଖରେ ପୁରୀ ପହଞ୍ଚିବା ପରେ ଜଷ୍ଟିସ ପଶାୟତ ଅପରାହ୍ଣ 2ଟାରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେଣୁ ଏହି ବୈଠକରେ କି ନିଷ୍ପତ୍ତି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି। ଏଭିତରେ ରତ୍ନଭଣ୍ଡାର ଖୋଲିବା ତାରିଖକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ, ଏବାବଦରେ ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି ଏବଂ ଆଜିକାଲି ଭିତରେ ନିଷ୍ପତ୍ତି ଆସିଯିବ । ଅପରପକ୍ଷେ ଗଜପତି ମହାରାଜା ମଧ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ସରକାରୀ ସ୍ତରରେ ଚାଲିଥିବା ପ୍ରସ୍ତୁତି ଆନନ୍ଦର କଥା ବୋଲି କହି ଭଣ୍ଡାର ମରାମତି ସହ ଗଣତି ମଣତି ନିହାତି ଆବଶ୍ୟକ ବୋଲି କହିଛନ୍ତି।

Advertisment

ଏବେ ପ୍ରଶ୍ନ ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ? ASI ମରାମତିର ମୋଡାଲିଟି କଣ ରହିବ, ଗଣତି ମଣତି ବି କିପରି ହେବ, କେବେଠୁ ଆରମ୍ଭ ହୋଇ କେବେ ସରିବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନି। କେବଳ ସେତିକି ନୁହେଁ, ଇନଭେଣ୍ଟୋରି କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି 2018 ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତାର ପରୀକ୍ଷା ହୋଇନାହିଁ।

ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି। ସେହିପରି ଗଣତି ମଣତିର କାର୍ଯ୍ୟ କେବେ ଯାଏଁ ଚାଲିବ ତାର କିଛି ନିର୍ଦ୍ଦିଷ୍ଟତା ନଥିବାରୁ ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନକୁ ଅଲଗା ଅଲଗା ରଖି ଗଣତି ମଣତି ଉପରେ ବି ମତ ରଖିଛନ୍ତି ପରିଚାଳନା କମିଟି ସଦସ୍ୟ। ସେହିପରି ରତ୍ନଭଣ୍ଡାର ଚାବି କେମିତି ହଜିଲା ଏବଂ ପରେ କେମିତି ମିଳିଲା ତାର ବି ତଦନ୍ତ ପାଇଁ ଦାବି ଉଠିଛି।

Advertisment

ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ 45 ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦନିରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ନଜର ।

Srimandir Lord Jagannath Ratha Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ